Home ଓଡ଼ିଶା ବିଜେଡି ଟାର୍ଗେଟ୍ ରେ କଂଗ୍ରେସ !

ବିଜେଡି ଟାର୍ଗେଟ୍ ରେ କଂଗ୍ରେସ !

113

ଭୁବନେଶ୍ୱର ୨୦-୩ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) କେନ୍ଦ୍ରରେ ଶାସିତ ଏନଡ଼ିଏ ଭିତରେ ରାଜନୈତିକ ଅସ୍ଥିରତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ନେଇ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାର କେନ୍ଦ୍ର ଉପରେ କ୍ଷୁବ୍ଧ। ସେପଟେ ଶିବସେନା ଆସନ୍ତା ନିର୍ବାଚନରେ ଏନଡ଼ିଏ ସହିତ ରହିବା ନେଇ ଦ୍ୱନ୍ଦ। କଂଗ୍ରେସ ବିରୋଧିଙ୍କୁ ଏକାଠି କରି ବିଜେପି ହଟାଓ ରଣନୀତିକୁ ଶାଣିତ କରୁଛି। ଏପରି ସ୍ଥଳେ ଯେକୌଣସି ସମୟରେ ନିର୍ବାଚନ ପାଇଁ ଭାରତ ବର୍ଷର ସବୁ ଜାତୀୟ ଓ ଆଞ୍ଚଳିକ ଦଳ ମନ ସ୍ଥିର କରିବା ଆରମ୍ଭ କଲେଣି। ଏଥିରେ ଓଡିଶାର ବିଜୁ ଜନତା ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଲାଣି। କେନ୍ଦ୍ରରେ ଯାହା ହେଉ ପଛେ ରାଜ୍ୟରେ ପୁଣି କ୍ଷମତା ଦଖଲ ପାଇଁ ଚେଷ୍ଟା ଆରମ୍ଭ କଲାଣି ବିଜେଡି। ନିକଟରେ ବିଜେପୁର ଉପ ନିର୍ବାଚନରେ ଅଭୁତ ପୂର୍ବ ସଫଳତା ଦଳୀୟ ନେତାଙ୍କ ମନବଳ ବୃଦ୍ଧି କରିଛି। ମାତ୍ର ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡିଛି ବିଜେଡିର ମୁଖ୍ୟ ମଙ୍ଗୁଆଳ, ଯେଉଁମାନେ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଭିତରେ ଏକ ଅଜଣା ଆଶଙ୍କା ସୃଷ୍ଟି ହୋଇଛି। ବିଜେପୁର ଉପନିର୍ବାଚନ ସିନା ଜିତି ଗଲେ ମାତ୍ର ବିଜେପି ପାଇଥିବା ୬୧ ହଜାର ଭୋଟ ସେମାନଙ୍କ ପାଇଁ ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ଏହି ନିର୍ବାଚନରେ କଂଗ୍ରେସକୁ କରାୟତ କରି କଂଗ୍ରେସର ମୂଳ ଭୋଟ୍ କୁ ଅକ୍ତିୟାର କରିବାରେ ବିଜେଡି ସଫଳ ହେଲା। ମାତ୍ର ବିଜେପି ଭୋଟ୍ ଦ୍ୱିଗୁଣିତ ହେବା ଚିନ୍ତାର ବିଷୟ। ସରକାରୀ କଳ ସହିତ ୭୦ ରୁ ଉର୍ଦ୍ଧ୍ୱ ବିଧାୟକ ଓ ମନ୍ତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଏହା ସମ୍ଭବ ହୋଇ ପାରିଥିଲା। ମାତ୍ର ସାଧାରଣ ନିର୍ବାଚନରେ ଏହା ସମ୍ଭବ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। କାରଣ ବିଧାନସଭା ନିର୍ବାଚନ ଓ ତତ୍ ସହିତ ଲୋକସଭା ନିର୍ବାଚନ ବିଜେଡି ପାଇଁ ଅଡୁଆ ହୋଇପାରେ।

