Home ଜିଲ୍ଲା ପରିକ୍ରମା ଉଡ଼ନ୍ତା ପୋଲ ମରାମତି ବିଳମ୍ବକୁ ନେଇ ଉଦ୍ବେଗ : ଜିଲ୍ଲାପାଳଙ୍କୁ ଭେଟିବ ସିଭିଲ ସୋସାଇଟି

ଉଡ଼ନ୍ତା ପୋଲ ମରାମତି ବିଳମ୍ବକୁ ନେଇ ଉଦ୍ବେଗ : ଜିଲ୍ଲାପାଳଙ୍କୁ ଭେଟିବ ସିଭିଲ ସୋସାଇଟି

58

ବାଲେଶ୍ୱର, ୨୧ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶାର ପ୍ରଥମ ଉଡ଼ନ୍ତା ପୋଲ ତଥା ଉତ୍ତର ଓଡ଼ିଶାର ଜୀବନରେଖା ଭାବେ ପରିଚିତ ବାଲେଶ୍ୱର ଉଡ଼ନ୍ତା ପୋଲର ମରାମତି କାର୍ଯ୍ୟରେ ମନ୍ଥରତାକୁ ନେଇ ସିଭିଲ ସୋସାଇଟି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଶନିବାର ଦିନ ସୋସାଇଟି ପକ୍ଷରୁ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗର ଖାମଖିଆଲି ମନଭାବ ଯୋଗୁଁ ଓଭର ବ୍ରିଜ୍‍ ମରାମତି କାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ଆରୋପ ଉଠାଇଥିଲେ। ବାଲେଶ୍ୱର ସିଭିଲ୍ ସୋସାଇଟିର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ମନୋଜ ନାୟକ, ସୀତାରାମ ପ୍ରଧାନ, ଦେବାଶିଷ ସିଂ, ବେଣୁଧର ବାରିକ, ସନ୍ତୋଷ କୁମାର ସାହୁ, ନିରଞ୍ଜନ ପରିଡ଼ା, ସୁଦର୍ଶନ ଦାଶ, ସୁଧାଂଶୁ ଦାଶ ଓ ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ପ୍ରଶାସନ ଓ ପୂର୍ତ୍ତ ବିଭାଗର କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ଆଠ ବର୍ଷର ଦାବି ଓ ବାଲେଶ୍ୱରବାସୀଙ୍କ ଆନ୍ଦୋଳନ ଫଳରେ ଏହି ଉଡ଼ନ୍ତା ପୋଲର ମରାମତି କାର୍ଯ୍ୟ ପାଇଁ ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିଛନ୍ତି। ମାତ୍ର ଏହି ପୋଲ ତଳେ ଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରିବାରେ ପ୍ରଶାସନର ଅବହେଳା ଯୋଗୁଁ କାର୍ଯ୍ୟାଦେଶ ପାଇଥିବା ହାରକୁଲାସ ଷ୍ଟ୍ରକ୍‌ଚରାଲ କମ୍ପାନି ଠିକ୍‍ ଭାବେ ମରାମତି କାର୍ଯ୍ୟ କରିପାରି ନଥିବା ବୈଠକରେ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ। ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ବିଭାଗ କିଭଳି ମରାମତି କାର୍ଯ୍ୟ ଆରମ୍ଭ କଲେ ବୋଲି ବୈଠକରେ ବହୁ ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ମରାମତି କାମ ନିମ୍ନମାନର ହେଉଥିବାର ମଧ୍ୟ କେତେକ ସଭ୍ୟ ବୈଠକରେ ଅଭିଯୋଗ କରିଥିଲେ। ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ସମ୍ପୃକ୍ତ ବିଭାଗର କୌଣସି ଅଧିକାରୀ ସେଠାରେ କାର୍ଯ୍ୟସ୍ଥଳରେ ଉପସ୍ଥିିତ ନ ରହିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଯାହାଫଳରେ ସରକାରଙ୍କ ତରଫରୁ ଆସିଥିବା ମଞ୍ଜୁରୀ ଅର୍ଥ ସଠିକ୍ ବିନିଯୋଗ ହେବାରେ ଆଶଙ୍କା ଦେଖାଦେଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବ୍ୟବସାୟୀଙ୍କ ତରଫରୁ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମୋକଦ୍ଦମା ରୁଜୁ ହୋଇଥିବାର ମାମଲାର ରାୟ ଅନୁସାରେ ବ୍ୟବସାୟୀମାନଙ୍କୁ ଥଇଥାନ ନ କରିବା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ବନ୍ଦ ରଖିବାକୁ କୁହାଯାଇଛି। ଯଦି ଏହା ସତ୍ୟ ହୋଇଥାଏ, ତାହାଲେ ଉଡ଼ନ୍ତା ପୋଲ ଭୁଷୁଡ଼ି ପଡ଼ି ଧନଜୀବନ କ୍ଷୟକ୍ଷତି ହେଲେ, ଦାୟୀ କିଏ ହେବ ବୋଲି ବୈଠକର ଉପସ୍ଥିତ ସଦସ୍ୟମାନେ ପ୍ରଶ୍ନ କରିଥିଲେ। ଏନେଇ ଆସନ୍ତା ସୋମାବର ଦିନ ସିଭିଲ ସୋସାଇଟି ଓ ବାଲେଶ୍ୱରର ଅନ୍ୟାନ୍ୟ ଗଣ ସଂଗଠନର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯଦି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ ନ କରନ୍ତି ତେବେ ବାଲେଶ୍ୱର ଜିଲ୍ଲାର ଜନସାଧାରଣ ଏକ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସିଭିଲ୍ ସୋସାଇଟି ତରଫରୁ ଚେତାବନୀ ଦିଆଯାଇଛି। ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.