Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଫାଇଲେରିଆ ନିରାକରଣ ଅଭିଯାନ ୧୦ରୁ

ବାଲେଶ୍ୱରରେ ଫାଇଲେରିଆ ନିରାକରଣ ଅଭିଯାନ ୧୦ରୁ

11

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ଫେବୃଆରୀ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୂହିକ ବାତଜ୍ୱର ବା ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଲେଶ୍ୱର ଜିଲ୍ଲାର ୪ଗୋଟି ପୌରାଂଚଳ ସହିତ ୧୨ଗୋଟି ବ୍ଲକର ୨୧ଲକ୍ଷ ଲୋକଙ୍କୁ ଡି.ଇ.ସି. ଏବଂ ଆଲବେଣ୍ଡାଜୋଲ୍ ବଟିକା ସେବନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡା. ଦୁଲାଳସେନ ଜଗଦ୍ଦେବ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ବଟିକା ସମ୍ପୂର୍ଣ୍ଣ ନିରାପଦ ଏବଂ ଶରୀରରେ ଲୁଚି ରହିଥିବା ମାଇକ୍ରୋ ଫାଇଲେରିଆକୁ ମାରି ବାତଜ୍ୱର ବା ଗୋଦର ହେବାକୁ ଦେଇ ନ ଥାଏ। କେବଳ ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତି ଏହି ଔଷଧ ସେବନ କରିବେ ନାହିଁ। ଖାଦ୍ୟ ଖାଇସାରିବା ପରେ ଏହି ଔଧଧ ସେବନ କରାଯିବ। ଜିଲ୍ଲାରେ ୫୧୮୦ଜଣ ଆଶା, ଅଙ୍ଗନୱାଡି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ। ଏହି କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ ପାଇଁ ୫୧୮ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଜିଲ୍ଲାସ୍ତରୀୟ ୧୩ଜଣ ଅଧିକାରୀ ପ୍ରତ୍ୟେକ ବ୍ଲକକୁ ଯାଇ ଏହି କାର୍ଯ୍ୟକ୍ରମର ତଦାରଖ କରିବେ। ବାଲେଶ୍ୱର ଏକ ଫାଇଲେରିଆ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ସମସ୍ତ ବ୍ୟକ୍ତି ଆଶା, ଅଙ୍ଗନୱାଡି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ଏହା ସେବନ କରିବାକୁ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭିବିଡି) ଡା. ଶଶାଙ୍କ ଶେଖର ଚୌଧୁରୀ ପରାମର୍ଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଦୁଲାଳ ସେନ ଜଗଦ୍ଦେବ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ ଏବଂ ଜିଲ୍ଲା ବାହକ ବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.