Home ଜିଲ୍ଲା ପରିକ୍ରମା ବୁଢା ଗଣେଶ ଭସାଣୀ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର

ବୁଢା ଗଣେଶ ଭସାଣୀ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର

20

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ବାବା ବୁଢା ଗଣେଶଙ୍କ ଭସାଣୀ ଶୋଭାଯାତ୍ରାରେ ଦୁଲୁକିଲା ଭଦ୍ରକ ସହର । ବିଭିନ୍ନ ଆଧୁନିକ ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଏହି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଏହାକୁ ଖୁବ୍ ଉପଭୋଗ କରିଛନ୍ତି ଭଦ୍ରକ ତଥା ଜିଲା ବାହାରର ବହୁ ଶ୍ରଦ୍ଧାଳୁ । ରାଜ୍ୟର ବିଭିନ୍ନ ଜିଲାରୁ ବାଦ୍ୟ, ନୃତ୍ୟ ଓ ପାରମ୍ପରିକ କାର୍ଯ୍ୟକ୍ରମ ଏଥିରେ ସାମିଲ ହୋଇଛନ୍ତି । ମୋଗଲ ଶାସନର ବହୁ ପୂର୍ବରୁ ଭଦ୍ରକର ବୁଢ଼ା ଗଣେଶ ଏ ଅଞ୍ଚଳର ଉଭୟ ହିନ୍ଦୁ ଓ ମୁସଲାମାନଙ୍କୁ ଯେଉଁ ଅପୂର୍ବ ଭାଇଚାରା ଓ ସଦ୍‌ଭାବନା ସୂତ୍ରରେ ବାନ୍ଧି ରଖିଛି, ତାହା ବାସ୍ତବିକ୍ ବିରଳ । ଯାହାର ଭସାଣି ଉତ୍ସବ ମୂର୍ତ୍ତି ପୂଜନର ଦୀର୍ଘ ମାସେ ପରେ ପରମ୍ପରା ଅନୁଯାୟୀ ମହାସମାରୋହରେ ପାଳିତ ହୋଇଆସୁଥିଲା । ଭଦ୍ରକ ସହରର ମୁଖ୍ୟ ବାଣିଜ୍ୟିକ ପେଣ୍ଠଭାବେ ପରିଚିତ ପୁରୁଣା ବଜାରର ଏହି ବୁଢ଼ା ଗଣେଶଙ୍କ ପୂଜନର ଇତିହାସ ପ୍ରାୟ ୫ଶହ ବର୍ଷ ତଳର । ‘ବୋଇତ ଯୁଗର ବୁଢ଼ା ଗଣେଶ’ ପୁସ୍ତକରୁ ଜଣାଯାଏ, ସେତେବେଳେ ସାଧବମାନେ ଏହି ବୁଢ଼ାଗଣେଶଙ୍କୁ ପ୍ରତଷ୍ଠା କରିଥିଲେ । ସେହି ସମୟରୁ ଏଯାବତ୍ ପୁରୁଷାନୁକ୍ରମେ ଏ ଅଞ୍ଚଳର ଉଭୟ ହିନ୍ଦୁ ଓ ମୁସଲମାନମାନେ ଏହି ଦେବତାଙ୍କୁ ପ୍ରତିବର୍ଷ ପ୍ରତିଷ୍ଠାକରି ପାରମ୍ପରିକ ରୀତିରେ ପୂଜାକରି ଆସୁଛନ୍ତି ।

ଏହି ପୂଜା ପଦ୍ଧତିରେ ଉଭୟ ସମ୍ପ୍ରଦାୟ ମଧ୍ୟରେ କୌଣସି ଭେଦଭାବ ନଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ନିଜର ମାନସିକ ନଡ଼ିଆ ରଖି ବୁଢ଼ାଗଣେଶଙ୍କୁ ମନସ୍କାମନା ପୂରଣର କାମନା କରନ୍ତି ବୋଲି ଉଭୟ ସମ୍ପ୍ରଦାୟର ବିଶ୍ୱାସ ରହିଛି । ପ୍ରତ୍ୟେକ ବର୍ଷ ଶ୍ରୀଗଣେଶ ତିଥିରେ ଏହି ମୂର୍ତ୍ତି ନିର୍ମାଣ ହୋଇ ମାସାଧିକ କାଳ ନିଜ ଆସ୍ଥାନରେ ପୂଜାପାଇ ଆଜିର ଦିନରେ ସାଳନ୍ଦୀ ନଦୀର ଆଶ୍ରମ ଘାଟରେ ବିସର୍ଜିତ ହୋଇଥାନ୍ତି । ପ୍ରବାଦ ଅଛି ଭସାଣିବେଳେ ବୁଢ଼ାଗଣେଶଙ୍କ କାନରେ ଯିଏ ଯାହା ମନାସୀ ଥାଏ, ତାହା ପୂରଣ ହୁଏ । ବୁଢ଼ାଗଣେଶଙ୍କର ବିଶେଷତ୍ୱ ରହିଛି ଯେ ଏହି ଉତ୍ସବର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଭକ୍ତଙ୍କ ମାନସିକ ଦାନରେ ସମ୍ପନ୍ନ ହୋଇଥାଏ । ଏବଂ ଆରମ୍ଭରୁ ଏପର୍ଯ୍ୟନ୍ତ ପୂର୍ବ ଗୋଟିଏ ଢ଼ାଞ୍ଚାରେ ବିଭିନ୍ନ ଶିଳ୍ପୀଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ହୋଇଆସୁଛି । ମୂଳ ମୂର୍ତ୍ତିଙ୍କର ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଘଟିନାହିଁ । ଏହା ହିଁ ଠାକୁରଙ୍କ ମହିମା ବୋଲି ଉଭୟ ସମ୍ପ୍ରଦାୟକର ଭକ୍ତଙ୍କର ବିଶ୍ୱାସ ରହିଛି । ଶାନ୍ତି-ଶୃଙ୍ଖଳା ରକ୍ଷାକରିବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି,ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.