Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ଦକ୍ଷତା ତାଲିମ୍ ପରାମର୍ଶ ଶିବିର ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ବ୍ଲକସ୍ତରୀୟ ଦକ୍ଷତା ତାଲିମ୍ ପରାମର୍ଶ ଶିବିର ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

13

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ରଣୀ ବେସରକାରୀ ସଂସ୍ଥା କମ୍ପାନୀ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଁ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ତାଲିମ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଯୁବ ଗୋଷ୍ଠୀଙ୍କ ନିମନ୍ତେ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ପରାମର୍ଶ ଶିବିର ଆୟୋଜନ ନେଇ ଆଭାସି ଜରିଆରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରେ ପରାମର୍ଶ ଶିବିର ଆୟୋଜନ ପାଇଁ ଦିନ,କେନ୍ଦ୍ର ନିର୍ଦ୍ଧାରଣ ସହିତ ଶିବିର ପ୍ରସ୍ତୁତି ଓ ପରିଚାଳନା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟକି ପଞ୍ଚମ ଶ୍ରେଣୀ ପାସ୍ ରୁ ଉର୍ଦ୍ଧ୍ୱ ଏବଂ ସ୍କୁଲ ଓ କଲେଜ ପାଠ୍ୟକ୍ରମ ମଝିରେ ପଢ଼ା ଛାଡ଼ିଥିବା ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି ପରାମର୍ଶ ଶିବିର ଆୟୋଜନ କରାଯାଇଥାଏ । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣଙ୍କ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ନିଯୁକ୍ତି ମିଶନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ କେତେକ ଅଗ୍ରଣୀ ବେସରକାରୀ ସଂସ୍ଥାମାନଙ୍କ ସହଭାଗିତାରେ ଚାହିଦା ଥିବା ସେକ୍ଟର ଗୁଡ଼ିକରେ ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ଅବଧି ତାଲିମ ପାଇଁ ବ୍ଲକ୍ ସ୍ତରୀୟ ଏହି ପରାମର୍ଶ ଶିବିର ନଭେମ୍ବର ତୃତୀୟ ସପ୍ତାହ ଠାରୁ ବ୍ଲକ୍ ମାନଙ୍କରେ ଅନୁଷ୍ଠିତ ହେବ ।

ତାଲିମ ସମାପ୍ତ ପରେ ପ୍ରଶିକ୍ଷିତମାନଙ୍କୁ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରିବେ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପିଲାମାନେ ଇଛାମୁତାବକ ଟ୍ରେଡ଼୍‌ରେ ତାଲିମ୍ ନେଇ ପାରିବେ । ପ୍ରଶିକ୍ଷଣ ସମୟରେ ପ୍ରଶିକ୍ଷଣ, ରହିବା ଏବଂ ଖାଦ୍ୟପେୟ ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଶିବିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ତାଲିମ୍‌ର ସୁଯୋଗ ଅଛି ଏବଂ ଶିବିରରେ ସେମାନଙ୍କ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଇଚ୍ଛୁକ ପ୍ରାର୍ଥୀ, ପ୍ରାର୍ଥିନୀମାନେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର, ଆଧାର ଏବଂ ଫଟୋ ସହିତ ଏହି ଶିବିରରେ ଯୋଗଦେଇ ପ୍ରଦତ୍ତ ସୁବିଧାର ସୁଯୋଗ ନେଇ ପାରିବେ । ଜିଲ୍ଲା ନିୟୋଜନ ଅଧିକାରିଣୀ ଅନୀତା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆଭାସି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲାର ସମସ୍ତ ବି.ଡ଼ି.ଓ. ସଂପୃକ୍ତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗଦେଇ କଥିତ ପରାମର୍ଶ ଶିବିର ଆୟୋଜନ ସଫଳତା ପାଇଁ ମତାମତ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.