Home ଜିଲ୍ଲା ପରିକ୍ରମା କୋଇଲା ମାଫିଆଙ୍କ ଗାଡି ଧକ୍କାରେ ଜଣେ ମୃତ, ଗାଡିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ପଦାରେ ପଡିଲା...

କୋଇଲା ମାଫିଆଙ୍କ ଗାଡି ଧକ୍କାରେ ଜଣେ ମୃତ, ଗାଡିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ପଦାରେ ପଡିଲା ପୁଲିସ୍ ଓ ମାଫିଆଙ୍କ ମଧୁଚନ୍ଦ୍ରିକା

34

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଦାରେ ପଡିଲା ପୁଲିସ୍ ଓ କୋଇଲା ମାଫିଆଙ୍କ ମଧୁଚନ୍ଦ୍ରିକା। ୩ଟି ଥାନାର ଆତଯାତ ହେଉଥିବା ଏକ ଚୋରା କୋଇଲା ହବ୍ ନିକଟରେ ଘଟିଛି ଏକ ବଡ ଅଘଟଣ। କୋଇଲା ମାଫିଆଙ୍କ ଗାଡି ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ନେଇ ପଂଚାୟତବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଗାଡିକୁ ଜାଳି ଦେଇଥିବା ଜଣାଯାଇଛି। ପୁଲିସ୍ ଶବକୁ ବ୍ୟବଚ୍ଛେଦ କରିବା ଲାଗି ଜିଲା ମୁଖ୍ୟ ଡାକ୍ତରଖାନାରେ ବ୍ୟସ୍ତ ଥିବାବେଳେ ସେପଟେ କୋଇଲା ମାଫିଆଙ୍କୁ ସୁହାଇଲା ଭଳି ନେତା ଓ କୋଇଲା ମାଫିଆଙ୍କ ମଧ୍ୟରେ ଚାଲିଛି ବିଚାର ବିମର୍ଷ। ତେବେ କେଉଁ ପରିସ୍ଥିତିରେ ଲୋକଟି ମୃତ୍ୟୁବରଣ କଲା ଏବଂ ଗାଡି ପୋଡାଗଲା, ତାହାର ଖବର ପୁଲିସ୍ ପାଖରେ ନଥିବା ସଂପ୍ରତି ବଡ ବିଡମ୍ବନାର ବିଷୟ ସାଜିଛି। ସୂଚନା ମୁତାବକ ଭଦ୍ରକ ଜିଲା ତିହିଡି ଥାନା ବାହାବଳପୁର ପଂଚାୟତ ଅଧୀନ ଦୋହରାସାହି ଗାଁ ମୁଣ୍ଡରେ ଏକ ଗାଡି ଧକ୍କାରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ସ୍ଥାନୀୟ କହ୍ନେଇବିନ୍ଧା ଗାଁର ଶରତ ବାରିକ, ବୟସ ୪୫ ବୋଲି ଜଣାଯାଇଛି। ଗତକାଲି ରାତି ପ୍ରାୟ ୧୦.୩୦ ମିନିଟ୍ ସମୟରେ ଚୋରା ଚାଲାଣ ହେଉଥିବାବେଳେ ଏପରି ଅଘଟଣ ଘଟିଛି। ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ ଶରତକୁ ମାରି ଦେଇଥିବା ଗାଡିକୁ ଏକ ପୋଖରୀକୁ ଠେଲି ଦେଇଥିଲେ। ସେପଟେ କୋଇଲା ମାଫିଆ ଉକ୍ତ ଗାଡିକୁ ପୋଖରୀରୁ ଉଠାଇବା ଲାଗି ମେସିନ୍ ପଠାଇଥିଲା। ମାହତ୍ର ଲୋକେ ଉକ୍ତ ମେସିନ୍‌କୁ ଭଂଗାରୁଜା କରିଥିଲେ।

ମେସିନ୍‌ଟି କୌଶଳ କ୍ରମେ ଉକ୍ତ ସ୍ଥାନ ଛାଡି ପଳେଇ ଆସିବା ପରେ ଲୋକେ କୋଇଲା ଗାଡିକୁ ନିଆଁ ଲଗେଇ ଜାଳି ଦେଇଥିଲେ। ଶରତଙ୍କ ମୃତ୍ୟୁରେ ପଂଚାୟତବାସୀ ଶୋକବ୍ୟକ୍ତ କରିବା ସହିତ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରିବା ଲାଗି ଅଣ୍ଟା ଭିଡିଥିବା ଜଣାଯାଇଛି। ଏହି ଗାଁ ମୁଣ୍ଡରେ ଚୋରା କୋଇଲା ହବ୍ ରହିଛି। ଦିନ ତମାମ୍ ବସ୍ତା ବସ୍ତା ଚୋରା କୋଇଲା ବିଭିନ୍ନ ଅଂଚଳରୁ ଆସି ମହଜୁଦ ରହେ। ଆଉ ସଞ୍ଜ ନଇଁଲା ପରେ ଆରମ୍ଭ ହୁଏ ଗାଡିରେ ଲୋଡ୍। ମାଫିଆଙ୍କ କବଜାରେ ଉକ୍ତ ଅଂଚଳରୁ ବାହାରକୁ ଦୈନିକ ଟ୍ରିପ୍ ଟ୍ରିପ୍ ଚୋରା କୋଇଲା ବାହାରକୁ ଚାଲାଣ ହୋଇଥାଏ। ଏହାକୁ ବିରୋଧ କରି ବିଗତ ଦିନରେ କେତେକ ମାଫିଆଙ୍କ ଶରବ୍ୟର ଶୀକାର ହେବା ସହିତ ଆକ୍ରମଣର ଶୀକାର ମଧ୍ୟ ହୋଇଛନ୍ତି। ପୁଲିସ୍ ସବୁ ଜାଣି ଅଜଣାର ଅଭିନୟ କରୁଥିବାର ଅଭିଯୋଗ ମଧ୍ୟ ହେଉଛି। ଦୁଇଦିନ ତଳେ ଜିଲା ବିଭିନ୍ନ ଥାନାରେ ଥାନା ଅଧିକାରୀଙ୍କ ବଦଳି ପରେ ସକ୍ରୀୟ ହୋଇ ଉଠିଛନ୍ତି ଚୋରା କୋଇଲା ବେପାରୀ। ଯାହାକୁ ନେଇ ଘଟିଛି ଏପରି ଅଭାବନୀୟ ଘଟଣା। କେତେକ ଅସାଧୁ ଚୋରା କୋଇଲା ବେପାରୀ ପୁଲିସ୍‌କୁ ହାତ କରି ଚାନ୍ଦବାଲି, ପୀରହାଟ, ତିହିଡି ଓ ସାବରଙ୍ଗ ଥାନା ଅଂଚଳରେ ଦିନ ଦ୍ୱିପ୍ରହରରେ ଚଳାଇଛନ୍ତି ବେଧଡକ ଗାଡି। ପୁଲିସ୍ ସବୁ ଦେଖି ସଲାସୁତୁରାରେ ନିଜ ଫାଇଦା ଉଠାଉଥିବାବେଳେ ନିରୀହ ଲୋକଙ୍କ ଜୀବନ ଯାଉଛି। ଘଟଣା ସ୍ଥଳରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଷ୍ଟକ୍ ରହିଥିବା ଘଟଣା ପୁଲିସ୍‌ର ପାରିଆ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.