Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ଷୋଳମପୁର ବୌଦ୍ଧବିହାର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସ୍ମାରକପତ୍ର

82

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବିଶ୍ୱ ପ୍ରସିଦ୍ଧ ‘ଷୋଳମପୁର ବୌଦ୍ଧବିହାର’ର ସଂରକ୍ଷଣ, ବିକାଶ ଓ ସୁରକ୍ଷା ପାଇଁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗବେଷକ ବିଶ୍ୱମ୍ଭର ରାଉତ ଓ ସ୍ଥାନୀୟ ଟ୍ରଷ୍ଟି କମଳାକାନ୍ତ ନାୟକ ପ୍ରମୁଖ ରବିବାର ସିମୁଳିଆ ଠାରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏହି ବୌଦ୍ଧବିହାର ସମଗ୍ର ବିଶ୍ୱ ବୌଦ୍ଧକିର୍ତ୍ତି ମାନଚିତ୍ରରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଥିଲେ ହେଁ ଏହା ଅବହେଳିତ ହୋଇ ରହିଛି । ଏହାର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା । ଓଡିଶାର ଏକମାତ୍ର ବୌଦ୍ଧବିହାର ଭାବେ ଷୋଳମପୁରରେ କେବଳ ‘ଅଷ୍ଟମହାଶ୍ଚର୍ଯ୍ୟ’ ବୌଦ୍ଧମୂର୍ତି ଅସୁରକ୍ଷିତ ହୋଇ ରହିଛି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ପର୍ଯ୍ୟବେକ୍ଷଣ ରିପୋର୍ଟ ଅନୁଯାୟୀ ଏଠାରେ ମାଟିତଳେ ପୋତିହୋଇ ରହିଛି ‘ବୌଦ୍ଧସ୍ତୂପ’ ଓ ଐତିହାସିକ ରାଣୀପୋଖରୀ ମଧ୍ୟରେ ଏକ ବିଶାଳକାୟ ‘ବୁଦ୍ଧପ୍ରତିମା’ ବୁଡି ରହିଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା । ଏହା ସହ ଜରୁରୀ ଭାବେ ଏହି ବୌଦ୍ଧବିହାର ସଂରକ୍ଷଣ ଓ ବିକାଶ ପାଇଁ ଆଠସୂତ୍ରୀ ପ୍ରସ୍ତାବ ଦିଆଯାଇଥିଲା । ସେଗୁଡିକ ମଧ୍ୟରେ ଐତିହାସିକ ରାଣୀପୋଖରୀ ମ୍ମରେ ବୁଡି ରହିଥିବା ଏକ ବିଶାଳକାୟ ‘ବୁଦ୍ଧପ୍ରତିମା’ର ଉଦ୍ଧାର; ମାଟିତଳେ ପୋତିହୋଇ ରହିଥିବା ‘ବୌଦ୍ଧସ୍ତୂପ’ର ପୁନଃରୁଦ୍ଧାର; ରତ୍ନଗିରି ବୌଦ୍ଧ ବିଶ୍ୱବିଦ୍ୟାଳୟ ସଦୃଶ ଷୋଳମପୁର ବୌଦ୍ଧବିହାର ବିଶ୍ୱବିଦ୍ୟାଳୟ ‘ମୁଖଶାଳା’ର ସଂରକ୍ଷଣ; ଏହି ଅଂଚଳରେ ବିକ୍ଷିପ୍ତ ଭାବେ ପଡିରହିଥିବା ବୌଦ୍ଧପ୍ରତିମାଗୁଡିକୁ ସଂଗ୍ରାହଳୟକୁ ସ୍ଥାନାନ୍ତର କରିବା; ଚୋରି ଯାଇଥିବା ଦୁର୍ଲଭ ବୌଦ୍ଧପ୍ରତିମାଗୁଡିକୁ ଉଦ୍ଧାର; ଉପଯୁକ୍ତ ଆଲୋକିକରଣ, ସିସିଟିଭି ସ୍ଥାପନ କରାଯିବା ସହ ଜଗୁଆଳି ବ୍ୟବସ୍ଥା; ଭଦ୍ରକ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଷୋଳମପୁର ବୌଦ୍ଧବିହାରକୁ ସ୍ଥାନିତ କରାଯିବା ଓ ଉପଯୁକ୍ତ ରାସ୍ତା ନିର୍ମାଣ ସହ ରାଜପଥରେ ଷୋଳମପୁର ବୌଦ୍ଧବିହାର ସୂଚନାଫଳକ ସ୍ଥାପନ କରାଯିବା ଅନ୍ତର୍ଭୁକ୍ତ । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହ ଆଲୋଚନା ପୂର୍ବକ ଚଳିତ ବର୍ଷ ଏହି ସବୁ ଆବଶ୍ୟକତା ପୂରଣ କରିବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୧୪ ମସିହାରେ ସ୍ଥାନୀୟ ବିଧାୟକ ତଥା ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ସାମଲ ଏହି ବୌଦ୍ଧବିହାର ବିକାଶ ପାଇଁ ପ୍ରାୟ ୩୫ଲକ୍ଷଟଙ୍କା ବ୍ୟୟବରାଦ କରିଥିଲେ । ଏହାଦ୍ୱାରା ଗୋଟିଏ ସଂଗ୍ରାହଳୟ ନିର୍ମାଣ କରାଯାଇ ପାଚେରୀ ନିର୍ମାଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.