Home ଜିଲ୍ଲା ପରିକ୍ରମା ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର

ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର

16

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ସାହାରାଗଡିଆ ଗ୍ରାମରୁ ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର ହୋଇଛି । ଗ୍ରାମର ମାୟାଧର ବେହେରା ଘରକାମ କରିବାକୁ ବୈତରଣୀ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଆଣିଥିଲେ । ଶନିବାର ସନ୍ଧ୍ୟା ସମୟରେ ଟ୍ରାକ୍ଟର ଚାଳକ ମାୟାଧରଙ୍କ ଘର ଆଗରେ ବାଲି ଅନଲୋଡ କରିଦେଇଥିଲା । ରବିବାର ଘର କାମ ପାଇଁ ଶ୍ରମିକଙ୍କ ସହିତ ବାଲି ନେବାକୁ ମାୟାଧର ଆସି ଏକ କଳା ପଥର ଦେଖିଥିଲେ । ବାଲି ଆଡେଇ ଏକ ଶିବ ପାର୍ବତୀ ମୂର୍ତ୍ତିକୁ ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଖବର ଶୁଣି ଶତାଧିକ ଲୋକଙ୍କ ଭିଡ ଜମିଯାଇଥିଲା ମାୟାଧରଙ୍କ ଘରେ । ମାୟାଧରଙ୍କ ପରିବାର ସମେତ ସ୍ଥାନୀୟ ଲୋକମାନେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଥିଲେ । ମାୟାଧର ଏହି ମୂର୍ତ୍ତିଟି ବିଷୟରେ ଅଧିକ ଜାଣିବା ସହିତ ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଇନଟାକ ସଦସ୍ୟ ବିଶ୍ୱମ୍ବର ରାଉତଙ୍କୁ ସମାଜସେବୀ ସରୋଜ ସ୍ୱାଇଁ ଓ ଇଂ ସୁଧାଂଶୁ ବେହେରାଙ୍କ ମାଧ୍ୟମରେ ଖବର ଦେଇଥିଲେ ।

ଏକ ବିରଳ ଗ୍ରାନାଇଟ୍ ଶିଳାରେ ନିର୍ମିତ ଏହି ଦେଢଫୁଟ ଉଚ୍ଚତା ବିଶିଷ୍ଟ ଶିବ-ପାର୍ବତୀଙ୍କ ସହିତ ଶିବଗଣ ଥିବା ମୂର୍ତ୍ତି ଚିହ୍ନି ସଂସ୍କୃତି ବିଭାଗ ଓ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ସୁନୀଲ ପଟ୍ଟନାୟକଙ୍କୁ ଶ୍ରୀ ରାଉତ ସୂଚନା ଦେଇଥିଲେ । ଏହି ମୂର୍ତ୍ତିଟି ଏକାଦଶ ଶତାବ୍ଦୀର ରାବଣାନୁଗ୍ରହ ଶିବପାର୍ବତୀଙ୍କ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହିତ ସୋମବଂଶୀ ରାଜା କର୍ଣ୍ଣ କେଶରୀଙ୍କ ରାଜତ୍ୱ କାଳରେ ନିର୍ମାଣ ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ । ଏଥିସହିତ ଏହି ମୂର୍ତ୍ତିରେ କଳାକୃତି ବିରଳ ବୋଲି କହିଥିଲେ । ଏହି ମୂର୍ତ୍ତିରେ ଶିବ ଓ ମୁଖ ବିହୀନ ପାର୍ବତୀ କୈଳାସ ପର୍ବତ ଉପରେ ରାଜକୀୟ ଆସନରେ ବୃଷଭ ଓ ସିଂହ ବାହନରେ ବସିଥିବା ଓ ଦୁଇ ପାଶ୍ୱର୍ରେ ଗଣେଶ, କାର୍ତ୍ତିକ, ନନ୍ଦୀ, ଭୃନ୍ଦି ଶୋଭା ପାଉଥିବା ଦେଖିବାକୁ ମିଳିଥିବାବେଳେ ଦଶାନନ ରାବଣ ବିଂଶତିକରରେ ଶିବ ପାର୍ବତୀ ଓ ଶିବଗଣ ବସିଥିବା କୈଳାସ ପର୍ବତକୁ ଟେକି ଧରିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ପ୍ରଥମ ଥର ଏହି ବିରଳ ମୂର୍ତ୍ତି ମିଳିଥିବାବେଳେ ଏହାର ସୁରକ୍ଷା ସଂରକ୍ଷଣ ପାଇଁ ମାୟାଧର ଓ ତାଙ୍କ ପରିବାର ଷୋଳମପୁର ମ୍ୟୁଜିୟମ୍‌କୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.