Home ଜିଲ୍ଲା ପରିକ୍ରମା ବିଭାଗୀୟ ଉଦାସୀନତାରୁ ପୋତି ହୋଇ ପଡ଼ିଛି କେନାଲ, ଆସନ୍ତାକାଲି ଚାଷୀଙ୍କ ରାସ୍ତା ଅବରୋଧ ନିଷ୍ପତ୍ତି

ବିଭାଗୀୟ ଉଦାସୀନତାରୁ ପୋତି ହୋଇ ପଡ଼ିଛି କେନାଲ, ଆସନ୍ତାକାଲି ଚାଷୀଙ୍କ ରାସ୍ତା ଅବରୋଧ ନିଷ୍ପତ୍ତି

50

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୌସୁମୀର ଲୁଚକାଳି ଖେଳ ଚାଷୀଙ୍କୁ ପ୍ରଭାବିତ କରିଛି । ଜିଲ୍ଲାରେ ୮୦ ପ୍ରତିଶତ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । କେତେକ ସ୍ଥାନରେ ଜଳସେଚନର ସୁବିଧାର ଭିତ୍ତିଭୂମୀ ଥାଇ ମଧ୍ୟ ଦୁର୍ବଳ ପରିଚାଳନା ଯୋଗୁଁ ଏହା ଚାଷୀଙ୍କ ସ୍ୱାର୍ଥରେ ଆସୁ ନାହିଁ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଆନନ୍ଦବଜାର ନିକଟରେ । ଏହି ଅଞ୍ଚଳ ଦେଇ ଯାଇଛି ୭ନମ୍ବର କେନାଲ । ଏହି ଅଞ୍ଚଳର ପ୍ରାୟ ୭/୮ଟି ଗ୍ରାମର ଶତାଧିକ ଚାଷୀଙ୍କ ପାଇଁ ଏହା ଜୀବନ ରେଖା ପରି । କିନ୍ତୁ ପରିଚାଳନାଗତ ତ୍ରୁଟି ଓ ବିଭାଗୀୟ ତତ୍ପରତା ଅଭାବରୁ ଏହି ଜଳସେଚନର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଯାହାକି ଖରିଫ ଋତୁରେ ଚାଷୀଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଦେଇଛି । କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଉଛି କେନାଲର ସଂସ୍କାର ପାଇଁ । କିନ୍ତୁ ନାମକୁ ମାତ୍ର କାର୍ଯ୍ୟ କରାଯାଇ ସମସ୍ତ ଅର୍ଥକୁ ହଡ଼ପ କରାଯାଉଛି ବୋଲି ଆନନ୍ଦବଜାର ଚାଷୀ ଏକତା ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଛି । ମଞ୍ଚର ନେତା ସପନ ଦାସଙ୍କ କହିବାନୁଯାୟୀ ଅନନ୍ତପୁର ନିକଟସ୍ଥ ବୁଢ଼ୀଗଡ଼ିଆ ପୋଲ ଠାରୁ ଆନ୍ଦବଜାର ପର୍ଯ୍ୟନ୍ତ କେନାଲଟି ପୋତି ପଡିଛି । ଉକ୍ତ ପୋଲର ତ୍ରୁଟିପୂର୍ଣ୍ଣ ନିର୍ମାଣ ପାଇଁ ଏହି ସ୍ଥାନରୁ ଦିନାରୀ ପର୍ଯ୍ୟନ୍ତ ଆବଶ୍ୟକ ସମୟରେ ଜଳ ପ୍ରବାହ ଠିକ ରହୁନଥିବାରୁ ମନୁଷ୍ୟକୃତ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି ଚାଷୀ । ଦୀର୍ଘ ୫ବର୍ଷ ଧରି ମଞ୍ଚ ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ଜଳ ସମ୍ପଦ ସଚିବ, ୫ଟି ସଚିବଙ୍କୁ ମଧ୍ୟ ଟ୍ୟୁଟ୍ କରି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାିଛି । କିନ୍ତୁ କୌଣସି ସମାଧାନ ହୋଇ ନାହିଁ । ନାମକୁ ମାତ୍ର ଲୋକ ଦେଖାଣିଆ ଭାବେ କାର୍ଯ୍ୟ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଛି । ୧୦ରୁ ୧୫ଜଣ ଶ୍ରମିକଙ୍କୁ ନେଇ ଘାସ ଚାଞ୍ଛି ବିଲ୍ କରାଯାଉଛି । ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ କିଛି ଦିନ ପୂର୍ବେ ଅନୁରୋଧ କରାଯାଇଥିଲା । ଏଦିଗରେ ପଦକ୍ଷେପ ନିଆନଗଲେ, ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ଚେତାବନୀ ଦିଆଯାଇଥିଲା । ଏହି କ୍ରମରେ ଆସନ୍ତାକାଲି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ମଞ୍ଚ ପକ୍ଷରୁ ଆନନ୍ଦବଜାର ଠାରେ ଭଦ୍ରକ-ଆଖଣ୍ଡଳମଣୀ ରାଜପଥକୁ ଅବରୋଧ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.