Home Top News ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା କନ୍ଧମାଳ ଜିଲ୍ଲା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା କନ୍ଧମାଳ ଜିଲ୍ଲା

32

– କନ୍ଧମାଳର ୬.୫୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
– ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ, ସଫଳ କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ – ମୁଖ୍ୟମନ୍ତ୍ରୀ
– କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ
– କନ୍ଧମାଳରେ ୨୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ଜୈବିକ ଫସଲ ପାଇଁ କନ୍ଧମାଳ ଜିଲ୍ଲାର ଖୁବ୍‌ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କନ୍ଧମାଳ ହେଉଛି ସୁନାର ଭୂମି। ଜୈବିକ ଫସଲ ବିଶେଷ କରି କନ୍ଧମାଳ ହଳଦୀ ଆଜି ସାରା ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିଛି। ଜୈବିକ ଫସଲ ପାଇଁ ଏବେ ଆଗ୍ରହ ବଢୁ ଥିବାରି ଏ କ୍ଷେତ୍ରରେ କନ୍ଧମାଳର ବହୁତ ସୁଯୋଗ ରହିଛି ବୋଲି ସେ କହିଥିଲେ। ସେହିପରି Eco-Tourism ପାଇଁ ମଧ୍ୟ କନ୍ଧମାଳ ସାରା ଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏ ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି କହିଥିଲେ।

ଆଜି କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଏଥିରେ ଭିତ୍ତିଭୂମି ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ୫୦୪ କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ Medical College & Hospital ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ ଯେ ଏଥିରେ ବର୍ଷକୁ ୧୦୦ ଜଣ ପିଲା ଡାକ୍ତରୀ ପାଠ ପଢିପାରିବେ। ମେଡିକାଲ କଲେଜ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୬୯ ଗ୍ରାମ ପଞ୍ଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି। ଏଥିପାଇଁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେଉଛନ୍ତି।

ବାଲିଗୁଡାରେ ନିର୍ମାଣାଧୀନ ୨୨୦/୩୩ KV Grid Station ଖୁବ୍‌ ଶିଘ୍ର ଶେଷ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ଓ ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକାର ପାଇବେ। ଏହାଦାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କନ୍ଧମାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬ ଲକ୍ଷ ୫୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ଭବ କରିପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ଶ୍ରୀ ଅଙ୍ଗଦ କହଁର ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ବୋଲି କହିଥିଲେ। ନମ୍ର ସ୍ବଭାବ ଓ ଦୂରଦୃଷ୍ଟି ଯୋଗୁଁ ମୁଖ୍ୟମନ୍ତ୍ରୀ ଆଜି ବିକାଶ ଇତିହାସରେ ଓଡିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇପାରିଛନ୍ତି ବୋଲି ସେମାନେ କହିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେତେକ ହିତାଧିକାରୀଙ୍କୁ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.