Home ଜିଲ୍ଲା ପରିକ୍ରମା ନମକଣାର ପିତାମ୍ବର ଯେନାଙ୍କୁ ହତ୍ୟା, ଅଭିଯୁକ୍ତକୁ ଧରିବାକୁ ପୁଲିସର ଚଢ଼ାଉ ଜାରି

ନମକଣାର ପିତାମ୍ବର ଯେନାଙ୍କୁ ହତ୍ୟା, ଅଭିଯୁକ୍ତକୁ ଧରିବାକୁ ପୁଲିସର ଚଢ଼ାଉ ଜାରି

34

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ-ମଢିଆଳି ପଞ୍ଚାୟତ ଅନ୍ତର୍ଗତ ନମକଣା ଗ୍ରାମର ପିତାମ୍ବର ଯେନାଙ୍କୁ ଗତକାଲି ସନ୍ଧ୍ୟାରେ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ମୃତ ପିତାମ୍ବର ଅନ୍ୟଜଣେ ଗ୍ରାମବାସୀଙ୍କ ସହ ମଞ୍ଜୁରୀରୋଡ ବଜାରରୁ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନୁଆଗାଁ ମାଇନର କେନାଲ ରାସ୍ତାରେ ଘରକୁ ଫେରୁଥିଲେ। ଗନ୍ଧିଆପଦି ଗ୍ରାମ ଅତିକ୍ରମ କରି ‘ମିଆଁଚକ’ ନିକଟରେ ଯାଉଥିବା ବେଳେ ଅତର୍କିତ ଭାବେ କେତେକ ବ୍ୟକ୍ତି ମାରଣାସ୍ତ୍ର ସହାୟତାରେ ପିତାମ୍ବର ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। କୌଶଳ କ୍ରମେ ସାଥିରେ ଯାଉଥିବା ଅନ୍ୟବ୍ୟକ୍ତି ଦୌଡି ପଳାଇଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପରିବାର ଲୋକେ ଖୋଜାଖୋଜି କରି ରାତ୍ର ପ୍ରାୟ ୯.୩୦ମି. ରେ ଫାଣ୍ଡି ପୁଲିସ ସହାୟତାରେ ପିତାମ୍ବରକୁ କେନାଲ ବନ୍ଧତଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ପିତାମ୍ବରର ଗୋଡଗୋଚ୍ଛି କଟାଯାଇଥିବା ବେଳେ ଜଙ୍ଘ, ହାତ ଓ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ନିଆଯାଉଥିବା ବେଳେ ଜାରକା ନିକଟରେ ପିତାମ୍ବର ପ୍ରାଣ ହରାଇଥିବା ପରିବାର ସୂତ୍ରରୁ ପ୍ରକାଶ।

କଟକରେ ଶବ ବ୍ୟବଚ୍ଛେଦ ପରେ ଆଜି ଗ୍ରାମକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିବା ଜଣାଯାଇଛି। ରବିବାର ରାତ୍ରରେ ପିତାମ୍ବର ପୁତ୍ର ଗଣେଶ ଯେନାର ଅଭିଯୋଗ କ୍ରମେ ଥାନାରେ ୧୪୬/୨୨ନଂ ମାମଲା ତିନି ଭାଇ ଭରତ ଯେନା, ଶତ୍ରୁଘ୍ନ ଯେନା, ସଦାଶିବ ଯେନା ଓ ପିତା ଶ୍ରୀଧର ଯେନା ନାମରେ ଋଜୁ ହୋଇଥିଲା। ଅଭିଯୁକ୍ତମାନେ ପୂର୍ବଶତ୍ରୁତାରୁ ଆକ୍ରମଣ କରିବା ସହ ୩୦ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଆଜି ଏହି ମାମଲାକୁ ହତ୍ୟାମାମଲାରେ ପରିଣତ କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଦୁଇଟି ରକ୍ତଲଗା ଠେଙ୍ଗା ଜବତ କରିଥିବା ଜଣାଯାଇଛି। ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିବା ଜଣାଯାଇଛି। ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଛାନଭିନ ଜାରି ରଖବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ ଜାରି ରଖିଥିବା ଜଣାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ୨୦୨୧ ମସିହା ଡିସେମ୍ବର ମାସରେ ଗ୍ରାମର କିର୍ତ୍ତନମଣ୍ଡପ ନିର୍ମାଣକୁ ନେଇ ପିତାମ୍ବର ଯେନା ପରିବାର ଓ ଭରତ ଯେନା ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଭରତ ଯେନା ଉପରେ ଆକ୍ରମଣ ହୋଇ ଗୋଡ ଭାଙ୍ଗିଯାଇଥିଲା। ଏଥିନେଇ ଉଭୟ ପରିବାରର ମୋଟ ୧୨ ଜଣଙ୍କ ନାମରେ ଦୁଇଟି ପୃଥକ ପୃଥକ ମାମଲା ଋଜୁ ହୋଇଥିଲା। ଅନ୍ୟପକ୍ଷରେ ଭରତ ଯେନା ଦେଶୀ ମଦ ବିକ୍ରୟ କରୁଥିବା ନେଇ ପିତାମ୍ବର ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ବୋଲି ସନ୍ଦେହ କରି ଭରତ ଆକ୍ରୋଶ ରଖିଥିବା ନେଇ ପିତାମ୍ବରଙ୍କ ପୁତ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.