Home ଜିଲ୍ଲା ପରିକ୍ରମା ଭଦ୍ରକ ସହରର ପ୍ରତିଷ୍ଠିତ ବଙ୍କସ୍କୁଲ ପରିସର ବଦନାମ ଗଳିରେ ପରିଣତ, ନିଶା ମାଫିଆ ଓ ଦେହଜୀବୀଙ୍କ...

ଭଦ୍ରକ ସହରର ପ୍ରତିଷ୍ଠିତ ବଙ୍କସ୍କୁଲ ପରିସର ବଦନାମ ଗଳିରେ ପରିଣତ, ନିଶା ମାଫିଆ ଓ ଦେହଜୀବୀଙ୍କ କବ୍‌ଜାରେ ମୂଲ୍ୟବାନ ସରକାରୀ ଜମି

58

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର କେନ୍ଦ୍ରସ୍ଥଳରେ ପ୍ରତିଷ୍ଠିତ ବହୁ ପୁରାତନ ବଙ୍କ ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଶ୍ୱର୍ବର୍ତ୍ତୀ ଅଂଚଳ ଏବେ ବଦନାମ ଗଳିରେ ପରିଣତ ହୋଇଛି । ଯଦିଓ ଏହା ନିକଟରେ ଭଦ୍ରକର ପୂର୍ବତନ ମନ୍ତ୍ରୀ ତଥା ତତ୍‌କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ବାସଭବନ ସମେତ ବହୁ ଡାକ୍ତର, ଆଇନ୍‌ଜୀବୀ, ସାମ୍ବାଦିକ ଓ ଶିକ୍ଷାବିତ୍‌ଙ୍କ ବାସଭବନ ରହିଛି, ତେବେ ବି ଏହାର ସମ୍ମୁଖ ଓ ପାଶ୍ୱର୍ବର୍ତ୍ତୀ ଅଂଚଳ ଏବେ ବହୁ ସରକାରୀ ଜମି ଜବରଦଖଲ ଜନିତ ଅସାମାଜିକ ତତ୍ତ୍ୱଙ୍କ କବ୍‌ଜାରେ ରହିଛି । ଏହି ବ୍ୟକ୍ତିମାନେ ମଦ, ଗଂଜେଇ ଓ ବ୍ରାଉନସୁଗାର ଭଳି ଚୋରା ନିଶା କାରବାରରେ ଲିପ୍ତ ଥାଇ ଦେହଜୀବୀ ବ୍ୟବସାୟ ମଧ୍ୟ ଚଳାଇ ଆସୁଛନ୍ତି । ଯାହାର ନଜିର ବିଗତ ଦିନର ପୁଲିସ୍ ଫାଇଲ୍‌ରୁ ସହଜରେ ଅନୁମେୟ । ଏହି ଅଂଚଳ ଉପରେ ପ୍ରତି ଦୁଇମାସରେ ଥରେ ସହରାଞ୍ଚଳ ଥାନା ପୁଲିସ୍‌, ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇ ବିପୁଳ ପରିମାଣର ଚୋରା ମଦ, ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ ଏହା ରୋକାଯିବାରେ ନାଁ ଗନ୍ଧ ଧରୁନାହିଁ । ଏହି ଚୋରା କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ପଛରେ କେତେକ କିଙ୍ଗପିନ୍ ନିଶା ମାଫିଆଙ୍କ ପ୍ରଛନ୍ନ ହାତ ରହୁଥିବାରୁ ସେମାନେ ବିନା ସଂକୋଚରେ ଉକ୍ତ ବ୍ୟବସାୟକୁ ଖୋଲମଖୋଲା ଚଳାଇଆସୁଛନ୍ତି । ନିକଟରେ ଜିଲା ସହରାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଅଭିନବ ଭାବେ ଝୁପୁଡିଘର ପଛପଟ ଡ୍ରେନ୍ ହୁଡାରେ ଗାତ ଖୋଳି ମାଠିଆରେ ପୋତାଯାଇଥିବା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ହୋଇ ସେମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ଆଶୀର୍ବାଦ ଥିବା ନିଶା ମାଫିଆଙ୍କ କରୁଣାରୁ ଜାମିନରେ ମୁକୁଳି ପୁଣି ସେହି ବ୍ୟବସାୟକୁ ବଢାଇ ଚାଲିଛନ୍ତି । ବିଶେଷକରି ବଙ୍କସ୍କୁଲ ଭଳି ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଏଠାରେ ଥିବାରୁ ଏଥିରେ ଅଧ୍ୟୟନ କରୁଥିବା କୋମଳମତି ଛାତ୍ରଛାତ୍ରୀମାନେ ନିଶା ଦ୍ରବ୍ୟର ମାୟାରେ ପଡିବାର ବହୁ ସମ୍ଭାବନା ରହିଛି । ଏଣୁ ଜିଲା ପୁଲିସ୍ ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧି ଓ ସଚେତନଶୀଳ ବୁଦ୍ଧିଜୀବୀମାନେ ଏ ଦିଗରେ ତୁରନ୍ତ ଦୃଷ୍ଟିଦେଇ ଜବରଦଖଲରେ ଥିବା ସରକାରୀ ଜମିକୁ ମୁକ୍ତ କରି ଉକ୍ତ ସ୍ଥାନରେ ବନୀକରଣ ଭଳି ମହତ୍ କାର୍ଯ୍ୟ କରିପାରିଲେ, ବିଦ୍ୟାଳୟର ପରିସର ଓ ଚତୁଃପାଶ୍ୱର୍ ସବୁଜ ସୁନ୍ଦର ହୋଇପାରନ୍ତା ବୋଲି ବହୁ ଜନସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.