Home ଜିଲ୍ଲା ପରିକ୍ରମା ବାଲେଶ୍ୱରକୁ ପରାସ୍ତ କରି ସୁପରଲିଗ୍‌ରେ ଭଦ୍ରକ, ରେଳ ଷ୍ଟେସନରେ ‘ଟିମ୍ ଭଦ୍ରକ’କୁ ବିପୁଳ ସ୍ୱାଗତ

ବାଲେଶ୍ୱରକୁ ପରାସ୍ତ କରି ସୁପରଲିଗ୍‌ରେ ଭଦ୍ରକ, ରେଳ ଷ୍ଟେସନରେ ‘ଟିମ୍ ଭଦ୍ରକ’କୁ ବିପୁଳ ସ୍ୱାଗତ

35

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟିମ୍ ଭଦ୍ରକ ଇତିହାସ ରଚନା କରିଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ ଦ୍ୱାରା କଟକ ଓ ଭୁବନେଶ୍ୱରର ବିଭିନ୍ନ କ୍ରୀଡାଙ୍ଗନରେ ଆୟୋଜିତ ଇଣ୍ଟର୍ଡିଷ୍ଟ୍ରିକ୍ଟ କଳାହାଣ୍ଡି କପ୍ କ୍ରିକେଟ୍‌ରେ ପ୍ରାୟ ୪୦ଡିଗ୍ରି ସେଲସିୟସ୍ ଉତ୍ତାପକୁ ଭୃକ୍ଷେପ ନକରି ଭଦ୍ରକ ୭ ଦିନ ମଧ୍ୟରେ ଲଗାତାର ୬ଟି ମ୍ୟାଚ୍ ଜିଣି ଅଦ୍ଭୁତପୂର୍ବ ସଫଳତା ପାଇଛି। ଏଭଳି ସମୃଦ୍ଧ ପ୍ରଦର୍ଶନ ହେତୁ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ରବିବାର ରାତିରେ ବିଜୟ ଅଭିଯାନ ସାରି ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିଥିବା କ୍ରିକେଟ୍ ଟିମ୍‌ର ସଦସ୍ୟମାନଙ୍କୁ ବ୍ୟାଣ୍ଡ ବାଜା ସହିତ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ଧୀରେନ୍ ପଲାଇ, ଉପସଭାପତି ଭବତୋଷ ଦାସ, ପୂର୍ବତନ ବିଧାୟକ ନରେନ୍ ପଲାଇ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ପ୍ରାଧ୍ୟାପକ ବିଜୟ କୁମାର ଜେନା, ଆଡଭୋକେଟ ଜତିକାନ୍ତ ନାୟକ, ଆଡଭୋକେଟ ପବନ ଶର୍ମା, ଆଡଭୋକେଟ ଅତିସ ବେହେରା, ବିଜୟ ଲଖାନୀ, ଲକ୍ଷ୍ମୀଧର ଜେନା, ସଞ୍ଜୀବ ଦାସ, ସୁଶିଲ ପଟ୍ଟନାୟକ, ବବି ମିଶ୍ର, ରବିନାରାୟଣ ଓଝା, ରୁଦ୍ର ନାରାୟଣ ବାରିକ, ‘ତାଓ’ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ଓଡିଶାର ବିଶିଷ୍ଟ ପ୍ରଶିକ୍ଷକ କେ.ଭି. ପ୍ରସାଦ ତଥା ଜିଲ୍ଲାର ବିଭିନ୍ନ କ୍ଲବ୍‌ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଭଦ୍ରକ ୧୮ ତାରିଖ ଦିନ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବୌଦ୍ଧ ଜିଲ୍ଲାକୁ ୫ ୱିକେଟ୍‌, ୧୯ ତାରିଖ ଦିନ ଦ୍ୱିତୀୟ ମ୍ୟାଚରେ ଗଞ୍ଜାମକୁ ୧୧୦ ରନ୍‌ରେ, ୨୦ ତାରିଖରେ ଅନୁଷ୍ଠିତ ତୃତୀୟ ମ୍ୟାଚ୍‌ରେ ଅନୁଗୁଳକୁ ୬୬ ରନ୍‌ରେ, ୨୨ ତାରିଖରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚ୍‌ରେ ବରଗଡ଼କୁ ୩୫ ରନ୍‌ରେ ଓ ୨୩ ତାରିଖଦିନ ଅନୁଷ୍ଠିତ ପଞ୍ଚମ ମ୍ୟାଚ୍‌ରେ କିଟ୍ ବିଶ୍ୱ ବିଦ୍ୟାଳୟକୁ ୧୫ ରନ୍‌ରେ ପରାସ୍ତ କରି ଲିଗ୍ ଗ୍ରୁପ- “ଏ’ର ଚମ୍ପିୟାନ ଆସନ ଅଧିକାର କରିଥିଲା। ୨୪ ତାରିଖ ରବିବାର ଦିନ ଭଦ୍ରକ ଗ୍ରୁପ-“ବି’ ବିଜେତା ବାଲେଶ୍ୱରକୁ ଭେଟିଥିଲା ଏବଂ ଏକ ଶକ୍ତିଶାଳୀ ବାଲେଶ୍ୱରକୁ ୨ ୱିକେଟ୍‌ରେ ହରାଇଥିଲା। ଏହି ରୋମାଞ୍ଚ ଭରା ମ୍ୟାଚ୍‌ରେ ବାଲେଶ୍ୱର ସବୁ ୱିକେଟ୍ ହରେଇ ୨୩୭ ରନ୍ ସଂଗ୍ରହ କରିଥିବା ବେଳେ ଭଦ୍ରକ ୮ ୱିକେଟ୍ ବିନିମୟରେ ୨୪୧ ରନ୍ ସଂଗ୍ରହ କରି ନେଇଥିଲା। ଅଧିନାୟକ ହର୍ଷିତ୍ ରାଠୋର୍‌ଙ୍କ ନେତୃତ୍ୱରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସାହିଲ୍ ଏ. ଖାନ୍ ୮୨ ରନ୍‌, ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍‌’ ଅବିନାଶ ସିଂହ ୭୭ ରନ୍ ସଂଗ୍ରହ କରିଥିଲା ବେଳେ କ୍ଷମାସାଗର ବଳ ମାତ୍ର ୧୮ ରନ୍ ବିନିମୟରେ ପ୍ରତିପକ୍ଷର ୩ ଟି ୱିକେଟ୍ ଅକ୍ତିଆର କରି ଏହି ବିଜୟର ସାରଥୀ ସାଜିଥିଲେ। ମେ ମାସ ୧୩ ତାରିଖ ସନ୍ଧ୍ୟାରେ ‘ହୋଟେଲ୍ ଯଶୋଦା’ରେ ଅନୁଷ୍ଠିତ ହେବାକୁ ଥିବା ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନର ବାର୍ଷିକ ସାଧାରଣ ସଭା ଅବସରରେ ଟିମ୍ ଭଦ୍ରକର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ପାଦକ ଧୀରେନ୍ ପଲାଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.