Home ଜିଲ୍ଲା ପରିକ୍ରମା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କଲେ ବିଧାୟକ

10

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଓ ମାଳଦା ପଞ୍ଚାୟତର ୪ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ । ସୋମବାର ଅପରାହ୍ନରେ ହୋଇଥିବା ଏହି ଶିଳାନ୍ୟାସ ପ୍ରାରମ୍ଭରେ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ବାହାଣିଆ ଗ୍ରାମକୁ ସଂଯୋଗକାରୀ ଖୋଳାନାଳ ଉପରେ ବିଜୁ ସେତୁର ଶିଳାନ୍ୟାସ କରାଯାଇଥିଲା । ୭କୋଟି, ୧୯ଲକ୍ଷ ୯୧ ହଜାର ୧୮୭ଟଙ୍କା ବ୍ୟୟ ଅଟକଳରେ ୨୦୨୬ ଜାନୁୟାରୀରେ ଶେଷ ହେବାକୁ ଥିବା ଏହି ସେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯିବ । ଏହା ଦ୍ୱାରା ବରାହନୂଆପଡା ଓ ଅନ୍ୟାନ୍ୟ ଗ୍ରାମକୁ ସଡକପଥରେ ସଂଯୋଗ ହୋଇପାରିବ ବୋଲି ଜଣାଯାଇଛି । ବିଧାୟକ ଶ୍ରୀ ସାମଲ ମୁଖ୍ୟଅତିଥି ଭାବେ ଏହି ସେତୁକୁ ବାହାଣିଆ ଠାରେ ଶିଳାନ୍ୟାସ କରିଥିଲେ । ଏହା ସହ ଜଳହରୀ ଶାସନ-ବିରୋଳି ରାସ୍ତାର ଶିଳାନ୍ୟାସ ବିଧାୟକ କରିଥିଲେ । ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ବାଲିଚତିରି ଠାରୁ ବିରୋଳି ଓ ଦେହୁଡିଆନନ୍ଦପୁର ଗ୍ରାମକୁ ସଂଯୋଗ କରୁଥିବା ୪କିଲୋମିଟର ଗ୍ରାମ୍ୟ ଉନ୍ନୟନ ରାସ୍ତାର ୬ କୋଟି ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତାର ପ୍ରଶସ୍ତିକରଣ ସହ ଉଚ୍ଚତା ବୃଦ୍ଧି କରାଯିବ । ଏହାର ଶିଳାନ୍ୟାସ ବାଲିଚତିରି ଠାରେ ବିଧାୟକ କରିଥିଲେ । ଏହି ରାସ୍ତା ମଧ୍ୟରେ ଜଳହରୀ ଶାସନ ଖୋଳାନାଳ ସେତୁ ୩ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି । ଜଳହରୀ ଶାସନ ଠାରେ ଏହାର ଶିଳାନ୍ୟାସ କରାଯାଇଥିଲା । ଦାଣ୍ଡକୂଳ ଠାରୁ ତିଖିଲିଆ ୧.୫ କିଲୋମିଟର ରାସ୍ତା ୬.୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ । ବିରୋଳି ଠାରେ ଏହି ରାସ୍ତାର ଶିଳାନ୍ୟାସ କରାଯାଇଥିଲା । ଏହି ଶିଳାନ୍ୟାସ ଉତ୍ସବରେ ସମାଜସେବୀ ବିରେନ୍ଦ୍ର ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳକେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ଷୋଳମପୁର ସରପଞ୍ଚ ପରମାନନ୍ଦ ନାୟକ, ମାଳଦା ସରପଞ୍ଚ ମିନତୀ ପରିଡା, ସମିତି ସଭ୍ୟା ରିତାଞ୍ଜଳୀ ସାମଲ, ପୂର୍ବତନ ସମିତି ସଦସ୍ୟ ବିଦ୍ୟାଧର ଜେନା, ପ୍ରତ୍ୟୁଷ ସାମଲ, ଭାଗୀରଥି ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.