Home ଜିଲ୍ଲା ପରିକ୍ରମା ବିଜେଡିରେ ମିଶିଲା ଅଣ୍ଡେଇପଲ୍ଲୀ ବିକାଶ ମଞ୍ଚ

ବିଜେଡିରେ ମିଶିଲା ଅଣ୍ଡେଇପଲ୍ଲୀ ବିକାଶ ମଞ୍ଚ

44

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ପଞ୍ଚାୟତ ନିର୍ବାଚନରେ ଦଳୀୟ ସମର୍ଥନ ନପାଇ ମନ ଉଣା କରିଥିଲେ। ପଞ୍ଚାୟତର ଉନ୍ନତି ପାଇଁ ବିକାଶ ମଞ୍ଚ ଗଠନ କରି ଭଦ୍ରକ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ନିର୍ବାଚନରେ ବିଜୟ ଲାଭ କରି ଦେଖାଇ ଦେଇଥିଲେ ନିଜର ପାରିବା ପଣିଆ। ହେଲେ ଦଳ ପ୍ରତି ସେମାନଙ୍କ ଆନୁଗତ୍ୟ କମି ନଥିଲା। କାରଣ ସେମାନଙ୍କ ପଞ୍ଚାୟତରେ ବିଜେଡିର ଜିଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ମଧ୍ୟ ଦେଇଥିଲେ। ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୩ ଦିନ ନପୂରୁଣୁ ସେମାନେ ବିଧାୟକଙ୍କ ବାସଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି। ଫଳରେ ଭଦ୍ରକ ବ୍ଲକ୍‌ର ଅନ୍ୟତମ ଚର୍ଚ୍ଚିତ ପଂଚାୟତ ଅଣ୍ଡେଇପଲ୍ଲୀରେ ଗଠନ ହୋଇଥିବା ବିକାଶ ମଞ୍ଚ ବିଧିବଦ୍ଧ ଭାବେ ବିଜେଡିରେ ବିଲୀନ ହୋଇଛି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇ ବିଜୟ ଲାଭ କରିଥିବା ସରପଞ୍ଚ ପ୍ରାର୍ଥୀନୀ ଗୌରୀ ମଲ୍ଲିକ ଓ ସମିତିସଭ୍ୟ ପ୍ରାର୍ଥୀ ଦଶରଥ ସେଠୀ, ସେମାନଙ୍କ ମୁଖ୍ୟ ସଂଗଠକ ଓ ସମର୍ଥକ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ।

ମଞ୍ଚର ସଂଗଠକ ହିମାଂଶୁ ବାରିକ ଏହି ଅବସରରେ କହିଛନ୍ତି ଯେ ପଞ୍ଚାୟତର ଉନ୍ନତି ତଥା ଭଦ୍ରକ ବିଧାୟକଙ୍କ ନେତୃତ୍ୱ ଉପରେ ଦୃଢ ଆସ୍ଥା ସ୍ଥାପନ କରି ଆମେ ବିଜେଡିରେ ସାମିଲ ହୋଇଛୁ। ପଞ୍ଚାୟତର ଉନ୍ନତି ପାଇଁ ବିଧାୟକ ସଂଜୀବ ମଲ୍ଲିକ ମଧ୍ୟ ନିଜର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ମଲ୍ଲିକ ପ୍ରତିକ୍ରିୟାରେ ଏହି ଦୁଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଦଳକୁ ସ୍ୱାଗତ କରିବା ସହ ଉକ୍ତ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଉକ୍ତ ପଞ୍ଚାୟତରେ ଦଳର ତୃଣମୂଳସ୍ତରର ନେତାଙ୍କୁ ଅଣଦେଖା କରାଯାଇଥିବାର ଅଭିଯୋଗ ଆଣିଥିଲେ ବହୁ କର୍ମୀ। ସେମାନଙ୍କୁ ଦଳୀୟ ସମର୍ଥନ ଦେବା ବଳଦରେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା ଦଳ। ତେଣୁ ଜିଦ୍‌ରେ ସେମାନେ ବିକାଶ ମଂଚ ଗଠନ କରି ପଞ୍ଚାୟତବାସୀଙ୍କ ରାୟ ମାଗିଥିଲେ। ପଞ୍ଚାୟତବାସୀ ମଧ୍ୟ ମଞ୍ଚ ଉପରେ ଭରସା ରଖି ଉଭୟଙ୍କୁ ବିଜୟୀ କରାଇଥିଲେ। ତେଣୁ ବିଜୟ ଲାଭ କରିବା ପରେ ସେମାନଙ୍କ ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଥିଲା। ଅପରପକ୍ଷେ ମଞ୍ଚ ଜରିଆରେ ଶସ୍ତା ରାଜନୀତି କରୁଥିବା ପ୍ରାର୍ଥୀଙ୍କ ଉପରେ ଆଗାମୀ ଦିନରେ ଭୋଟରମାନେ ଆଉ ବିଶ୍ୱାସ ସ୍ଥାପନ କରିବେ ନାହିଁ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.