Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ ଘଟଣା, ୬ ସପ୍ତାହରେ ଏଟିଆର ଦାଖଲ କର

ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ ଘଟଣା, ୬ ସପ୍ତାହରେ ଏଟିଆର ଦାଖଲ କର

24

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ୍ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କୁ ୬ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋଟ ର୍(ଏଟିଆର) ଦାଖଲ କରିବାକୁ କହିଛନ୍ତି। ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟ ମାସ ୧୮ ତାରିଖ ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନ କଟସାହି ପଞ୍ଚାୟତ ବାଉତ୍ରପାଳ ଗ୍ରାମର ବାବାଜୀ ନାୟକ ପୁତ୍ର ରମେଶ ନିଜ ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରୁଥିଲେ। ଏତିକିବେଳେ ଗ୍ରାମ ନିକଟରେ ଓହଳିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଧୁଷୁରୀ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରମେଶଙ୍କ ଶବ ବ୍ୟବଚ୍ଛେଦ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟର ଆଇନ୍‌ଜୀବୀ ତଥା ବିଶିଷ୍ଟ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ମୃତକ ରମେଶ ଜଣେ ଅତ୍ୟନ୍ତ ଗରିବ ପରିବାରର ଚାଷୀ। ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏପରି ଘଟଣା ଘଟିଛି। ତେଣୁ ଉକ୍ତ ଘଟଣା ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତକଙ୍କ ପରିବାରକୁ ଯଥେଷ୍ଟ ପରିମାଣରେ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦେବାକୁ ଶ୍ରୀ ତ୍ରିପାଠୀ ଆୟୋଗଙ୍କ ନିକଟରେ ଗତ ମାସ ୨୦ ତାରିଖ ନିବେଦନ କରିଥିଲେ। କମିଶନ ଉକ୍ତ ପିଟିସନକୁ ଗତ ମାସ ୩୦ ତାରିଖ ବିଚାର ପାଇଁ ଗ୍ରହଣ କରିବା ସହ ଏହି ପ୍ରସଙ୍ଗରେ ଶକ୍ତି ବିଭାଗ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ବିସ୍ତୃତ ତଥ୍ୟ ୬ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କହିଛନ୍ତି। ତେବେ ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି। ଭିତ୍ତିଭୂମି ଉନ୍ନତିକରଣ ନାମରେ ବିଦ୍ୟୁତ୍ ବିତରଣକାରୀ କଂପାନୀ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ କରି ଚାଲିଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଓହଳି ରହିଥିବାବେଳେ ଏଗୁଡିକର ରକ୍ଷଣାବେକ୍ଷଣ ଦିଗ ପ୍ରତି ଧ୍ୟାନ ଦିଆଯାଉନାହିଁ। ଦୁଇ ମାସ ପୂର୍ବେ ଜଳଙ୍ଗା ଦଇସିଂ ଅଂଚଳରେ ମଧ୍ୟ ଅନୁରୂପ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.