Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍କଳ କେଶରୀଙ୍କୁ ଭାରତରତ୍ନ ପ୍ରଦାନ ଦାବି

ବାଲେଶ୍ୱରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍କଳ କେଶରୀଙ୍କୁ ଭାରତରତ୍ନ ପ୍ରଦାନ ଦାବି

17

ବାଲେଶ୍ୱର, ୨୧ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ହରେକୃଷ୍ଣ ମହତାବ ସ୍ମୃତି କମିଟି, ପୂଜ୍ୟପୂଜା ସଂସଦର ମିଳିତ ସହଯୋଗରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ସ୍ଥାନୀୟ ଜାତୀୟ ରାଜପଥ ଡାକବଙ୍ଗଳାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ। ଉତ୍କଳ ମେଲ୍ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଡକ୍ଟର ପୀତବାସ ମିଶ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାନ ଜନନାୟକ ତଥା ନବ ଉତ୍କଳର ନିର୍ମାତାଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତୀୟ ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ସାରସ୍ୱତ ସାଧନା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ତାଙ୍କର ଦଖଲ ରହିଥିଲା। ମାତ୍ର ଓଡ଼ିଶା ମାଟିରେ ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଉଚିତ ମୂଲ୍ୟାଙ୍କନ କରାଯାଇନାହିଁ। ଅନ୍ୟ କେଉଁ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ହୁଏତ ସେ ଭାରତର ପ୍ରଧାନ ମନ୍ତ୍ରୀ ହୋଇପାରିଥା’ନ୍ତେ ବୋଲି ଡକ୍ଟର ମିଶ୍ର ମତ ପ୍ରକାଶ କରିଥିଲେ। ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ କେଶରୀ ଡକ୍ଟର ମହତାବଙ୍କ ଜୀବନାଦର୍ଶ ଓ ନବ ଉତ୍କଳର ନିର୍ମାଣରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ବରିଷ୍ଠ ସହ-ସମ୍ପାଦକ କୁଳମଣି ବାରିକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶେଷ ସମୟ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ଡକ୍ଟର ମହତାବ ଜୀବନର ଦେଇଥିବା ତ୍ୟାଗପୂର୍ଣ୍ଣ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ତତ୍କାଳୀନ ଉତ୍କଳର ସାମାଜିକ, ଆର୍ଥିକ ଓ ରାଜନୈତିକ ବିକାଶରେ ତୀକ୍ଷ୍ଣ ଦୂରଦୃଷ୍ଟି ସମ୍ପନ୍ନ ଏହି ବ୍ୟକ୍ତିତ୍ୱଙ୍କ ଅବଦାନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ବାରିକ ମତ ଦେଇଥିଲେ। ସମାଜସେବୀ ସୁବାସିନୀ ଜେନା, ରୂପାୟନର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟ ଓ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ଏଥିରେ ବିଶେଷ ବକ୍ତା ଭାବେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନଠାରୁ ମୁଖ୍ୟମନ୍ତ୍ରୀତ୍ୱ କାଳ ପର୍ଯ୍ୟନ୍ତ ଡକ୍ଟର ମହତାବ ସମଗ୍ର ଓଡ଼ିଶାରେ ପ୍ରତିନିଧିତ୍ୱ କରିଥିଲେ ବି ବାଲେଶ୍ୱର ତାଙ୍କର ଉଭୟ ରାଜନୈତିକ ଓ ସାମ୍ବାଦିକ ଜୀବନର କର୍ମଭୂମି ଥିଲା ବୋଲି କହିଥିଲେ। ତାଙ୍କୁ ମରଣୋତ୍ତୋର ଭାରତରତ୍ନ ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ। ହରେକୃଷ୍ଣ ସ୍ମୃତି କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ସତ୍ୟପ୍ର୍ରିୟ ମହାନ୍ତି ଏଥିରେ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଦେବବ୍ରତ ପାଣିଗ୍ରାହୀ ପ୍ରାକ୍ ସୂଚନା ଦେଇଥିଲେ। ସାମ୍ବାଦିକା ଅପର୍ଣ୍ଣା ମହାପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.