Home ଓଡ଼ିଶା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରୁ କେବେ ଚିହ୍ନଟ ହେବେ...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରୁ କେବେ ଚିହ୍ନଟ ହେବେ ଅଯୋଗ୍ୟ ହିତାଧିକାରି:ବିଜେପି

807

କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧୀକାରି କାଢିବା ପାଇଁ ସରକାରଙ୍କ ନିଷ୍ପତି ପ୍ରସଙ୍ଗରେ

– କେତେ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ବିଜୁ ପକ୍କାଘର?
– ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରି ତାଲିକା କାହିଁ?
– କେଉଁ ୪୦ଲକ୍ଷ ଲୋକ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହୋଇଛନ୍ତି ସାମିଲ?
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଲାଭାର୍ଥୀଙ୍କ ତାଲିକା କାହିଁ?
– ସବୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ କି?

ଭୁବନେଶ୍ୱର, ୦୮/୦୮ (ଓଡ଼ିଆ ପୁଅ) : ୨୦୧୯ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ, ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ବିଜୁ ଜନତା ଦଳ ସରକାର କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ଅଯୋଗ୍ୟ ହିତାଧୀକାରି ମାନଙ୍କୁ ସାମିଲ କରିଥିଲେ। ଏ ବିଷୟରେ ଭାରତୀୟ ଜନତା ପାର୍ଟି ଅନେକ ଥର ଏ ପ୍ରସଙ୍ଗକୁ ଉଠାଇ ଆସିଛି। ଏବେ ରାଜ୍ୟ ସରକାର କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରି ବାଦ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ସ୍ୱଚ୍ଛତା କେବଳ ଏହି କାଳିଆ ଯୋଜନା ପାଇଁ ଲାଗୁ ହେବ ନା ଅନ୍ୟ ଯୋଜନାମାନଙ୍କରୁ ବି ଅଯୋଗ୍ୟ ହିତାଧିକାରି ମାନଙ୍କୁ ବାଦ ଦେବେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ କାଳିଆ ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଅର୍ଥ ବ୍ୟବସ୍ଥା କରି ଭୋଟ କିଣିବାର ଯୋଜନା ରଖିଥିଲେ ନବୀନ ପଟନାୟକ। ଏଥିରେ ଚାଷୀ ଓ ଅଣଚାଷୀ, ଦଳୀୟ କର୍ମୀମାନଙ୍କୁ ସାମିଲ କରିଥିଲେ ସରକାର। ଏବେ କାଳିଆ ତାଲିକା ଭିତରେ ବହୁ ଅଯୋଗ୍ୟ ହିତାଧିକାରୀ ପଶିଯାଇଛନ୍ତି ବୋଲି ଯୋଜନା ଆରମ୍ଭର ୮ ମାସ ପରେ ଚିନ୍ତା ପଶିଛି ସରକାରଙ୍କର।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଅନ୍ୟ ଯୋଜନାଗୁଡିକରେ ମଧ୍ୟ ବହୁ ଅଯୋଗ୍ୟ ଲୋକ ଫାଇଦା ନେଇଛନ୍ତି। ବିଜୁ ପକ୍କାଘର ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ କେବଳ ରାଜନୈତିକ ବିଚାରରେ ଦିଆଯାଇଛି। ଏହି କାରଣରୁ ବିଜୁ ପକ୍କାଘର ସମ୍ପର୍କରେ ଅତ୍ୟନ୍ତ ମିଥ୍ୟା ତଥ୍ୟ ନିଜେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ମୁଖା ଖୋଲିଯିବା ପରେ ପିଏମ୍ ଆବାସ ଯୋଜନା ପାଇଁ ଅର୍ଥ ମାଗୁଛନ୍ତି ସରକାର। ତେବେ କାଳିଆରେ ଯେଭଳି ଡାଟା ବ୍ୟବହାରର ସୂଚନା ଦେଇଛନ୍ତି ସରକାର, ସେଭଳି ଡାଟା ବ୍ୟବହାର କରି ବିଜୁ ପକ୍କାଘର ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣିବା ପାଇଁ ନିଷ୍ପତି ନେବେ କି ସରକାର?

ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ ବୋଲି ସରକାର ଘୋଷଣା କରିଥିଲେ। ଯୋଜନା ଅନୁସାରେ ପ୍ରତିବର୍ଷ ପରିବାର ୫ ଲକ୍ଷ ସ୍ୱାସ୍ଥ୍ୟ କଭରେଜ୍ ପାଇବେ। ରାଜ୍ୟରେ କେଉଁ ୭୦ ଲକ୍ଷ ପରିବାରକୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଲେ, ତାହା ସାର୍ବଜନୀନ ହେବା ନିହାତି ଜରୁରୀ। ମୋଦୀ ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କଲେ। ଏହାକୁ କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଦ୍ୱାହିରେ ନବୀନ ସରକାର ଓଡିଶାରେ ଲାଗୁ କରାଇ ଦେଲେ ନାହିଁ। ତେବେ ଯେଉଁ ୭୦ ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି

ସରକାର ଦାବି କରୁଛନ୍ତି ଏବଂ ଯେଉଁମାନଙ୍କ ସକାଶେ ବର୍ଷକୁ ୨୫୦କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରାଯାଇଛି, ସେମାନଙ୍କର ତାଲିକା ସରକାର ପ୍ରକାଶ କରିବେ କି? ଯଦି ଏମାନଙ୍କ ଭିତରୁ କେହି ଅଯୋଗ୍ୟ ହିତାଧିକାରୀ ଥାଆନ୍ତି, ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବ କିଏ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଅନ୍ୟ ଏକ ଯୋଜନା ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଜାତୀୟ ଖାଦ୍ୟ ନିରାପତା ଯୋଜନା ଥିବା ସତ୍ୱେ ୨୦୧୯ନିର୍ବାଚନକୁ ଆଖିରେ ରଖି ନବୀନ ସରକାର ଅଚାନକ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ। ପ୍ରଥମେ ୨୫ ଲକ୍ଷ ଗରିବ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରାଯାଇଥିଲା। ପରେ ଏହାକୁ ୪୦ ଲକ୍ଷକୁ ବଢାଇ ଦିଆଗଲା। କିନ୍ତୁ ଏପର୍ଯ୍ୟନ୍ତ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନଙ୍କୁ ନବୀନ ସରକାର ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି ବୋଲି ଦାବି କରୁଛନ୍ତି, ସେମାନଙ୍କର ତାଲିକା ନାହିଁ। ନିଜସ୍ୱ ଯୋଜନା ପାଇଁ ନିଜସ୍ୱ ପଡିକାର୍ଡ ବ୍ୟବସ୍ଥା କରିନାହାଁନ୍ତି ସରକାର। ଗତ ଫୋନି ବେଳେ ଧରା ପଡିଗଲା ଯେ, ବହୁ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ। ତେବେ ପ୍ରାୟ ବର୍ଷେ ହେଲା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ କେଉଁ ୪୦ ଲକ୍ଷ ଲୋକଙ୍କୁ ନବୀନ ସରକାର ଟଙ୍କିକିଆ ଚାଉଳ ଯୋଗାଇ ଆସୁଛନ୍ତି? ସେମାନଙ୍କର ତାଲିକା ପ୍ରକାଶ ପାଇଲେ ଅଯୋଗ୍ୟ ହିତାଧିକାରୀ ବାହାରି ଆସିବେ। ଜାତୀୟ ଖାଦ୍ୟ ନିରାପତା ଆଇନ ଅନ୍ତର୍ଭୁକ୍ତ ପରିବାର ବାହାରେ ନବୀନ ସରକାର ଆଉ କେଉଁ ପରିବାରକୁ ଟଙ୍କିକିଆ ଚାଉଳ ଦେଉଛନ୍ତି, ଏଥିରେ ଥିଲାବାଲା ଅଛନ୍ତି କି ନାହିଁ, ତାହା ତାଲିକା ପ୍ରକାଶ ପାଇବା ପରେ ହିଁ ଜଣାପଡିବ। ତେବେ ଏ କ୍ଷେତ୍ରରେ ସ୍ୱଚ୍ଛତା ଅନୁସରଣ କରିବାକୁ ନବୀନ ସରକାର ସାହସ ଦେଖାଇବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.