Home ଜିଲ୍ଲା ପରିକ୍ରମା ବିଜେଡି, ବିଜେପି ନେତୃମଣ୍ଡଳୀଙ୍କୁ ବିଦ୍ରୋହୀ ଚିନ୍ତା

ବିଜେଡି, ବିଜେପି ନେତୃମଣ୍ଡଳୀଙ୍କୁ ବିଦ୍ରୋହୀ ଚିନ୍ତା

73

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସରିଯାଇ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ମଧ୍ୟ ସରିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା। ତେବେ ଚଳିତ ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱକୁ ନେଇ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା; ତାହା ଏବେ ସତ୍ୟ ହୋଇଛି। କାରଣ ଭଦ୍ରକ ବ୍ଲକ୍‌ର ଅଧିକାଂଶ ପଂଚାୟତରେ ଦଳୀୟ ସମର୍ଥନ ଆଶାରେ ଅନାଇ ବସିଥିବା ବହୁ କର୍ମୀ ଦଳୀୟ ସମର୍ଥନ ପାଇ ଏବେ ବିଦ୍ରୋହୀ ରୂପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏହି ବିଦ୍ରୋହୀ ପ୍ରାର୍ଥୀ ଏବେ ଉଭୟ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପିର ନେତୃମଣ୍ଡଳୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ତେବେ ଏହି ସମସ୍ୟା ବିରୋଧୀ ବିଜେପି ପାଇଁ ଯେତିକି ସମସ୍ୟା ସୃଷ୍ଟି କରିନାହିଁ, ତା ଠାରୁ ବହୁ ଗୁଣ ଅଧିକ ସମସ୍ୟା ସୃଷ୍ଟି କରିଛି ଶାସକ ବିଜେଡି ପାଇଁ। ଇତିମଧ୍ୟରେ ଉଭୟ ଦଳର ନେତୃମଣ୍ଡଳୀ ବିଦ୍ରୋହୀ ପ୍ରାର୍ଥୀଙ୍କୁ ବୁଝାଇବାରେ ଲାଗିଛନ୍ତି। ପ୍ରଲୋଭନ ଦେଖାଉଛନ୍ତି। ପରୋକ୍ଷ ଧମକ ମଧ୍ୟ ଦେଉଛନ୍ତି। କିନ୍ତୁ ଏହା କେତେମାତ୍ରାରେ ସଫଳ ହେବ, ତାହା ସମୟ କହିବ। କାରଣ ଉଭୟ ବିଜେଡି, ବିଜେପି ଅସନ୍ତୁଷ୍ଟ ବିଦ୍ରୋହୀ ପ୍ରାର୍ଥୀଙ୍କ ମନ ଜିଣିବାରେ କେତେ ସଫଳ ହେଲେ, ତାହା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସ୍ପଷ୍ଟ ହେବ। ସୂଚନା ଅନୁଯାୟୀ ଭଦ୍ରକ ବିଧାନସଭା କ୍ଷେତ୍ରରେ ରହିଛି ୩୬ ପଂଚାୟତ।

ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଦଳୀୟ ଚିହ୍ନ ଆଧାରରେ ନିର୍ବାଚନ ଲଢୁନଥିଲେ ମଧ୍ୟ ସମସ୍ତ ଦଳ ନିଜର ମନ ପସନ୍ଦର ପ୍ରାର୍ଥୀ ମନୋନୟନ କରିଛନ୍ତି। ହେଲେ ଏପରି ଚୟନକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ବହୁ ଆଶାୟୀ। ବିଶେଷତଃ ଶାସକ ଦଳରେ ଏପରି ପ୍ରାର୍ଥୀଙ୍କ ସଂଖ୍ୟା ବହୁ ଅଧିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସରକାରଙ୍କ ଲୋକପ୍ରିୟତା ଆଧାରରେ ନିର୍ବାଚନ ଜିଣିବା ବହୁତ ସହଜ ହେବ ଭାବି ନିର୍ବାଚନ ଲଢିବାକୁ ବହୁ ପଂଚାୟତସ୍ତରୀୟ ନେତା ଆଗ୍ରହୀ ଥିଲେ। ବହୁ ପୂର୍ବରୁ ନିର୍ବାଚନ ଲଢିବାକୁ ମାନସିକ ପ୍ରସ୍ତୁତି ନେଇ ଲୋକସଂପର୍କ ରଖିବା ଆରମ୍ଭ କରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଦଳୀୟ ସମର୍ଥନ ନପାଇ ସେମାନେ ଏବେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। କେତେକ ସ୍ଥାନରେ ଅସାଧୁ ମେଣ୍ଟ ମଧ୍ୟ ହୋଇଛି। ଏପରିକି ବିଜେଡି ଅସନ୍ତୁଷ୍ଟ, ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେମାନେ ମିଳିତ ମଂଚ, ସ୍ୱାଭିମାନ ମଂଚ ବ୍ୟାନରରେ ପଂଚାୟତର ଉନ୍ନତି ପାଇଁ ଗୋଟିଏ ଛତା ତଳେ ଏକଜୁଟ ହୋଇଛନ୍ତି। ଏପରି ସ୍ଥଳେ ଏହି ବିଦ୍ରୋହୀ ବା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ବୁଝାଇବାରେ ଲାଗିଛନ୍ତି ଉଭୟ ଦଳର ନେତୃମଣ୍ଡଳୀ। ଦଳୀୟ ସମର୍ଥନ ଘୋଷଣା ପରେ ଯେଉଁ ବିଜେପି ଶାସକ ବିଜେଡିର ଅସନ୍ତୋଷର ଫାଇଦା ନେବାକୁ ଅନାଇ ବସିଥିଲା, ସେଥିରେ ଦଳ କିଛିଟା ସଫଳ ହୋଇଥିବା ରାଜନୈତିକ ମହଲ ମତବ୍ୟକ୍ତ କରୁଥିଲେ ମଧ୍ୟ ବିଜେପି ନିଜ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ମଧ୍ୟରେ ଛନ୍ଦି ହୋଇପଡିଛି। ଗତ ଶୁକ୍ରବାର ବିଜେପିର ବହୁ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେବା ପରେ ଦଳ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏ ସମସ୍ତ ବିଜେପି ନେତାଙ୍କ ଇସ୍ତଫା ପରେ ମୁହଁ ଫୁଟାଣି ମାରି ଅଳିଆ ସଫା ହୋଇଗଲା ବୋଲି କେତେକ ନେତା କହିଥିଲେ ମଧ୍ୟ ଜିଲାର ବରିଷ୍ଠ ନେତା ତଥା ବିରୋଧୀୟ ଦଳର ଉପମୁଖ୍ୟ ବିଷ୍ଣୁ ସେଠୀ କହିଛନ୍ତି ଯେ ଆମେ ସେମାନଙ୍କୁ ବୁଝାଇବୁ। ସେମାନଙ୍କ ସମସ୍ୟା ବୁଝିବୁ। ଶ୍ରୀ ସେଠୀଙ୍କ ଏପରି ମତାମତରୁ ସ୍ପଷ୍ଟ ବୁଝାପଡୁଛି ଯେ ଦଳ ଏହି ଇସ୍ତଫା ପ୍ରସଙ୍ଗକୁ ନେଇ କିଛିଟା ଚିନ୍ତିତ। ଅପରପକ୍ଷେ କଂଗ୍ରେସ ଦୁର୍ବଳ ସ୍ଥିତିରେ ଥିବାରୁ ଏହି ଦଳ ଉଭୟ ବିଜେଡି ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ବର୍ତ୍ତମାନର ଅସନ୍ତୋଷର ଫାଇଦା ନେବା ସ୍ଥିତିରେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.