Home ଜିଲ୍ଲା ପରିକ୍ରମା ବିଶିଷ୍ଟ କ୍ରୀଡ଼ାବିତ୍ ଓ ସଂଗଠକ ସୁରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକସଭା

ବିଶିଷ୍ଟ କ୍ରୀଡ଼ାବିତ୍ ଓ ସଂଗଠକ ସୁରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକସଭା

11

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁରେନ୍ଦ୍ର ମହାନ୍ତି ଭଦ୍ରକ ଜିଲ୍ଲାର କ୍ରୀଡ଼ା ଜଗତରେ ଜଣେ କିମ୍ବଦନ୍ତୀ ଥିଲେ । ଖାଦ୍ୟପେୟ ଓ ପୋଷାକପତ୍ରରେ ତାଙ୍କର ରୁଚି ନଥିଲା । ନିଜ ପରିବାର କଥା କିଛି ବୁଝୁନଥିଲେ କିନ୍ତୁ ଭଦ୍ରକ ଜିଲ୍ଲାର କ୍ରୀଡ଼ା ଜଗତରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସକ୍ରିୟ ଥିଲେ । ୟୁନାଇଟେଡ୍ କ୍ଲବ୍‌ର ଜଣେ ଫୁଟ୍‌ବଲ୍ କ୍ରୀଡ଼ାବିତ୍ ଭାବେ ତାଙ୍କର ଜୀବନ ଆରମ୍ଭ । ଜଣେ ପ୍ରତିଭା ସମ୍ପନ୍ନ ଫୁଟ୍‌ବଲ୍ ଖେଳାଳୀ ଭାବେ ନିଜ ପାଇଁ ସାରା ଓଡ଼ିଶାରେ ପରିଚୟ ସୃଷ୍ଟି କରିବା ସହ ୟୁନାଇଟେଡ୍ କ୍ଲବ୍ ପାଇଁ ପ୍ରତିଷ୍ଠା ଆଣିଦେଇଥିଲେ । ଫୁଟ୍‌ବଲ୍‌ରୁ ଅବସର ନେବା ପରେ ସେ ଜଣେ କ୍ରୀଡ଼ା ସଂଗଠକ ଭାବେ ପ୍ରସିଦ୍ଧ ଥିଲେ । ଭଦ୍ରକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍ ଓ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌, ଉଭୟ ଅନୁଷ୍ଠାନର ସେ ଥିଲେ ଯୁଗ୍ମସଂପାଦକ । ୭୨ ବର୍ଷ ବୟସରେ ଦୀର୍ଘ ଅସୁସ୍ଥତା ହେତୁ ସେ ୨୪ ତାରିଖ ମଧ୍ୟାହ୍ନରେ ଇହଲୀଲା ସମ୍ବରଣ କରିଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ପ୍ରାର୍ଥନା ସଭା ଭଦ୍ରକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍‌, ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଓ ୟୁନାଇଟେଡ୍ କ୍ଲବ୍‌ର ମିଳିତ ଆହ୍ୱାନ କ୍ରମେ ଚରମ୍ପାସ୍ଥିତ ହ୍ୟାପ୍ପିହୋମ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାର ଶତାଧିକ କ୍ରୀଡ଼ାବିତ୍ ଯୋଗ ଦେଇ ଦିବଂଗତ ସୁରେନ୍ଦ୍ର ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

ଆଥ୍‌ଲେଟିକ୍ ଆସୋସିଏସନ୍‌ର ଉପସଭାପତି ତଥା ୟୁନାଇଟେଡ୍ କ୍ଲବ୍‌ର ପୂର୍ବତନ ସାଧାରଣ ସଂପାଦକ ଅଧ୍ୟାପକ ବିଜୟ କୁମାର ଜେନାଙ୍କ ସଂଚାଳନରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ପୂର୍ବତନ ବିଧାୟକ ନରେନ୍ ପଲାଇ, ବରିଷ୍ଠ ଆଇନଜୀବୀ ଯତିକାନ୍ତ ନାୟକ, କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର କୁମାର ବାରିକ୍‌, ଉଭୟ ଜିଲ୍ଲା ଆଥ୍‌ଲେଟିକ୍ ଓ କ୍ରିକେଟ୍ ଆସୋସିଏସନ୍‌ର ସାଧାରଣ ସଂପାଦକ ଧୀରେନ୍ ପଲାଇ, ଯୁଗ୍ମସଂପାଦକ ନୀଳମାଧବ ଦାସ, ୟୁନାଇଟେଡ୍ କ୍ଲବ୍‌ର ପୂର୍ବତନ ଫୁଟବଲ୍ କ୍ରୀଡ଼ାବିତ୍ ମକରଧର ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖି ସୁରେନ୍ଦ୍ର ମହାନ୍ତିଙ୍କ ସହିତ ସେମାନଙ୍କ ସମ୍ପର୍କର କିଛି ଅତୀତର ସ୍ମୃତିଚାରଣ କରିଥିଲେ ଯାହା ବାତାବରଣକୁ ଗମ୍ଭୀର କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ସମସାମୟିକ କ୍ରୀଡ଼ାବିତ୍ ପ୍ରଶାନ୍ତ ମହାନ୍ତି, ହିମାଂଶୁ ଶେଖର ଦାସ, ଶୁକଦେବ ନାୟକ, ସେକ୍ ନାସିର୍ ଅଲ୍ଲୀ, ସୁଶୀଲ୍ ପଟ୍ଟନାୟକ, ଦିଲ୍ଲୀପ ନାୟକ, ରବିନାରାୟଣ ଓଝା, ମହେନ୍ଦ୍ର ନାୟକ, ଓଡ଼ିଶା ବାର୍ କାଉନ୍‌ସିଲ୍ ସଦସ୍ୟ ପବନ ଶର୍ମା, ଭଦ୍ରକ ମ୍ୟୁନିସିପାଲିଟିର କାଉନ୍‌ସିଲ୍‌ର ଦିଲ୍ଲୀପ୍ ନାୟକ, କାଉନ୍‌ସିଲ୍‌ର ସେକ୍ ସମ୍‌ଦାନୀ, ରତିକାନ୍ତ ପରିଡ଼ା, ବିଜୟ ଲଖାନୀ, ଲକ୍ଷ୍ମୀଧର ଜେନା, ୟୁନାଇଟେଡ୍ କ୍ଲବ୍‌ର ସଭାପତି ବିଶାଳ ଗୋପାଳ ଲଖାନୀ, ସାଧାରଣ ସଂପାଦକ ନୁର୍ ମହମ୍ମଦ୍ ଖାନ୍‌, ଉପସଭାପତି ଅନୂପ୍ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଜେନା, ବିଜୟଭାନୁ କ୍ରିକେଟ୍ ଏକାଡ଼େମୀର ପ୍ରତିଷ୍ଠାତା ତଥା ଟିମ୍‌-ଓଡ଼ିଶା କୋଚ୍ କେ.ଭି.ପ୍ରସାଦ, ୟୁନାଇଟେଡ୍ କ୍ଲବ୍ କ୍ରିକେଟ୍ କୋଚ୍ ଚନ୍ଦନ ନାୟକ ପ୍ରମୁଖ ଏହି ପ୍ରାର୍ଥନା ସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଇନଜୀବୀ ଅତିଶ୍ ବେହେରା ଶେଷ ଶବ୍ଦ ରଖିବା ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଦିବଂଗତ ସୁରେନ୍ଦ୍ର ମହାନ୍ତିଙ୍କ ସହିତ ସମ୍ପର୍କକୁ ସମ୍ମାନ ଜଣାଇ ଉପସ୍ଥିତ ଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.