Home ଜିଲ୍ଲା ପରିକ୍ରମା ବିଦ୍ୟାର୍ଥୀ ବିକାଶ ମଞ୍ଚରେ ବିଶ୍ୱବିଦ୍ୟାଳୟ ପ୍ରସଂଗ

ବିଦ୍ୟାର୍ଥୀ ବିକାଶ ମଞ୍ଚରେ ବିଶ୍ୱବିଦ୍ୟାଳୟ ପ୍ରସଂଗ

31

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ଜାନୁଆରୀ ୨୭ ତାରିଖ ଦିନ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାନ ନିର୍ଦ୍ଧାରଣ କମିଟିର ସୁପାରିଶ ଅନୁସାରେ, ଯୋଗ୍ୟତା ଅଭାବରୁ ଐତିହାସିକ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ ନାହିଁ ବୋଲି ସ୍ଥିର ହୋଇଛି। ଏହି ସମ୍ବାଦଟି ଚଳିତ ଫେବୃଆରୀ ମାସ ୧୭ ତାରିଖ ଦିନ ପ୍ରମୁଖ ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଇଥିବାରୁ ଭଦ୍ରକ କଲେଜର ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଏବଂ ସଚେତନ ନାଗରିକଗଣ ଗଭୀର ଭାବେ ମର୍ମାହତ ହୋଇଛନ୍ତି ବୋଲି ଏକ ଅଗ୍ରଣୀ ବିଦ୍ୟାର୍ଥୀ କଲ୍ୟାଣକାରୀ ଅନୁଷ୍ଠାନ ଭାବେ ପରିଚିତ ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଓ ଉକ୍ତ ଅନୁଷ୍ଠାନର ଉପଦେଷ୍ଟାଗଣ ତଥା ଅନ୍ୟ କର୍ମକର୍ତ୍ତାମାନେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସରକାରଙ୍କୁ ଜଣାଇଛନ୍ତି। ଉକ୍ତ ପ୍ରସଂଗରେ ବିଦ୍ୟାର୍ଥୀ ବିକାଶ ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜାନୁଗଞ୍ଜ ସ୍ଥିତ ଉକ୍ତ ଅନୁଷ୍ଠାନର ପୂର୍ବତନ ମୁଖ୍ୟ ଉପଦେଷ୍ଟା ସ୍ୱର୍ଗତ ପ୍ରଫେସର ଡଃ ସନାତନ ମହାନ୍ତିଙ୍କ ‘ଦିବ୍ୟମ୍‌’ ସମ୍ମିଳନୀ କକ୍ଷରେ ମଞ୍ଚର ଉପଦେଷ୍ଟା ମଣ୍ଡଳୀ ଓ କର୍ମକର୍ତ୍ତାମାନଙ୍କର ଏକ ମିଳିତ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ରାଜ୍ୟ ସରକାର ନେଇଥିବା ସରକାରୀ ନିଷ୍ପତ୍ତିର ଅବିଳମ୍ବେ ପରିବର୍ତ୍ତନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବି କରା ଯାଇଥିଲା।

ଆଗାମୀ ଦିନରେ ଏ ପ୍ରସଂଗରେ ଏହି ସଂଗଠନ ପକ୍ଷରୁ ବହୁ ସଂଖ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ସହିତ ବ୍ୟାପକ ଜନଜାଗରଣ କରିବା ପାଇଁ ସ୍ଥିର ହୋଇଛି ବୋଲି ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଶ୍ୱାଳ, ସମ୍ପାଦକ ସୁଦାମ ଭୂଇଁ ପ୍ରକାଶ କରିଥିଲେ। ଶ୍ରୀଯୁକ୍ତ ବିଶ୍ୱାଳ ଆହୁରି କହିଥିଲେ ଯେ, ଯଦି ନାକ୍ ଟିମ୍‌ର ସୁପାରିଶ କ୍ରମେ ‘ବି’ ଗ୍ରେଡ ଓ ‘ବି ++’ ଗ୍ରେଡ୍ ପାଇଥିବା କଲେଜ ଗୁଡ଼ିକ ଯଥା – ଧରଣୀଧର ମହାବିଦ୍ୟାଳୟ କେନ୍ଦୁଝର, ବିକ୍ରମଦେବ ମହାବିଦ୍ୟାଳୟ ଜୟପୁର, ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା ଆଦିକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦିଆଯାଇ ପାରୁଥିବା ବେଳେ ‘ଏ’ ଗ୍ରେଡ୍ ପାଇଥିବା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ କାହିଁକି ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଗଲା ନାହିଁ। ଏହା ପଛରେ କି ରହସ୍ୟ ରହିଛି ବୋଲି ଶ୍ରୀଯୁକ୍ତ ବିଶ୍ୱାଳ ପ୍ରଶ୍ନ କରିଥିଲେ। ତୁରନ୍ତ ସରକାର ଭଦ୍ରକବାସୀଙ୍କ ହକ୍ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବାକୁ ବୈଠକରେ ଦାବି କରାଯାଇଥିଲା। ଯଦି ସରକାର ଏ ଦାବିକୁ କର୍ଣ୍ଣପାତ ନକରନ୍ତି ତେବେ ଆଗାମୀ ଦିନରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ଏବଂ ଭଦ୍ରକର ସମସ୍ତ ଜନସାଧାରଣ ବ୍ୟାପକ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡଃ ବ୍ରଜମୋହନ ମିଶ୍ର, ପ୍ରାଧ୍ୟାପିକା ଡଃ ରାଧାରାଣୀ ମହାପାତ୍ର, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଡାକ୍ତର ଆର୍‌.କେ. ନାୟକ, ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ, ପ୍ରାଧ୍ୟାପକ ଡଃ ଗୋଲକ ବିହାରୀ ସାହୁ, ରୋଟାରୀ କ୍ଲବ ଭଦ୍ରକର ସଭାପତି ଅଭିଜିତ୍ ନାୟକ, ସମାଜସେବୀ ଅନିଲ ଦେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ ଜେନା, ଅତୁଲ ଦେ, ପ୍ରଦୀପ ଦାଶ, ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା, ଅଧ୍ୟାପକ ଅମିତ୍ ନାୟକ, ବିଦ୍ୟାର୍ଥୀ ମମତା ବିଶ୍ୱାଳ, ମାଧବୀ ବିଶ୍ୱାଳ, ଅଖୁଜୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.