Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ରେମୁଣାରେ ବିଶାଳ ପଦଯାତ୍ରା

ବିଜେପି ପକ୍ଷରୁ ରେମୁଣାରେ ବିଶାଳ ପଦଯାତ୍ରା

20

ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ପରୀକୁ ନ୍ୟାୟ ପ୍ରଦାନ ଓ ରାଜ୍ୟରେ ନିଖୋଜ ଶିଶୁଙ୍କ ଉଦ୍ଧାର ଦାବିରେ ବଜେପି ରେମୁଣା ମଣ୍ଡଳ ପକ୍ଷରୁ ସାମୂହିକ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ରେମୁଣା ଗୋଲେଇସ୍ଥିତ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏହି ପଦଯାତ୍ରା ଶୁଭାରମ୍ଭ ହୋଇଥିଲା। ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବିପନ୍ ମାରାଣ୍ଡି ଓ ସୀତାରାମ ପ୍ରଧାନ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି କମଳା ବିନ୍ଧାଣୀ ପ୍ରମୁଖ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ପରୀର ହତ୍ୟାକାରୀକୁ ପୁଲିସ ଧରିପାରି ନଥିବା ବେଳେ ରାଜ୍ୟରେ ନିଖୋଜ ହୋଇଥିବା ୫ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଅଦ୍ୟାବଧି ଉଦ୍ଧାର କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି ନେତାମାନେ କହିଥିଲେ। ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ସହ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ମହିଷ୍କାର ପାଇଁ ସେମାନେ ଦାବି କରିଥିଲେ। ରାଜ୍ୟ ସରକାର ତୁରନ୍ତ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଜେପି ରେମୁଣା ଓ ବାଲେଶ୍ୱର ସମେତ ସମଗ୍ର ରାଜ୍ୟରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳୀୟ ନେତା ଓ କର୍ମୀ ଚେତାବନୀ ଦେଇଥିଲେ। ଏହି ପଦଯାତ୍ରା ରେମୁଣା ଗୋଲେଇ ବାହାରି ସ୍ଥାନୀୟ ଅଞ୍ଚଳ ପରିକ୍ରମା ସହ ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ଯାଇଥିଲା। ବିଜେପି ରେମୁଣାର ମଣ୍ଡଳର ବିଭିନ୍ନ ପଞ୍ଚାୟତରୁ ବହୁ କର୍ମୀ ଓ ସମର୍ଥକ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.