Home ଓଡ଼ିଶା ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘର କାନ୍ଥ ପଡ଼ି ସ୍ବାମୀ ମୃତ , ସ୍ତ୍ରୀ ଗୁରୁତର,...

ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘର କାନ୍ଥ ପଡ଼ି ସ୍ବାମୀ ମୃତ , ସ୍ତ୍ରୀ ଗୁରୁତର, ଜୋଇଁ ଆହାତ

422

ହରିଚନ୍ଦନପୁର, ତା ୨୪ ଅକ୍ଟୋବର(ଓଡିଆ ପୁଆ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମିଶ୍ରମାଳ ଗ୍ରାମରେ ଘର କାନ୍ଥ ପଡି ସ୍ବାମୀ ମୃତ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ ଗତ କାଲି ରାତି ଖାଇ ସାରି ଘର ଭିତରେ ମକରା ମୁଣ୍ଡା(୫୦) ଓ ତାଙ୍କ ପତ୍ନୀ ସମ୍ବାରୀ ମୁଣ୍ଡା(୪୫) ଘରର ଜୋଇଁ ମୁନା ମୁଣ୍ଡା ଶୋଇଥିଲେ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାତି ପ୍ରାୟ ୧ ଘଟିକା ୧୫ ମିନିଟ୍ ସମୟରେ ଘରର କାନ୍ଥ ପଡ଼ି ଯାଇଥିଲା । ଫଳରେ କାନ୍ଥ ମଧ୍ୟରେ ଚାପି ହୋଇ ମକରା ଓ ପତ୍ନୀ ସମ୍ବାରୀଙ୍କ ସହ ଜୋଇଁ ମୁନା ଗୁରୁତର ହୋଇଥିଲେ । କାନ୍ଥ ପଡ଼ି ଯିବାର ଶଦ୍ଦ ଶୁଣି ଘରର ଆର ପାଖରେ ଶୋଇଥିବା ପୁଅ କରମୁ ମୁଣ୍ଡା ନିଦରୁ ଉଠି ଘର କାନ୍ଥ ତଳେ ବାପା ମାଆ ଚାପି ହୋଇରହିଥିବାର ଦେଖିବାକୁ ପାଇଥିଲା । ସଙ୍ଗେ ସଙ୍ଗେ ପଡୋଶୀକୁ ଡାକି କାନ୍ଥ ଉଠାଇ ବାପା ମା ଓ ଭିଣୋଇଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଳୟ ପହଞ୍ଚିବା ପୂର୍ବରୁ ଅଧା ରାସ୍ତାରେ ବାପା ମକରା ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ସମ୍ବାରୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଜୋଇଁ ମୁନାଙ୍କ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।
ସରକାରୀ ଯୋଜନା କାହା ପାଇଁ, ଭଙ୍ଗା ଘରେ ବିତୁଥିଲା ଜୀବନ, ଆଜି ସେହି ଘର ନେଲା ଜୀବନ ।
ସରକାରୀ ଗରିବ ଲୋକଙ୍କ ପାଇଁ ବର୍ଷ ତମାମ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ହେଲେ ସେହି ସବୁ ଯୋଜନା ଗୁଡିକ ଠିକ୍ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ହିସାବ କାହା ପାଖରେ ନାହିଁ । କେତେକ ଦୁର୍ନୀତି ଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ଗୁଡିକ ଠିକ୍ ଭାବରେ ରୂପାୟନ ହୋଇ ପାରୁନଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଅନେକ ଗରିବ ଶ୍ରେଣୀର ଲୋକ ଭୋକ ଉପାସରେ ଭଙ୍ଗା ଦଦରା ଘରେ ନିଜ ଜୀବନକୁ ବାଜି ଲଗାଇ ରହୁଛନ୍ତି । ଯାହାକୁ ନେଇ ଜଣକର ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏମିତି ଏକ ଦୁଃଖଦ ଘଟଣା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମ ପଞ୍ଚାୟତର ମିଶ୍ରମାଳ ଦେଖିବାକୁ ମିଳିଛି । ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୀର୍ଘଦିନ ଧରି ଭଙ୍ଗା ଦଦରା କୁଡିଆରେ ବସବାସ କରୁଥିବା ଘରେ ମକରା ମୁଣ୍ଡାଙ୍କ ଜୀବନ ଚାଲିଯାଇଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ମକରା ଘର ଖଣ୍ଡିଏ ପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଳକ କାର୍ଯ୍ୟଳୟକୁ ଦୀର୍ଘଦିନ ହେବ ଦୌଡି ଦୌଡି ବହୁ କଷ୍ଟରେ ଘର ଖଣ୍ଡେ ପାଇଥିଲେ । ହେଲେ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବସବାସ କରୁଥିବା ଭଙ୍ଗା ଘର କାନ୍ଥ ପଡ଼ି ମକରାଙ୍କ ଜୀବନ ଚାଲିଯାଇଛି ।ହୁଏତ ଆଗରୁ ଯଦି ମକରାଙ୍କୁ ସରକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଘର ଖଣ୍ଡିଏ ଦିଆଯାଇଥାଆନ୍ତା ତେବେ ଆଜି ତାଙ୍କର ମୃତ୍ୟୁ ଘଟିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.