Home ଜିଲ୍ଲା ପରିକ୍ରମା ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା, ବାଲି ଘାଟରେ ୧୪୪ ଧାରା ଜାରି କରି ମାଫିଆଙ୍କୁ...

ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା, ବାଲି ଘାଟରେ ୧୪୪ ଧାରା ଜାରି କରି ମାଫିଆଙ୍କୁ ସୁରକ୍ଷା ଯୋଗାଉଛି ପ୍ରଶାସନ

8

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନସ୍ଥ ଆନନ୍ଦପୁର ପଂଚାୟତର ବିଭିନ୍ନ ସ୍ଥାନରେ ବୈତରଣୀ ନଦୀରୁ ବାଲି ଚୋରି ରୋକବିା ଲାଗି ଭଦ୍ରକ ଉପଜିଲାପାଳ ଲଗାଇଥିବା ୧୪୪ ଧାରାକୁ ବାଲି ମାଫିଆମାନେ ମାନୁନାହାଁନ୍ତି । ଓଲଟି ପ୍ରଶାସନ ଇଙ୍ଗିତରେ ଏହି ମାଫିଆମାନେ ବୈତରଣୀ ନଦୀରୁ ଅହରହ ବାଲି ଚୋରି କରିଚାଲିଛନ୍ତି । ଏଠାରେ ପ୍ରକାଶ ଥାଉକି ଭଦ୍ରକ ଉପଜିଲାପାଳ ଧାମନଗର ବ୍ଲକ୍‌ର ବୈତରଣୀ ନଦୀର ଯେଉଁସବୁ ବାଲି ଘାଟରେ ୧୪୪ ଧାରା ଲାଗୁ କରିଛନ୍ତି, ସେ ନିୟମକୁ ଫୁ ରେ ଉଡାଇଦେଇ ମାଫିଆମାନେ ବାଲି ଉଠାଉଛନ୍ତି । ଉପଜିଲାପାଳ ଫେବୃୟାରୀ ୨୬ ରେ ତାଙ୍କର ଚିଠି ସଂଖ୍ୟା ୬୭୧/୨୪ ରେ ଆନନ୍ଦପୁର ପଞ୍ଚାୟତର ବିଭିନ୍ନ ବାଲିଘାଟରେ ୧୪୪ ଧାରା ଜାରି କରିଥିଲେ । ନିର୍ଦ୍ଦେଶ ଅନୁସାରେ ଆନନ୍ଦପୁର ମୌଜାର ଖାତା ନଂ ୫୪୮, ପ୍ଲଟ୍ ନଂ ୬୩୯, ଉତେଇପୁର ମୌଜାର ଖାତା ନଂ ୪୮୧/୪୭୯ ପ୍ଲଟ୍ ନଂ ୭୧୬, ୬୯୨ ଓ ୧୩୯୭ ଉପରେ୧୪୪ ଧାରା ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶ ଆସିବା ପରେ ଧାମନଗର ତହସିଲ ପକ୍ଷରୁ ସୁପରଭାଇଜର ଧନେଶ୍ୱର ମାରାଣ୍ଡି ଓ ସୋଧ ରାଜସ୍ୱ ନିରୀକ୍ଷକ ଚୁଲବୁଲ ସିଂ ଆସି ନଦୀଘାଟ ଗୁଡିକରୁ ସଂଯୋଗ କରୁଥିବା ଗଡାରେ ନାଲି ପତାକା ଲଗାଇ ଦେଇଥିଲେ । ଯେଉଁସବୁ ପ୍ଲଟ୍‌ରେ ନାଲି ପତାକା ପୋତାଗଲା, ତାହା ପରଦିନ ଠାରୁ ସେଠାରୁ ପୁଣି ବାଲି ଉଠାଗଲା ।

ଆନନ୍ଦପୁର ପଞ୍ଚାୟତ ଅଧୀନ ମାନଲାପୁର ଗାଁର ପ୍ଲଟ୍ ନଂ ୩୨୩, ୩୨୨ ଓ ୩୨୧ ଉପରେ ଲୁହା ଗଡା କରି ବୈତରଣୀରୁ ବାଲି ଚୋରି ହେଉଛି । ଠିକ୍ ସେମିତି ଏହି ମୌଜାର ପ୍ଲଟ୍ ନଂ ୧୧୪୩ ରେ ହୋଇଥିବା ଗଡାରୁ ବାଲି ଉଠାଯାଉଛି । ୨୦୨୧ ମସିହାରେ ଉତେଇପୁର-୧ ନାମରେ ଏକ ବାଲି ଘାଟ ଥିବାବେଳେ ମଝିରେ କିଛିଦିନ ଘାଟ ବନ୍ଦ ହୋଇଥିଲା । ଏବେ ସେହିଘାଟରୁ ବାଲି ଉଠାଯାଉଛି । ଏଠାରେ ସୂଚନାଯୋଗ୍ୟ ୧୪୪ ଧାରା ଜାରି କରିବା ପରେ ନିୟମ ଉଲ୍ଲଂଘନ କଲେ ବାଲିମାଫିଆଙ୍କ ଉପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବାବେଳେ ଏହି ଧାରା ଜାରି ପରେ ମାଫିଆମାନେ ଅଧିକ ସଂଖ୍ୟାରେ ବାଲି ଚୋରି କରୁଛନ୍ତି । ଯାହାଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି । କିଛିଦିନ ପୂର୍ବରୁ ଗଣମାଧ୍ୟମରେ ଉପଜିଲାପାଳଙ୍କ ଦ୍ୱାରା ଲାଗୁ ହୋଇଥିବା ଧା୧୪୪ରାକୁ କେହି ମାନୁନାହାଁନ୍ତି ବୋଲି ଖବର ପ୍ରକାଶ ପାଇବା ପରେ ବି ଧାମନଗର ତହସିଲ କିମ୍ବା ପୁଲିସ୍ ପକ୍ଷରୁ ଏସବୁ ସ୍ଥାନରେ କେଉଁଠି ଚଢାଉ କରାଯାଇନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସେପଟେ ଏ ନେଇ ଧାମନଗର ତହସିଲଦାର ଦୀପକ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ “ଆମ ପାଖରେ କର୍ମଚାରୀଙ୍କ ଅଭାବ, କ୍ଷେତ୍ରୀୟ କର୍ମଚାରୀମାନେ ନିର୍ବାଚନ ପାଇଁ ଟ୍ରେନିଂରେ ଯାଇଛନ୍ତି, ଏଣୁ ସବୁବେଳେ ଚଢାଉ କରିବା ସମ୍ଭବ ହେଉନାହିଁ । ତଥାପି ଯେତେବେଳେ ସୁଯୋଗ ମିଳୁଛି, ବେଆଇନ୍ ବାଲି ଚାଳାଣ ରୋକିବା ଲାଗି ପଦକ୍ଷେପ ନିଆଯାଉଛି । ଏତଦ୍‌ବ୍ୟତୀତ ବାଲିଘାଟ ପରିଚାଳନା ଦାୟିତ୍ୱ ଖଣି ବିଭାଗ ଅଧୀନରେ ରହିଥିବାରୁ ସେମାନେ ଏ ନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।” ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.