Home ଜିଲ୍ଲା ପରିକ୍ରମା ବେଆଇନ୍ ବାଲି ଚାଲାଣ ଚଢ଼ଉ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ’ – ମାଫିଆଙ୍କ ସହ ସଦର...

ବେଆଇନ୍ ବାଲି ଚାଲାଣ ଚଢ଼ଉ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ’ – ମାଫିଆଙ୍କ ସହ ସଦର ଅତିରିକ୍ତ ତହସିଲଦାରଙ୍କ ଘନିଷ୍ଠତାକୁ ନେଇ ଚର୍ଚ୍ଚା

88

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବାଲି ଚୋରା ଚାଲାଣରୁ ଉପାର୍ଜିତ ଅର୍ଥରେ ମାଫିଆମାନଙ୍କ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଥିବା ବେଳେ ସଦର ତହସିଲ ପକ୍ଷରୁ ଧରପଗଡ଼ ନଆଁରେ ହେଉଥିବା ଫାର୍ସ ସମସ୍ତଙ୍କୁ ଆଚମ୍ବିତ କରିଛି। ବୁଢ଼ାବଳଙ୍ଗ ନଦୀରୁ ବେଆଇନ୍ ଭାବେ ବାଲି ଉଠାଇ ବିକ୍ରି କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟ ଅତୀତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଦର ତହସିଲ ଟିମ୍ ଚଢ଼ଉ କରିଥିଲା। ମାତ୍ର ବାଲି ମାଫିଆଙ୍କୁ ଗିରଫ କରିବା କିମ୍ବା ସେମାନଙ୍କ ବାଲିଉଠା ମେସିନ୍ ତଥା ବାଲିଗାଡ଼ି ଓ ଜେସିବି ପ୍ରଭୃତି ଜବତ୍ କରିବା ପରିବର୍ତ୍ତେ ଅଧିକାରୀମାନେ ମାଫିଆଙ୍କ ସହ ସାମିଲଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବୁଢ଼ାବଳଙ୍ଗ ନଦୀରୁ ବେଆଇନ୍ ଭାବେ ଲକ୍ଷ ଲକ୍ଷ ଟଙ୍କାର ବାଲି ଉଠାଇ ମାଫିଆମାନେ ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର କୁଡ଼ିଆ ଲକ୍ଷ୍ମୀନାରାୟଣ ହାଇସ୍କୁଲ ଖେଳ ପଡ଼ିଆ ପାର୍ଶ୍ୱ ନଦୀପଠାରେ ଷ୍ଟକ ରଖିବା ସମ୍ପର୍କରେ ଅଭିଯୋଗ ପାଇ ଜିଲ୍ଲାପାଳ ସଦର ତହସିଲଦାରାଙ୍କୁ ଚଢ଼ଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଡିସନାଲ ତହସିଲଦାର ଶତ୍ରୁଘ୍ନ ସେଠୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ସହ ଏକ ସ୍ୱତନ୍ତ୍ର ଟିମ୍ ଗତ ୩୦ ତାରିଖ ବୁଧବାର ଦିନ ଚଢ଼ଉ କରିଥିଲା। କୁଡ଼ିଆ ହାଇସ୍କୁଲ ପାର୍ଶ୍ୱ ବୁଢ଼ାବଳଙ୍ଗ ନଦୀପଠାରେ ପହଞ୍ଚି ସେଠାରେ ମହଜୁଦ ଥିବା ଲକ୍ଷ ଲକ୍ଷ ଟଙ୍କାର ବାଲି, ନଦୀରୁ ବାଲି ଉଠାଉଥିବା ବୋଟ ଓ ମେସିନ୍‌, ଜେସିବି ଏବଂ ସେଠାରେ ବାଲି ଚାଲାଣରେ ବ୍ୟବହୃତ ଏକାଧିକ ଟ୍ରାକ୍ଟରର ଫଟୋ ଉଠାଇଥିଲେ ବି ଏଡିସନାଲ ତହସିଲଦାର ଶ୍ରୀ ସେଠୀ କୌଣସି ସାମଗ୍ରୀ ଜବତ୍ କରିନଥିଲେ କିମ୍ବା କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିଲେ। ଅନ୍ୟପକ୍ଷରେ ‘ଜିଲ୍ଲାପାଳ କହିଲେ ବୋଲି ଆମେ ଆସିଛୁ, ସମସ୍ତଙ୍କ ପେଟ ପାଟଣା ରହିଛି, ତୁମେ ଅଫିସକୁ ଆସ ସେଠାରେ ବସି ଗୋଟେ ସମାଧାନ କରିବା’ ବୋଲି ଅଭିଯୁକ୍ତଙ୍କୁ ଏଡିସନାଲ ତହସିଲଦାର ଶ୍ରୀ ସେଠୀ କହିବା ସହ ଚଢ଼ଉ ଟିମ୍‌କୁ ନେଇ ସେଠାରୁ ପଳାଇ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ଏଡିସନାଲ ତହସିଲଦାରଙ୍କର ଏହି କାର୍ଯ୍ୟକଳାପ ଦେଖି ଆଚମ୍ବିତ ହୋଇଥିଲେ ମଧ୍ୟ ବାଲି ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ଭୟରେ ଦାବି କରିପାରି ନଥିଲେ। ସବୁଠାରୁ ବଡ଼କଥା ହେଲା ନକଟ ଅତୀତରେ ଛତ୍ରପୁରଠାରେ ହୋଇଥିବା ହତ୍ୟାକାଣ୍ଡ ଭଳି ବାଲି ମାଫିଆମାନେ ପୁଣି ଏକାଧିକ ହତ୍ୟା କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ଚୁପ ରହିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ଫୁଲାଡ଼ି ଫାଣ୍ଡି ଜମାଦାର ସେଣ୍ଡବାବୁ ରାସ୍ତାରୁ ବାଲି ବୋଝେଇ ଏକ ଟ୍ରାକ୍ଟରକୁ ଜବତ୍ ସହ ଫାଣ୍ଡିକୁ ନେଇ ଯାଇଥିଲେ। ତେବେ ଏଡିସନାଲ ତହସିଲଦାରଙ୍କ ଶ୍ରୀ ସେଠୀଙ୍କ ଏଭଳି କାର୍ଯ୍ୟକୁ ନେଇ ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ଘଟଣା ସମ୍ପର୍କରେ ଜାଣିବା ପାଇଁ ତହସିଲଦାର ଅନାମିକା ସିଂ ପୁଣିଥରେ କୁଡ଼ିଆ ହାଇସ୍କୁଲ ପଡ଼ିଆ ନିକଟକୁ ଯାଇଥିଲେ ବି ସେତେବେଳକୁ ଟ୍ରାକ୍ଟର, ବୋଟ୍‌, ମେସିନ୍ କିମ୍ବା ଜେସିବି ସେଠରେ ନଥିଲା। କେବଳ ଏଇ ବାଲି ଚଢ଼ଉ ନୁହେଁ ବରଂ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅସହଯୋଗ ଜିଲ୍ଲାପାଳଙ୍କର କୌଣସି ସାହସିକ ପଦକ୍ଷେପ କାର୍ଯ୍ୟକାରୀରେ ଅନ୍ତରାୟ ଦେଖାଦେଇଛି। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଗୋଟିଏ ଗୋଟିଏ ସିଟ୍‌ରେ ଦୀର୍ଘଦିନ ରହି ଆସିଥିବା ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ସେବା ପ୍ରଦାନ କଥା ତ ଭୁଲିଗଲେଣି, ଅନ୍ୟପକ୍ଷରେ ଜିଲ୍ଳାପାଳଙ୍କୁ ସେମାନଙ୍କ ଅସହଯୋଗ ପ୍ରଶାସନ ପ୍ରତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଚାଲିଛି। ତେବେ ମହଜୁଦ୍ ଥିବା ବାଲିକୁ ନିଲାମ କରିବା ସହ ବୁଢ଼ାବଳଙ୍ଗ ନଦୀର କୁଡ଼ିଆ ହାଇସ୍କୁଲ କୂଳରୁ ବାଲି ଉଠାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ବୁଆଁଳ ପଞ୍ଚାୟତବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.