Home ଓଡ଼ିଶା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ, ଜନବସତିକୁ ମାଡୁଛି ବନ୍ୟାଜଳ, ଶହ ଶହ...

ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ, ଜନବସତିକୁ ମାଡୁଛି ବନ୍ୟାଜଳ, ଶହ ଶହ ଏକର ଧାନତଳିରେ ଲହଡି ଭାଙ୍ଗୁଛି ବଢିପାଣି

84

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୫ ଦିନରୁ ଉର୍ଦ୍ଧ୍ୱ ହେବ ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‌ର ତଳିଆ ଅଂଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏପରିକି ଉପରମୁଣ୍ଡରୁ ଆସୁଥିବା ବଢିପାଣି ଓ ହଦଗଡ ଡ୍ୟାମ୍ ପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଚାନ୍ଦବାଲି ବ୍ଲକ୍‌ର ତଳିଆ ଅଂଚଳ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ୪ଟି ପଂଚାୟତର। ୨୦ ଟି ଗାଁ ଏବେ ବନ୍ୟା ଘେରରେ ରହିଛି। ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ୟାପାଣି। ଫଳରେ ନଦୀକୂଳିଆଙ୍କୁ ଯାତାୟତରେ ଡଙ୍ଗା ସାହାଭରସା ସାଜିଛି। ବିଭିନ୍ନ ଏସ୍‌କେପ ଓ ମାହାରା ଦେଇ ବନ୍ୟାଜଳ ଜନବସତି ଆଡକୁ ମାଡୁଥିବାରୁ ଚାଷଜମି ଜଳମଗ୍ନ ହୋଇପଡିବା ସହ ଏକର ଏକର ଧାନତଳି କ୍ଷେତରେ ଲହଡି ଭାଙ୍ଗୁଛି ଗୁଳିଆ ପାଣି। ଲଘୁଚାପ ପ୍ରଭାବରେ ଧାମରା ନିକଟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି। ଏବେସୁଦ୍ଧା ବର୍ଷା ଲାଗିରହିଥିବାରୁ ନଦୀରେ ଯଦି ବନ୍ୟାପାଣି ବଢେ ତାହେଲେ ଦୁର୍ବଳ ଥିବା ନଦୀବନ୍ଧର ଘାଇ ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏପରିକି ଆଖଣ୍ଡଳମଣି କୁଆଖିଆ ମୁଖ୍ୟରାସ୍ତାର ବୋଡକ ନିକଟରେ ନଦୀବନ୍ଧ ଅତି ଦୁର୍ବଳ ରହିଥିବାରୁ ବୈତରଣୀ କୂଳ ଲଂଘି ବନ୍ୟାଜଳ ପ୍ରବାହିତ ହେବା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.