Home ଓଡ଼ିଶା ବିଶ୍ୱ ଶାନ୍ତି ଚାହେଁ ରକ୍ତପାତ ନୁହେଁ – ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ଜିଲ୍ଲା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ...

ବିଶ୍ୱ ଶାନ୍ତି ଚାହେଁ ରକ୍ତପାତ ନୁହେଁ – ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ଜିଲ୍ଲା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦାନ

38

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଦେଶ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଭଦ୍ରକ ଜିଲ୍ଲା ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନ ଅବିସ୍ମରଣୀୟ। ଭାରତୀୟ ସ୍ୱାଧୀନତା ପ୍ରାପ୍ତିରେ ଗାନ୍ଧିଜୀ, ନେତାଜୀ ପ୍ରଭୃତିଙ୍କ ସ୍ମୃତିଚାରଣ କରିବା ସହିତ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ଐତିହାସିକ ଆନ୍ଦୋଳନ ପାଇକ ବିଦ୍ରୋହର ଗାରିମା କିପରି ମହନୀୟ ଆନ୍ଧ୍ରପ୍ରଦେଶ ରାଜ୍ୟର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଦୁଇଦିନିଆ ଗ୍ରସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକର ଟାଉନ୍‌ହଲ୍ ଠାରେ ଭଦ୍ରକ ଜିଲା୍ଲ ନାଗରିକ ସମ୍ବର୍ଦ୍ଧନା ସମିତି ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ତାହା ପ୍ରକାଶ କରିଥିଲେ। ଆଜି ସାରା ବିଶ୍ୱ ଯୁଦ୍ଧ ନୁହେଁ ଶାନ୍ତି ଚାହେଁ ବୋଲି ବୁଝାଇଥିଲେଳ। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟତମ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ଏମ୍‌.ପି ଅନନ୍ତ ସେଠୀ, ନାଗରିକ ସମ୍ବର୍ଦ୍ଧନା ସମିତିର ସଭାପତି ସମାଜସେବୀ, ସାହିତ୍ୟିକ ଦୀନବନ୍ଧୁ ପତି, ସମ୍ପାଦକ ବିଶିଷ୍ଟ ସମାଜସେବୀ ପଞ୍ଚାନନ ରାଉତ ପ୍ରମୁଖ ରାଜ୍ୟପାଳଙ୍କ ସହ ମଞ୍ଚାସୀନ ଥିଲେ।

ରାଜ୍ୟପାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମ୍ବର୍ଦ୍ଧନା ସଭାର ଉଦ୍‌ଘାଟନ ପରେ ସମିତିର ସଭାପତି ଶ୍ରୀଯୁକ୍ତ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥିମାନେ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ବ୍ୟକ୍ତିତ୍ୱ ଓ ପ୍ରତିଭାର ବିଭିନ୍ନ ଦିଗ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସେ କିପରି ଜଣେ ପ୍ରବୀଣ ରାଜନୀତିଜ୍ଞ, ପ୍ରତିଷ୍ଠିତ ଆଇନଜ୍ଞ, ପୂର୍ବତନ ମନ୍ତ୍ରୀ ହିସାବରେ ଜଣେ ବଳିଷ୍ଠ ପ୍ରଶାସକ, ସାହିତ୍ୟିକ, କର୍ମଠ ସର୍ବୋପରି ପ୍ରତିଭାବାନ୍ ପୁରୁଷ ଥିଲେ ସେ ଦିଗରେ ଅତିଥିମାନେ ପ୍ରକାଶ କରିଥିଲେ। ସ୍ୱର୍ଗତ ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁସେଠୀଙ୍କ ମାନସ ସନ୍ତାନ ‘ଘାସଫୁଲ’ର ଲୋକର୍ପଣ ସାଙ୍ଗକୁ ରାଜ୍ୟପାଳଙ୍କ କରକମଳରେ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ରଚିତ ପୁସ୍ତକ ‘କୃପା’, ନାଟ୍ୟକାର ନିର୍ମଳ ରାଉତଙ୍କ ନାଟକ ପୁସ୍ତକ ‘ମାଟି ଲଣ୍ଠନ’, ଲେଖିକା ଝୁରଣବାଳା ଖୁଣ୍ଟିଆଙ୍କ ପୁସ୍ତକ ‘କୃଷ୍ଣ ସଙ୍ଗିନୀ’ ଉନ୍ମୋଚିତ ହୋଇଥିଲା।

ପରେ ପରେ ଭଦ୍ରକ ରୋଟାରୀ କ୍ଲବ ମିଡ଼୍ ଟାଉନ୍‌, ଲାୟନସ୍ କ୍ଲବ୍‌, ଗୋଶାଳା, ତ୍ୟାଗଭୂମି, ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଭଦ୍ରକ ସାହିତ୍ୟ ପରିଷଦ, ଲେଖକ ସାମ୍ମୁଖ୍ୟ, ଆସିଆନା, ବରିଷ୍ଠ ନାଗରିକ ମହାସଂଘ, ନାଟ୍ୟ ପରିଷଦ, ଭଦ୍ରକ ସାଂସ୍କୃତିକ ପରିଷଦ, ଗାନ୍ଧୀ ଓଡ଼ିଶା ମଞ୍ଚ ଆଦି ବିଭିନ୍ନ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ସଦସ୍ୟମାନଙ୍କ ସହିତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏପରିକି ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ମଧ୍ୟ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ, ନାନାଦି ଉପଢ଼ୌକନ, ମାନପତ୍ର ଅଦି ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସହିତ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା ବେଳେ ଶ୍ରୀଜଗନ୍ନାଥ ସାଂସ୍କୃତିକ କଳାକାର ସଂଘର ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକଙ୍କ ନେତୃତ୍ୱରେ କଳାକାରମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା, ଡ଼ି.ଏସ୍‌.ପି. ଡ଼ି.ଆଇ.ବି କମଳ ଲୋଚନ ଭୂୟାଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.