Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ପ୍ରଥମ ଦିନରେ ବେଦମାତା ଓ ଦ୍ୱିତୀୟ ଦିନରେ ମହାକାଳୀ ବେଶରେ...

ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ପ୍ରଥମ ଦିନରେ ବେଦମାତା ଓ ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ପୂଜା ପାଇଲେ

21

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶକ୍ତି ପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପ୍ରଥମ ଦିବସ ରବିବାର ବେଦମାତା ବେଶରେ ପୂଜା ପାଇଥିବା ବେଳେ ସୋମବାର ଦ୍ୱିତୀୟ ଦିବସରେ ମା’ ମହାକାଳୀ ବେଶରେ ପୂଜା ପାଇଛନ୍ତି । ଦୀପାବଳୀ ଦିନ ମା’ଙ୍କର ବେଦମାତା ବେଶ ଦର୍ଶନ କରିବା ପାଇଁ ସକାଳୁ ହଜାର ହଜାର ଭକ୍ତ ଧୂପ, ଦୀପ, ନୈବେଦ୍ୟ ନେଇ ମନ୍ଦିର ବେଢ଼ାରେ ଧାଡ଼ି ଲଗାଇ ପୂଜା ଲାଗି କରିଥିଲେ । ବେଦମାତା ବେଶରେ ମା’ଙ୍କର ମୁଖମଣ୍ଡଳ ହଳଦୀ ବର୍ଣ୍ଣ ଥିବା ବେଳେ ହଂସ ମା’ଙ୍କର ବାହନ ଥିଲା । ବାମ ହସ୍ତ ଯୁଗଳରେ ବେଦ ଓ କମଣ୍ଡଳୁ ଧାରଣ କରିଥିବା ବେଳେ ଦକ୍ଷିଣ ହସ୍ତ ଯୁଗଳରେ ପଦ୍ମ ଓ ଜପାମାଳି ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପୂଜା ପାଇଥିଲେ । ହଳଦିଆ ପାଟବସ୍ତ୍ର ପରିଧାନ କରି ମା’ ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇଥିଲେ । ବେଦ ହେଉଛି ସର୍ବଜ୍ଞାନର ଭଣ୍ଡାର । ସଂସାରରୁ ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନାଲୋକରେ ଦୀପ୍ତ କରିବା ସକାଶେ ସପ୍ତମାତୃକା ବେଶର ପ୍ରଥମ ଦିନରେ ବେଦମାତା ବେଶ ଧାରଣ କରିଥିଲେ ମା’ ଭଦ୍ରକାଳୀ । ବେଦମାତା ବେଶକୁ ଦର୍ଶନ କଲେ ଭକ୍ତ ଧର୍ମ ଓ ପୁଣ୍ୟ ଅର୍ଜନ କରେ ବୋଲି ବିଶ୍ୱାସ କରାଯାଏ ।

ପୀଠରେ ସକାଳୁ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ପଞ୍ଚଦେବତା ପୂଜା ଓ ମଙ୍ଗଳ ଆଳତୀ ପରେ ବିଶ୍ୱଶାନ୍ତି ମହାଯଜ୍ଞର ମାନସିକ କଳସ ଶୋଭାଯାତ୍ରା ବାହାରିଥିଲା । ବାଦ୍ୟ, ଘଣ୍ଟ, ନାମ ସଂକୀର୍ତ୍ତନ ଓ ବେଦମନ୍ତ୍ରରେ ହଜାର ହଜାର ମାନସିକଧାରୀ ଭକ୍ତମାନେ ଏକ ବିରାଟ ପଟୁଆରରେ କଳସ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ଭକ୍ତମାନେ ଘଟରେ ଜଳ ଆଣି ମନ୍ଦିରର କଳସ ମଣ୍ଡପରେ ସ୍ଥାପନା କରି ପୂଜା କରିଛନ୍ତି । ସପ୍ତମାତୃକା ବେଶର ଦ୍ୱିତୀୟ ଦିବସରେ ମା’ ଭଦ୍ରକାଳୀ ମହାକାଳୀ ବେଶରେ ପୂଜା ପାଇଛନ୍ତି । ମା’ ଭଦ୍ରକାଳୀ ପରମ ବୈଷ୍ଣବୀ । ଉଦିତ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ସଦୃଶ ସେ ଶାନ୍ତା, ଭଦ୍ରା ଓ କମନୀୟା । କାଳିପୂଜା ସମୟରେ ବର୍ଷକ ମଧ୍ୟରେ ଗୋଟିଏ ଦିନ ସେ ଉଗ୍ରରୂପ ଧାରଣ କରିଥାନ୍ତି । ଆଜି ମା’ଙ୍କର ମୁଖ ମଣ୍ଡଳ ଶ୍ୟାମଳବର୍ଣ୍ଣ ଥିବା ବେଳେ ନାଲି ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥିଲେ । ରକ୍ତ ଜିହ୍ୱା, ମୁଣ୍ଡମାଳିନୀ, ଖଡ୍ଗଧାରିଣୀ ମା’ ଭଦ୍ରକାଳୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଅଧର୍ମ, ଅସତ୍ୟ, ଅହଙ୍କାର ଓ ଆସୁରିକ ପ୍ରବୃତ୍ତିକୁ ବିନାଶ କରି ସତ୍ୟ ଓ ଧର୍ମ ପଥରେ ଭକ୍ତମାନଙ୍କୁ ପରିଚାଳିତ କରିବା ପାଇଁ ମା’ ଧାରଣ କରିଛନ୍ତି ଉଗ୍ରରୂପ ମହାକାଳୀ ବେଶ । ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ଆହୁତି ପ୍ରଦାନ ସହିତ ଶତଚଣ୍ଡୀ ପାଠ, ବେଦପାଠ, ନାମ ସଂକୀର୍ତ୍ତନ, ଭାଗବତ ପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଆସନ୍ତାକାଲି ମା’ଙ୍କର ରାଜରାଜେଶ୍ୱରୀ ବେଶ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.