Home ଅପରାଧ ବୁଲେଟ ସହ ୪ ସହଯୋଗୀ ଗିରଫ, ୭ ବାଇକ୍ ସହ ବହୁ ସାମଗ୍ରୀ ଜବତ

ବୁଲେଟ ସହ ୪ ସହଯୋଗୀ ଗିରଫ, ୭ ବାଇକ୍ ସହ ବହୁ ସାମଗ୍ରୀ ଜବତ

47

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସ୍ଥାନରୁ ଚୋରି କରିଆସୁଥିବା ବୁଲେଟ ଓରଫ ଯଶୋବନ୍ତ କିସ୍କୁ ସମେତ ତାର ସହଯୋଗୀଙ୍କୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଆଜି ଗିରଫ କରି ସେମାନଙ୍କ ନିକଟରୁ ଚୋରି ହୋଇଥିବା ସାମଗ୍ରୀ ସହ ଭଦ୍ରକ ସହରାଞ୍ଚଳ, ବାସୁଦେବପୁର ଓ ଗ୍ରାମାଞ୍ଚଳ ଥାନା ଅଧୀନରେ ଚୋରି ହୋଇଥିବା ୭ଟି ମୋଟର ସାଇକେଲ୍‌କୁ ଜବତ କରିଛନ୍ତି। ତେବେ ଏ ସଂପର୍କରେ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତିନ ପଣ୍ଡା ଦେଇଥିବା ତଥ୍ୟ ଅନୁସାରେ ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ସାକିନପୁର ନିବାସୀ ଅର୍ଜୁନ ଚରଣ ଦାସଙ୍କ ପୁତ୍ର ବସନ୍ତଙ୍କର ସ୍ଥାନୀୟ ରାଣୀତାଲସ୍ଥିତ ବଜରଙ୍ଗୀ ହୋଟେଲର କବାଟ ଭାଙ୍ଗି ଏହି ଦୃବୁର୍ତ୍ତମାନେ ଏକ ସୋନି ଲାଭିଆ ଏଲ୍‌ଇଡି ଟିଭି, ଇନର୍ଭଟର, ବ୍ୟାଟେରୀ, ଗ୍ରାଇଣ୍ଡର ଓ ମୋଟର ପମ୍ପ ସହ ବହୁ ସାମଗ୍ରୀ ଚୋରି କରିନେଇଥିଲେ।

ଏ ସଂପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୩୭୫/୨୫/୭/୨୨, ଦଫା ୪୫୭ / ୩୮୦ ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଥିଲା। ଇତିମଧ୍ୟରେ ରାଣୀତାଲସ୍ଥିତ ଗଣ କିସ୍କୁଙ୍କ ପୁତ୍ର ଯଶୋବନ୍ତ (୩୪) ଓରଫ ବୁଲେଟ ଉପରେ ସନ୍ଦେହ ହେବାରୁ ତାକୁ ଗତକାଲି ରାତିରେ ଗିରଫ କରାଯାଇ ପଚରା ଉଚୁରା ବେଳେ ସେ ଉକ୍ତ ଚୋରି ଓ ଅନ୍ୟାନ୍ୟ ମୋଟର ସାଇକେଲ୍ ଚୋରିରେ ସଂପୃକ୍ତ ଥିବା ବିଷୟ ମାନିଥିଲା। ଏଥିରେ ତାର ସହଯୋଗୀ କୁମ୍ଭୀରଗଡି ରମ୍ଭିଳା ଗ୍ରାମନିବାସୀ ରମାକାନ୍ତ ପରିଡାଙ୍କ ପୁତ୍ର ଗୌତମ (୩୩) ଓ ଉତ୍ତମ (୨୮) ସହ ଅନ୍ୟ ଜଣେ ନାବାଳକ ସଂପୃକ୍ତ ଥିବାର କହିଥିଲା। ଫଳରେ ପୁଲିସ୍ ସେମାନଙ୍କ ଘରେ ଚଢାଉ କରି ସମସ୍ତ ଚୋରି ଜିନିଷ ଉଦ୍ଧାର ସହ ସେମାନେ ବ୍ୟବହାର କରୁଥିବା ୨ଟି ମୋଟର ସାଇକେଲ୍ ସହ ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ଅନ୍ୟ ୫ଟି ମୋଟର ସାଇକେଲ୍ ଜବତ କରିଛନ୍ତି। ତଦନ୍ତ କାଳରେ ଏମାନେ କେବଳ ଭଦ୍ରକ ଜିଲା ନୁହେଁ, ବାଲେଶ୍ୱର ଓ ଅନ୍ୟ ଅଂଚଳରେ ବହୁ ଚୋରିର ସଂପୃକ୍ତ ଥିବା ବିଷୟ କହିଛନ୍ତି। ଏମାନଙ୍କ ନାମରେ ଭଦ୍ରକ ସହରାଞ୍ଚଳ, ବାସୁଦେବପୁର ଥାନା ଓ ଗ୍ରାମାଞ୍ଚଳ ଥାନାରେ ଏକାଧିକ କେଶ୍ ରହିଛି। ପୁଲିସ୍ ଏମାନଙ୍କ ନିକଟରୁ ୭ଟି ମୋଟର ସାଇକେଲ, ସମସ୍ତ ଚୋରି ଜିନିଷ ସହ ଗୋଟିଏ କଟୁରୀ, ୩ଟି ଲୁହା ରଡ୍ ଓ ଗୋଟିଏ ଖଣ୍ଡା ମାରଣାସ୍ତ୍ର ଜବତ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.