Home Coronavirus Outbreak ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର : କ୍ୱାରାଂଟାଇନ କେନ୍ଦ୍ରରେ ଆବଶ୍ୟକୀୟ...

ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର : କ୍ୱାରାଂଟାଇନ କେନ୍ଦ୍ରରେ ଆବଶ୍ୟକୀୟ ଭିତିଭୂମି, ଶୈାଚାଳୟ, ପାନୀୟ ଜଳର ସଠିକ୍ ବ୍ୟବସ୍ଥା କରାଯାଉ : ଶ୍ରୀ ପ୍ରଦୀପ୍ତ ନାଏକ

312

ରାଜ୍ୟ ଭିତରେ ଥିବା ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ ପ୍ରକାଶ କରନ୍ତୁ ରାଜ୍ୟ ସରକାର : ଶ୍ରୀ ପ୍ରଦୀପ୍ତ ନାଏକ

ଭୁବନେଶ୍ୱର, ୦୨/୦୫(ଓଡ଼ିଆ ପୁଅ): ରାଜ୍ୟରେ ଖୋଲାଯାଇଥିବା କ୍ୱାରାଂଟାଇନ କେନ୍ଦ୍ରଗୁଡିକରେ ଯାତାୟତ ପାଇଁ ଯାନବାହନ ଓ ଗମନାଗମନର ସୁବିଧା ରହିବା ନିହାତି ଆବଶ୍ୟକ। ବିଶେଷ ଭାବେ ବାହାର ଅଂଚଳରୁ ଗ୍ରାମଂଚଳକୁ ଆସୁଥିବା ଲୋକମାନଙ୍କ ପାଇଁ ସେଠାକାର ସ୍କୁଲ ଓ କଲେଜମାନଙ୍କଠାରେ କ୍ୱାରାଂଟାଇନ କେନ୍ଦ୍ରମାନ ଖୋଲାଯାଇଛି। ମାତ୍ର ଭିତିଭୂମିର ଅଭାବ ସହିତ ପରିଚାଳନାଗତ ତୃଟି କାରଣରୁ ଅନ୍ତେବାସୀମାନେ କ୍ୱାରାଂଟାଇନ କେନ୍ଦ୍ରରେ ନରହି ସେଠାରୁ ପଳାଇ ଆସି ନିଜ ନିଜ ଘରେ ରହିବା କାରଣରୁ ସମାଜରେ ଗୋଷ୍ଠୀ ସଂକ୍ରମଣର ଭୟ ରହୁଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଶ୍ରୀ ନାଏକ ପତ୍ରରେ ଉଲ୍ଲେଖ କରି କହିଛନ୍ତି ଯେ, ସଂପ୍ରତି ମହାରାଷ୍ଟ୍ରର ପୁନେଠାରୁ ୪ ଜଣ ବ୍ୟକ୍ତି ସାଇକଲ୍ ଯୋଗେ କଳାହାଣ୍ଡି ଜିଲ୍ଲା ଜୁନାଗଡର ମୁନ୍ଦରଗୁଡା ଗ୍ରାମରେ ପହଂଚିଥିଲେ। ସେମାନେ ନିଜ ନାମ ପଂଜୀକରଣ କରିନଥିବା କାରଣରୁ କ୍ୱାରାଂଟାଇନ କେନ୍ଦ୍ରରେ ରହିନଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ହସ୍ତକ୍ଷେପ କାରଣରୁ ସେମାନେ କ୍ୱାରାଂଟାଇନ କେନ୍ଦ୍ରରେ ରହିଥିଲେ। ଏପରିକି କିଛି ଅନ୍ତେବାସୀ ଦିନବେଳା କ୍ୱାରାଂଟାଇନ କେନ୍ଦ୍ରରେ ରହୁଥିବା ସମୟରେ ରାତି ସମୟରେ ନିଜ ନିଜ ଘରକୁ ପଳେଇ ଆସି ଶୋଉଛନ୍ତି। ଏହାକୁ ରୋକିବା ପାଇଁ କ୍ୱାରାଂଟାଇନ କେନ୍ଦ୍ରଗୁଡିକରେ ପୋଲିସ ମୃତୟନ କରାଯିବାକୁ ଶ୍ରୀ ନାୟକ କହିଛନ୍ତି।

ଏଥି ସହ କ୍ୱାରାଂଟାଇନ କେନ୍ଦ୍ରଗୁଡିକରେ ଅନ୍ତେବାସିଙ୍କ ସୁବିଧା ପାଇଁ ଆବଶ୍ୟକୀୟ ସଂଖ୍ୟାରେ ଶୈାଚାଳୟ, ପାନୀୟ ଜଳ ସମେତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ନିହାତି ଆବଶ୍ୟକ ରହିଛି ବୋଲି ଦର୍ଶାଇଥିବା ସହ ଯଥାଶୀଘ୍ର ଏ ସଂପର୍କରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି।

ସେହିପରି ରାଜ୍ୟ ବାହାରେ ଥିବା ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍ ଜାରୀ କରିଛନ୍ତି। ମାତ୍ର ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହି ଶ୍ରମିକମାନଙ୍କ ନାମ ପଂଜୀକରଣ ହେଉନଥିବା କାରଣରୁ କରୋନା ଭୂତାଣୁ ସଂକ୍ରମଣର ଭୟାଭୟତା ରହିଛି। ସ୍ଥାନୀୟ ବିଡିଓମାନେ ଏଥି ପାଇଁ ଇଚ୍ଛାପ୍ରକାଶ କରୁନଥିବା କାରଣରୁ ସେମାନଙ୍କୁ କ୍ୱାରାଂଟାଇନ କେନ୍ଦ୍ରରେ ରଖିବାରେ ଅସୁବିଧା ହେଉଛି। ଆନ୍ତଃ ଜିଲ୍ଲା ଶ୍ରମିକମାନଙ୍କ ଯାତାୟତ ଓ ଗମନାଗମନର ସୁବିଧା ସହ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରୀ କରି ସେମାନଙ୍କୁ ମଧ୍ୟ କ୍ୱାରାଂଟାଇନ କେନ୍ଦ୍ରରେ ରଖିବାର ସୁବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.