Home ଜିଲ୍ଲା ପରିକ୍ରମା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, କୋବିଡ଼ ପରିଚାଳନାରେ ବିଫଳତା, ମେଡିକାଲ କଲେଜ ପ୍ରତିଷ୍ଠାରେ ଶାସକ ଓ ପ୍ରଶାସକ ବିଫଳ...

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, କୋବିଡ଼ ପରିଚାଳନାରେ ବିଫଳତା, ମେଡିକାଲ କଲେଜ ପ୍ରତିଷ୍ଠାରେ ଶାସକ ଓ ପ୍ରଶାସକ ବିଫଳ – କଂଗ୍ରେସ

76

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ସମଗ୍ର ବିଶ୍ୱ କରୋନାରେ କବଳିତ । ଲୋକେ ଜୀବନ ମରଣ ସହ ଯୁଦ୍ଧ କରି ବଂଚିଛନ୍ତି । ଏପରି ସ୍ଥଳେ ଏହି ମହାମାରୀ କରୋନା ରୋଗ ‘କୋବିଡ଼-୧୯’ର ପରିଚାଳନା କରିବାରେ ଉଭୟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ନିର୍ବାଚିତ ପ୍ରତିନିଧି ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶହଶହ ସଂଖ୍ୟାରେ କୋବିଡ଼ ଆକ୍ରାନ୍ତ ପରୀକ୍ଷାରୁ ଜଣା ପଡୁଥିବା ବେଳେ ପ୍ରଶାସନ ଏହାର ସଠିକ୍ ତାଲିକା ପ୍ରକାଶ କରୁନାହିଁ । କରୋନାରେ ବହୁ ଲୋକ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ପ୍ରଶାସନିକ ତାଲିକାରେ ଏ ପର୍ଯ୍ୟନ୍ତ ମାତ୍ର ୨୧ ହୋଇଛି । ଭଦ୍ରକ ଜିଲ୍ଲାରେ କୋବିଡ଼ ପରିଚାଳନାରେ ଜିଲ୍ଲା ପ୍ରଶାସନ ଓ ଶାସକ ଦଳର ନେତାଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଛି । ଭଦ୍ରକ ଜିଲ୍ଲାରେ ସଂଗରୋଧ କେନ୍ଦ୍ର କରି ଖଟ, ବାଲ୍‌ତି କିଣିବା, ପ୍ରବାସୀ ଓଡ଼ିଆଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବା, ସେମାନଙ୍କ ଦୈନିକ ଖର୍ଚ୍ଚ, ସଂଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀ ଆକ୍ରାନ୍ତଙ୍କୁ ଦେବାକୁ ଥିବା ୨ହଜାର ଟଙ୍କା କେତେଜଣଙ୍କୁ ଦିଆଯାଇଛି ଏବଂ ଏସବୁରେ ଆଜି ସୁଦ୍ଧା କେତେ ଟଙ୍କା ଖର୍ଚ୍ଚ ହୋଇଛି ଜିଲ୍ଲା ପ୍ରଶାସନ ଏହାର ହିସାବ ସର୍ବସାଧାରଣରେ ପ୍ରକାଶ କରୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଦାବୀ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଦାସ ଆହୁରି କହିଥିଲେ ଯେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏବେ ପୁରା ଅସୁସ୍ଥ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୁରା ଠପ୍ । ସାଧାରଣ ରୋଗୀଟିଏ ଡାକ୍ତରଖାନାକୁ ଆସିଲେ ତାକୁ ଚିକିତ୍ସା ନ କରି କୋବିଡ଼ ବାହାନାରେ ଫେରାଇ ଦେଉଛନ୍ତି । ଅଧିକାଂଶ ରୋଗୀଙ୍କୁ ନାମକୁମାତ୍ର ଚିକିତ୍ସା କରି ଯେଉଁ ରୋଗୀ ଏଠାରେ ଭଲ ହୋଇ ପାରିବ, ତାକୁ ସିଧାସଳଖ ରେଫର କରି ଦେଉଛନ୍ତି । ଜିଲ୍ଲା ତମାମ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି ।

ଆବଶ୍ୟକ ସଂଖ୍ୟକ ଡାକ୍ତର ଡାକ୍ତରଖାନାରେ ନାହାନ୍ତି । ଜିଲ୍ଲାକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଆଣିବାରେ ପ୍ରଶାସନ ଓ ଶାସକ ଦଳର ନେତା ବିଫଳ । ଭଦ୍ରକ ମେଡିକାଲରେ ଭେଂଟିଲେଟର ଥିଲେ ମଧ୍ୟ ତାହାର ପରିଚାଳନା କରାଯାଉ ନାହିଁ । ଏ ନେଇ ଗତ ସେପ୍ଟେମ୍ବର ୨୬ ତାରିଖରେ କଂଗ୍ରେସ ଦଳ ତରଫରୁ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା । ୩ ଦିନ ଭିତରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଦେଢମାସ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ସମ୍ମିଳନୀରେ ଯୋଗ ଦେଇ ଭଦ୍ରକ ନିର୍ବାଚନମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି କହିଥିଲେ ଯେ ଜିଲ୍ଳାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବହୁ ଦାବି ହୋଇ ଆସୁଛି । ଭଦ୍ରକ ବିଧାୟକ ମେଡିକାଲ କଲେଜର ପ୍ରତିଶୃତି ଦେଇ ନିର୍ବାଚନ ଜିତିଛନ୍ତି । ମାତ୍ର ମେଡିକାଲ କଲେଜ କରିବା ବଦଳରେ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲ ନାମରେ ଜିଲ୍ଲାବାସୀଙ୍କୁ ଭକୁଆ ବନେଇଛନ୍ତି । ୩ଶହ ଶଯ୍ୟାର ଲଲିପପ୍ ଧରାଇଛନ୍ତି । ବର୍ତ୍ତମାନ ଭଦ୍ରକ ହସ୍‌ପିଟାଲରେ ୨୬୫ ଶଯ୍ୟା ରହିଛି । ଏହି ମେଡିକାଲ ଗେଲପୁରକୁ ଉଠିଗଲେ ସେଠାରେ ୩ଶହ ଶଯ୍ୟା ହୋଇଯିବ । ମାତ୍ର ୩୫ ଶଯ୍ୟା ବୃଦ୍ଧି ହେବ । ମାତ୍ର ଲୋକଙ୍କୁ ୩ଶହ ଶଯ୍ୟାକୁ ଭଦ୍ରକ ହସ୍‌ପିଟାଲ ବୃଦ୍ଧି କରାଗଲା ବୋଲି ବାହାବା ନେଉଛନ୍ତି । ମେଡିକାଲ କଲେଜ ପ୍ରତିଷ୍ଠା କଥା ପୁରାପୁରି ଭୁଲି ଯାଇସାରିଲେଣି ବୋଲି ଆରୋପ କରିଥିଲେ । ଜିଲ୍ଲାରେ କୋବିଡ ପରିଚାଳନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ପ୍ରଶାସନ ନଦେଲେ, ମେଡିକାଲର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆଣିଲେ ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ତା’ର ସ୍ୱରକୁ ଶାଣିତ କରିବ, ଆନ୍ଦୋଳନ କରିବ, ଆବଶ୍ୟକ ହେଲେ ଶାସକ କଳକୁ ଠପ୍ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା । ଏହି ସମ୍ମିଳନୀରେ ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ, ଧାମନଗର ବିଧାନସଭା ନେତା ବିଦ୍ୟାଧର ଯେନା, ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ଆଶିଷ ରାଉତ, ରାଜକିଶୋର ପଣ୍ଡା, ବୈଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.