Home ଓଡ଼ିଶା ବାଲେଶ୍ୱର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିକ୍ଷୋଭ – କୋଭିଡ୍ ପରିଚାଳନାରେ ସଚିବସ୍ତରୀୟ ପଦାଧିକାରୀ ନିଯୁକ୍ତି...

ବାଲେଶ୍ୱର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିକ୍ଷୋଭ – କୋଭିଡ୍ ପରିଚାଳନାରେ ସଚିବସ୍ତରୀୟ ପଦାଧିକାରୀ ନିଯୁକ୍ତି ଦାବି

78

ବାଲେଶ୍ୱର, ୨୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। କମିଟି ସଭାପତି ଅନନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ପୂବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଅନ୍ତର୍ଯ୍ୟାମୀ ପ୍ରଧାନ, ନିରଂଜନ ପରିଡ଼ା, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ବେଣୁଧର ବାରିକ, ଶରତ ଚନ୍ଦ୍ର ଦଳେଇ, ଅର୍ଚ୍ଚନା ନନ୍ଦୀ, ସଂଧ୍ୟାଦାସ ମଜୁମଦାର, ପ୍ରଭାକର ସାହୁ, ଶ୍ୟାମସୁନ୍ଦର ଜେନା, ରବିନାରାୟଣ ଭୋଳ, ଯଶୋଦା ନନ୍ଦନ ଆଶ, ନିକୁଞ୍ଜ ବସନ୍ତ ରାୟ, ବିକାଶ କୁମାର ଦାସ, ଜୀବନ କିଶୋର ବାରିକ, ଶେଖ୍ ଆଲ୍ଲାଉଦ୍ଦିନ୍‌, ଜୟନ୍ତ ଦାସ, ମନୋଜ ନାୟକ ପ୍ରମୁଖ ଯୋଗଦେଇ କରୋନା ଭଳି ସ୍ଥିତିରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ସମେତ ଜିଲ୍ଲା ପ୍ରଶାସନର ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଅବହେଳାରୁ ଉଚିତ ଚିକିତ୍ସା ନ ପାଇ ବାଲେଶ୍ୱରର ବହୁ ଅମୂଲ୍ୟ ଜୀବନ ଚାଲିଯାଇଥିବା ବକ୍ତାମାନେ କହିଥିଲେ। ପ୍ଲାଜ୍‌ମା ଥେରାପିରେ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ସମ୍ବାଦ ସରକାରୀ ଭାବେ ଦର୍ଶାଯାଉଥିବା ବେଳେ ବାଲେଶ୍ୱରରେ ତାହା ସଫଳ ହେଉନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ କଟକଣାକୁ ବାଲେଶ୍ୱର ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ପାଇଁ କଡ଼ାକଡ଼ି ଲାଗୁ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗ ତଥା ଜିଲ୍ଲା ପ୍ରଶାସନର ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ କରୋନା ଭୂତାଣୁ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଘଟଣା ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି ବୋଲି ସେମାନେ କହିଥିଲେ। କରୋନା ସହ ସମ୍ମୁଖ ଯୁଦ୍ଧରେ ଛାମୁଆ ବାହିନୀ କୁହାଯାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଜଣେ ସାଧାରଣ ରୋଗୀ କରୋନା ସଂକ୍ରମିତ ଜାଣିବା ପରେ ସେମାନେ ସଂପୃକ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରୁନଥିବା ଅମାନବୀୟ କାର୍ଯ୍ୟ ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି। ସେହିପରି ବାଲେଶ୍ୱରରେ ପ୍ଲାଜ୍‌ମା ବ୍ୟାଙ୍କ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ରକ୍ତ ପୃଥକୀକରଣ କେନ୍ଦ୍ର ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଆବଶ୍ୟକୀୟ ଯନ୍ତ୍ରାଂଶ ଦୀର୍ଘଦିନ ଧରି ବାଲେଶ୍ୱରରେ ପହଞ୍ôଚଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ଓ ଟେକ୍‌ନିସିଆନ୍ ନିଯୁକ୍ତି କରାଯାଉନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ବାଲେଶ୍ୱର ହସ୍‌ପିଟାଲ୍ ପରିସରରେ ଥିବା ଜନୌଷଧି କେନ୍ଦ୍ରକୁ ଇଚ୍ଛାକୃତ ଭାବେ ବନ୍ଦ କରିଦେବା ଦ୍ୱାରା ରୋଗୀମାନେ ଅଧିକ ଦାମ୍‌ରେ ବିଭିନ୍ନ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ଜିଲ୍ଲା ପ୍ରଶାସନର ଅପାରଗତା ପାଇଁ ଜିଲ୍ଲାବାସୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଚାଲିଛନ୍ତି। ସବୁଠାରୁ ବଡ଼କଥା ହେଲା ବର୍ତ୍ତମାନର ଅଣଓଡ଼ିଆ ଜିଲ୍ଲାପାଳଙ୍କ ଯୋଗୁଁ ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନଥିବା ବକ୍ତାମାନେ କହିଥିଲେ। କରୋନା ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାକୁ ପର୍ଯ୍ୟାପ୍ତ ଅର୍ଥ ଆସୁଥିଲେ ବି ଦିନକୁ ଦିନ ରୋଗୀ ମୃତ୍ୟୁ ବୃଦ୍ଧି ପାଇ ଚାଲିଛି। ଏଭଳି ସ୍ଥିତିରେ ବାଲେଶ୍ୱରବାସୀଙ୍କୁ ମହାମାରୀ କରୋନାରୁ ବଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କୁ କୋଭିଡ୍ ପରିଚାଳନାରୁ ପ୍ରତ୍ୟାହାର କରି ଜଣେ ସିଚବ ସ୍ତରୀୟ ପଦାଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ ପାଇଁ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷର ଦାବି ହୋଇଛି। ଏଥି ସହିତ କରୋନା ମୁକାବିଲା ଓ ଉ୍‌ନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ କାର୍ଯ୍ୟକାରୀ କରିବା, ସମଗ୍ର ଜିଲ୍ଲାରେ କୋଭିଡ୍ ପରୀକ୍ଷାକୁ ତ୍ୱରାନ୍ୱିତ କରିବା, ସାଧାରଣ ରୋଗୀଙ୍କୁ ଅବହେଳା ନକରି ସେମାନଙ୍କ ଚିକିତ୍ସା ପାଇଁ ଉଚିତ ବ୍ୟବସ୍ଥା ଆଦି କରିବା ପାଇଁ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଥିଲା। ଏହି ଅବସରରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ମେଡିକାଲ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.