ଏ ପରିପ୍ରେକ୍ଷୀରେ ବିଜେଡି ଏବେ ଏକ ନୂତନ ରଣନୀତି ଲକ୍ଷ୍ୟରେ ଆଗେଇଛି। ବିଜେପୁର ଫର୍ମୁଲାକୁ ଆପଣାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ଦଳ। ରାଜ୍ୟରେ କଂଗ୍ରେସର ସ୍ଥିତି ଏବେ ରସାତଳଗାମୀ। ଏହି ପରିସ୍ଥିତିରେ କଂଗ୍ରେସର ନେତାମାନଙ୍କୁ ବିଜେଡିରେ ସାମିଲ କରାଇବା ପାଇଁ ଆରମ୍ଭ ହୋଇ ଯାଇଛି ଏକ ପ୍ରକାର କସରତ। କାରଣ ଯଦି କଂଗ୍ରେସକୁ ନେତୃଶୂନ୍ୟ ପରିବାରେ ବିଜେଡି ସଫଳ ହୋଇଯାଏ ତେବେ କଂଗ୍ରେସର ପାରମ୍ପାରିକ ଭୋଟ୍ ବିଜେଡି ସପକ୍ଷରେ ଯିବାଟା ଥୟ। ଏହି ଫର୍ମୁଲା ପ୍ରୟୋଗ କଲେ ବିଜେଡି ସଫଳ ହୋଇ ପାରିବ। କଂଗ୍ରେସର ପ୍ରସାଦ ହଟାଓ ଅଭିଯାନରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିଯାଇଛି କହିଲେ ଚଳେ। ନିରଂଜନ ପଟ୍ଟନାୟକ ଆଉ ପିସିସି ସଭାପତି ହେବା ଅସମ୍ଭବ। ଭାଇ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ମିଶିବା ପର ଠାରୁ ଏଥିରେ ଯବନୀକା ପଡି ଯାଇଛି। ବିଜେଡିର ପ୍ରଥମ ଟାର୍ଗେଟ ଥିଲା ନିରଂଜନଙ୍କୁ ପିସିସି ସଭାପତି ପଦରୁ ଦୂରେଇ ରଖିବା। ଏଥିପାଇଁ ଟାର୍ଗେଟ ଥିଲେ ସୌମ୍ୟ। ରାଜନୀତିରେ ଅସଫଳ ଥିବା ସୌମ୍ୟରଂଜନ ବିଧାୟକ ବା ସାଂସଦ ହେବା ପାଇଁ ପାଗଳ। ଅତି ଚତୁର କୁହାଯାଉଥିବା ପଟ୍ଟନାୟକ ପରିବାର ଫଶିଗଲେ ବିଜେଡି ଚାଲ୍ ରେ। ଗୋଟିଏ ଗୁଳିରେ ଦୁଇଟି ଶୀକାର କଲା ବିଜେଡି। ନିରଂଜନଙ୍କ ବ୍ୟତୀତ ବର୍ତ୍ତମାନ ଡୁବୁଥିବା କଂଗ୍ରେସ ମଙ୍ଗ ଧରିବାକୁ କୌଣସି ନେତା ଆଗ୍ରହୀ ନୁହଁନ୍ତି। ତେଣୁ ପ୍ରସାଦ ହିଁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ପିସିସି ପଦରେ ରହିବାଟା ଏକ ପ୍ରକାର ସ୍ଥିର। ପ୍ରଥମ ପର୍ଯ୍ୟାୟରେ ସଫଳତା ପାଇଲା ପରେ ବିଜେଡିର ଏବେ ପରବର୍ତ୍ତୀ ଟାର୍ଗେଟ ନେତା ବିହୀନ କଂଗ୍ରେସ୍ ଦଳ। ପରିସ୍ଥିତି ଏପରି ହେବ ଆସନ୍ତା ନିର୍ବାଚନରେ ପ୍ରସାଦ ହରିଚନ୍ଦନ ଓ ତାଙ୍କ ଶଶୁର ସୁର ରାଉତରାୟଙ୍କୁ ଛାଡି ଦେଲେ କଂଗ୍ରେସ ଭବନରେ ଆଉ କୌଣସି ରାଜ୍ୟସ୍ତରୀୟ ନେତା ଦୃଶ୍ୟମାନ ହେବେ ନାହିଁ। ବିଜେଡିର ଟାର୍ଗେଟ୍ ରେ ଏବେ କଂଗ୍ରେସ୍ ବିଧାୟକଗଣ। କଥାବାର୍ତ୍ତା ଅନ୍ତିମ ପର୍ଯ୍ୟାୟରେ। ଯେକୌଣସି ମୁହୁର୍ତ୍ତରେ ଏହି କଂଗ୍ରେସ ବିଧାୟକମାନେ ଜଣ ଜଣ କରି ବିଜେଡି ଗଡରେ ମିଶିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ ସରିଲାଣି। ଏମାନଙ୍କ ଛଡା ଅନେକ ବରିଷ୍ଠ କଂଗ୍ରେସ ନେତା ଯେଉଁମାନେ ଦୀର୍ଘ ଦିନ ଧରି ଦଳରେ ଅଣଦେଖା ହୋଇ ପଡିଛନ୍ତି ସେମାନେ ତାଙ୍କ ଆଡୁ ବିଭିନ୍ନ ମାଧ୍ୟମରେ ବିଜେଡିରେ ପିଟି ହେଉଛନ୍ତି। ଯଦି ଏହି ରାଜନୈତିକ ଖେଳରେ ବିଜେଡି ସଫଳତା ହାସଲ କରେ ତେବେ ନିର୍ବାଚନ ତାରିଖ ଘୋଷଣା ବହୁ ପୂର୍ବରୁ ବିଜେଡି ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.