Home ଓଡ଼ିଶା ବିଆରପିଏଲ୍ ପାଇପ ଲାଇନ ଫାଟି ବସ୍ତି ବାସିନ୍ଦାଙ୍କ ଘରେ ପଶିଲା ଫାଇନ୍ସ କାଦୁଅ ପାଣି

ବିଆରପିଏଲ୍ ପାଇପ ଲାଇନ ଫାଟି ବସ୍ତି ବାସିନ୍ଦାଙ୍କ ଘରେ ପଶିଲା ଫାଇନ୍ସ କାଦୁଅ ପାଣି

175

ଯୋଡା, ୧୦/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବ୍ରାହ୍ମଣୀ ରିଭର ପିଲେଟ ଲିଃ (ବି.ଆର.ପି.ଏଲ୍‌.) କମ୍ପାନୀ ଲୁହା ଗୁଣ୍ଡ ସହିତ ଜଳ ମିଶ୍ରଣ କରି ପାଇପ ଲାଇନ ଯୋଗେ ଯୋଡା ପୌରାଞ୍ଚଳ ମଧ୍ୟ ଦେଇ ଲୁହାପଥର ପରିବହନ କରିଥାଏ । ଗୁରୁବାର ଦିନ ଏହି ପାଇପ ଲାଇନ ଯୋଡା ପୌରାଞ୍ଚଳର ଚେମେରି କ୍ୟାମ୍ପ ନିକଟରେ ଫାଟି ଯିବା ଫଳରେ ଭୟାନକ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ବ୍ୟାପକ ପରିମାଣର ଜଳ ମିଶ୍ରିତ ଲୁହାପଥର ଗୁଣ୍ଡ କାଦୁଅ ପାଣି ବସ୍ତି ବାସିନ୍ଦାଙ୍କ ଘରେ ପଶିଯାଇଛି । ବସ୍ତିର ପ୍ରାୟ ୧୭ଜଣଙ୍କ ଘରେ ଏହି କାଦୁଅ ପାଣି ପଶିଯିବା ଯୋଗୁଁ ସେମାନଙ୍କ ଆସବାସପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ସେମାନଙ୍କ ଘରେ ଚୂଲି ଜଳିପାରିନାହିଁ । ଏହି କାଦୁଅ ପାଣି ବସ୍ତି ବାସି ମଧ୍ୟରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଥିବା ବେଳେ ଲୋକମାନେ ଘର ଦ୍ୱାର ଛାଡି ପିଲା ଛୁଆ ନେଇ ରୋଡ ଉପରେ ଆସି ବସିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବା ବେଳେ କମ୍ପାନୀ ଠାରୁ କ୍ଷତୀ ପୂରଣ ଦାବି କରିଛନ୍ତି । କ୍ଷତିଗ୍ରସ୍ଥ ବାସିନ୍ଦାମାନେ ହେଲେ ଚୂଡା କାଳନ୍ଦି, ଜଗଦିଶ କାଳନ୍ଦି, କୈଳାଶ କାଳନ୍ଦି, ଶ୍ୟାମସୁନ୍ଦର କାଳନ୍ଦି, ଲତା କାଳନ୍ଦି, ପ୍ରଭାତ କାଳନ୍ଦି, ମୀନା କାଳନ୍ଦି, ରାଜୁ କାଳନ୍ଦି, ବାସନ୍ତି କାଳନ୍ଦି ଇତ୍ୟାଦି । ସେମାନଙ୍କ ମଧ୍ୟରୁ ଶ୍ୟାମସୁନ୍ଦର କାଳନ୍ଦିଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏହି ପାଇପ ଫାଟିବା ଘଟଣା ପ୍ରଥମ ଥର ହୋଇନଥିବା ବେଳେ ବାରମ୍ବାର ସେହି ଏକା ସ୍ଥାନରେ ମରାମତି ଅଭାବରୁ ପାଇପ ଫାଟୁଥିବା ଯୋଗୁଁ ବସ୍ତି ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ, ବିଆରପିଏଲ କମ୍ପାନୀ ଦ୍ୱାରା ଏହି ପାଇପ ଲାଇନ ଯୋଗେ ବଡବିଲ ଟଣ୍ଟୋ ଠାରୁ ଜଳ ମିଶ୍ରିତ ଲୁହାପଥର ଗୁଣ୍ଡ ଯାଜପୁର କଳିଙ୍ଗନଗର ସ୍ଥିତ ପିଲେଟ ପ୍ଲାଣ୍ଟକୁ ପରିବହନ କରାଯାଇଥାଏ । ତେବେ କେଉଁ କାରଣରୁ ଏହି ପାଇପ ଲାଇନ ବାରମ୍ବାର ଫାଟିଥାଏ ତାହା ସ୍ପଷ୍ଟ ହୋଇନଥିବା ବେଳେ ନିୟମିତ ଯାଞ୍ଚ ଅଭାବରୁ ଏହା ଘଟୁଥିବା ସାଧାରଣରେ ଅଭିଯୋଗ ହୋଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.