Home ଓଡ଼ିଶା ବାଲେଶ୍ୱରର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପ୍ରତି ଧ୍ୟାନ ନାହିଁ : କେଉଁ ମୁହଁ ନେଇ ଭୋଟ ମାଗୁଛନ୍ତି...

ବାଲେଶ୍ୱରର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପ୍ରତି ଧ୍ୟାନ ନାହିଁ : କେଉଁ ମୁହଁ ନେଇ ଭୋଟ ମାଗୁଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ: ବିଜେପି

46

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେ ଜିଲ୍ଲାବାସୀ ପ୍ରତିକ୍ଷଣରେ ଚିତ୍କାର କରୁଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରି ବାଲେଶ୍ୱର ସଦର ମହକୁମାରେ ଥାଇ ମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏ ହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କର୍ମକର୍ତ୍ତାମାନେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦାୟିତ୍ୱ କର୍ତ୍ତବ୍ୟ ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଉପ-ନିର୍ବାଚନରେ ବିଜେଡି ସପକ୍ଷରେ ଭୋଟହାର ବୃଦ୍ଧି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱରରେ ଦୀର୍ଘଦିନ ଧରି ଡେରା ପକାଇଥିଲେ ବି ଜିଲ୍ଲାର ଋଗୁଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ କେତେ ସଚେତନ ଅଛନ୍ତି ବୋଲି ସେମାନେ କହିଛନ୍ତି। କୋଭିଡ୍ ପରିଚାଳନାରେ ରାଜ୍ୟସରକାର ବିଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜର ସାମ୍ବିଧାନିକ ଦାୟିତ୍ୱ ପ୍ରତି ଅବହେଳା କରି ବାଲେଶ୍ୱରରେ ଦୀର୍ଘଦିନ ଅଟକି ରହିବା କେତେ ଯଥାର୍ଥ ବୋଲି ବିଜେପି ପକ୍ଷରୁ ଅଭିିଯୋଗ ହୋଇଛି। ନ୍ୟାସନାଲ ଫେମିଲି ହେଲ୍‌ଥ ସର୍ଭେ ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୫ ବର୍ଷରୁ କମ ବୟସର ୩୩-୨ ପ୍ରତିଶତ ଶିଶୁଙ୍କର ପୋଷଣ ଅଭାବରୁ ଶାରୀରିକ ଓ ମାନସିକ ଅଭିଭୃଦ୍ଧି ହୋଇନାହିଁ, ୨୮ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର, ୧୨ରୁ ୨୩ମାସ ମଧ୍ୟରେ ଶିଶୁଙ୍କୁ ଆବଶ୍ୟକୀୟ ଟିକା ପ୍ରଦାନ କରାଯାଇନାହିଁ, ଜନନୀ ସୁରକ୍ଷା ଯୋଜନାରେ ଜିଲ୍ଲାର ୩୪ ପ୍ରତିଶତ ମହିଳାପ୍ରସବ କାଳୀନ ଆର୍ଥିକ ସହାୟତାରୁ ବଞ୍ଚିତ, ମୌଳିକ ସୁବିଧା ସୁଯୋଗର ଅଭାବରୁ ୪୨ ପ୍ରତିଶତ ଗର୍ଭବତୀ ମହିଳା ଆଣ୍ଟି ନାଟାଲ ସେଣ୍ଟର (ଏଏନସି)କୁ ଯାଇ ପାରୁନାହାନ୍ତି। ମାତ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ବାଲେଶ୍ୱରରେ ଥାଇ ମଧ୍ୟ ଜିଲ୍ଲାର ସ୍ୱାସ୍ଥ୍ୟସେବା ସ୍ଥିତି ପ୍ରତି ଟିକିଏ ହେଲେ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି ପକ୍ଷରୁ ଆରୋପ କରାଯାଇଛି। ସବୁଠାରୁ ବଡ଼କଥା ହେଲା ଭେଣ୍ଟିଲେଟର ଅଭାବରୁ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ପ୍ରଦାନ କରିଥିବା ୫୬୭ଟି ଭେଣ୍ଟିଲେଟର ମଧ୍ୟରୁ ଅଦ୍ୟାବଧି ୪୨୦ଟି ବ୍ୟବହାର ନହେବା। ଅନ୍ୟପକ୍ଷରେ ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲା ମାତ୍ର ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇପାରୁ ନାହିଁ। ମୁଖ୍ୟଡାକ୍ତରଖାନା ସମେତ ଜିଲ୍ଲାର ସମସ୍ତ ପିଏଚସି ଓ ସିଏଚସିରେ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବ ଥିବା ବେଳେ ପ୍ରତିଦିନ ଶହ ଶହ ରୋଗୀଙ୍କୁ କଟକ ଓ ଭୁବନେଶ୍ୱରକୁ ରେଫର କରିଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ବେଶ୍ କିଛିଦିନ ଧରି ବାଲେଶ୍ୱରରେ ରହି ସଦର ଉପନିର୍ବାଚନର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଆପତତଃ ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟକୁ ନେଇ ଉପୁଜିଥିବା ସମସ୍ୟା ସମାଧାନ ଓ ସ୍ୱାସ୍ଥ୍ୟସେବାର ସୁଧାର ନେଇ କେଉଁ ପଦକ୍ଷେପ ସବୁ ନେଉଛନ୍ତି, ତାହାକୁ ପ୍ରଚାର ସମୟରେ ଭୋଟର ତଥା ଜନସାଧାରଣଙ୍କୁ ଜଣାନ୍ତୁ। ନଚେତ ସାଧାରଣ ଜନତା ଆପଣଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ବିଜେପି କର୍ମକର୍ତ୍ତାମାନେ କହିଛନ୍ତି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ଉପନେତା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀ, ବିଜେପି ରାଜ୍ୟ ମୁଖୃପାତ୍ର ସତ୍ୟବ୍ରତ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ବିପିନ ବିହାରୀ ଦାସ, ଜିଲ୍ଲା ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ମିଡିଆ ପ୍ରଭାରୀ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.