Home ଜିଲ୍ଲା ପରିକ୍ରମା ବାଲେଶ୍ୱର ବିଜ୍ଞାନ ଏକାଡେମୀ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ

ବାଲେଶ୍ୱର ବିଜ୍ଞାନ ଏକାଡେମୀ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ

36

ବାଲେଶ୍ୱର, ୨୮ା୨(ଓଡ଼ିଆ ପୁଅ/ଅଭୟ ଦାସ): ବ୍ୟକ୍ତିର କର୍ମମୟ ଜୀବନ ତାକୁ ସବୁଦିନ ମାନବ ସମାଜରେ ଅମର କରି ରଖିଥାଏ। ନିଜ ଦେଶ ତଥା ସାରା ବିଶ୍ୱକୁ ଆଲୋକିତ କରିଥିବା ତଥା ନୂଆଚିନ୍ତନ ଓ ନୂତନ ଦିଶା ଦେଇଥିବା ମଣିଷ ଆମ ସମସ୍ତଙ୍କର ଆଦରଣୀୟ ଓ ଆଦର୍ଶ ପାଲଟି ଯାଆନ୍ତି। ସେହିଭଳି ଜଣେ ଯୋଗଜନ୍ମା ମଣିଷ ହେଉଛନ୍ତି ନୋବେଲ ବିଜେତା, ଭାରତ ରତ୍ନ, ବିଶ୍ୱବିଖ୍ୟାତ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ। ସେ ଆବିଷ୍କାର କରିଥିବା ରମଣ ଇଫେକ୍ଟ ସାରା ବିଶ୍ୱକୁ ନୂଆ ଦିଶା ଦେଇଛି ବୋଲି ଜାତୀୟ ବିଜ୍ଞାନ ଦିବସ ପାଳନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବାଲେଶ୍ୱର ବିଜ୍ଞାନ ଏକାଡେମୀ ଆନୁକୂଲ୍ୟରେ ସହର ଉପକଣ୍ଠ ମେଘଡମ୍ବରୁସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ(କେଏମସି) ପରିସରରେ ଜାତୀୟ ବିଜ୍ଞାନ ଦିବସ ରବିବାର ପାଳିତ ହୋଇଯାଇଛି। କେଏମସିର ଅଧ୍ୟକ୍ଷ ତଥା ନୀଳରକ୍ତ କଙ୍କଡ଼ା ବିଶେଷଜ୍ଞ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସଭାରେ ପୌରୋହିତ୍ୟ କରିଥିଲେ। ରିଷ୍ଟ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ କାଳୀଚରଣ ସେଠୀ ମୁଖ୍ୟ ଅତିଥି ଏବଂ ବାଲେଶ୍ୱର ବିଜ୍ଞାନ ଏକାଡେମୀର ସମ୍ପାଦକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ସାହିତ୍ୟିକ ହରପ୍ରସାଦ ପାଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସି.ଭି ରମଣଙ୍କ “ରମଣ ଇଫେକ୍ଟ’ ବୈଶିଷ୍ଟତା ସମ୍ପର୍କରେ ଆଲୋକପାତ ସହ ପ୍ରତିଟି କଥାକୁ ଅନ୍ଧ ଭାବେ ଗ୍ରହଣ ନ କରି ଏହାକୁ ବିଜ୍ଞାନର ତଥ୍ୟ ଆଧାରିତ କି ନୁହେଁ ପରୀକ୍ଷା କରିବା ଉଚିତ ବୋଲି କହିଥିଳେ। ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ବିଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ସହ ବିଶ୍ୱକୁ ସିଭି ରମଣଙ୍କ ଅବଦାନ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। “ରମଣ ଇଫେକ୍ଟ’ ପାଇଁ ସିଭି ରମଣଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅତିଥିମାନେ ସୂଚନା ଦେଇଥିଲେ। କଲେଜର ପ୍ରାଶାସନିକ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ “ସମାଜ’ର ସହ ସମ୍ପାଦକ ଜଗନ୍ନାଥ ଖଟୁଆ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ପାଇଁ କଲେଜ କ୍ୟାମ୍ପସରେ ଅତିଥିମାନେ ଚାରା ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.