Home ଜିଲ୍ଲା ପରିକ୍ରମା ବାରସର ସମବାୟ ସମିତିର ଶସ୍ୟବୀମା ଯୋଜନାରେ ବିଭ୍ରାଟକୁ ନେଇ ତାଲା ପକାଇଲେ ଚାଷୀ

ବାରସର ସମବାୟ ସମିତିର ଶସ୍ୟବୀମା ଯୋଜନାରେ ବିଭ୍ରାଟକୁ ନେଇ ତାଲା ପକାଇଲେ ଚାଷୀ

18

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ବାରସର ସମବାୟ ସମିତିର ଶସ୍ୟବୀମା ଯୋଜନାରେ ବିଭ୍ରାଟକୁ ନେଇ ତାଲା ପକାଇଲେ ଚାଷୀ । ଚାଷୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ ତଦନ୍ତ କରାଯାଇ ସମିତିର ସଂପାଦକ ଓ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସୂଚନା ମୁତାବକ ବାରସର ସେବା ସମବାୟ ସମିତିର ଚାଷୀମାନେ ଗତ ୨୦୨୦ ଖରିଫ ଋତୁରେ କୃଷିଋଣ ନେଇ ଧାନ ଚାଷ କରିଥିଲେ । ନେଇଥିବା କୃଷିଋଣର ଶସ୍ୟବୀମା ଯୋଜନା ମାଧ୍ୟମରେ ସଂପାଦିକାଙ୍କ କହିବା ମୁତାବକ ବୀମାରାଶି ମଧ୍ୟ ଦେଇଥିଲେ । ୨୦୨୦ ଲଘୁଚାପ ଜନିତ ବନ୍ୟାରେ ହୋଇଥିବା ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବନ୍ୟା ହେବା ପରେ କ୍ରପ୍ କଟିଂ ମାଧ୍ୟମରେ ବୀମା କଂପାନୀ ୮୦-୯୦% ପର୍ଯ୍ୟନ୍ତ କୃଷିଋଣ ଛାଡ କରିବା ପାଇଁ ଧାର୍ଯ୍ୟ କରିଥିଲେ । କିନ୍ତୁ ଛାଡ ହୋଇଥିବା କୃଷିଋଣର ଶସ୍ୟ ବୀମାରାଶି ଚାଷୀଙ୍କୁ ପ୍ରଦାନ କରିବାରେ ସମିତିର ସଂପାଦିକା ଓ ବ୍ୟାଙ୍କ ମ୍ୟାନେଜର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଶସ୍ୟବୀମା ରାଶିକୁ ବାଟମାରଣା କରି ହଡପ କରିବାକୁ ଯୋଜନା କରାଯାଇଛି । ଫସଲବୀମା ପ୍ରଦାନରେ ସଂପାଦିକା ଆକ୍ରୋଶ ମନୋଭାବ ରଖି ଚାଷୀମାନଙ୍କୁ ଅସୁବିଧାରେ ପକାଉଛନ୍ତି । ସଂପାଦିକାଙ୍କ ଟାଳଟୁଳ ନୀତି ପାଇଁ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଉଛି । ଚାଷୀମାନଙ୍କର ଅର୍ଥ ଅଭାବ ହେତୁ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଜିଲାପାଳ ଓ ସମବାୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଆଜି ତାଲା ପକାଇ ସମିତିର ସମସ୍ତ କାର୍ଯ୍ୟକୁ ଅଚଳ କରିଦିଆଯାଇଥିବା କୁହାଯାଇଛି । ମାନସ ରଂଜନ ନାୟକ ଓ ରାଜାରାମ ମହାକୁଡଙ୍କ ନେତୃତ୍ୱରେ ରମଣ ରଂଜନ ମହାନ୍ତି, କାଳନ୍ଦୀ ନାୟକ, ଦୋଳଗୋବିନ୍ଦ ଦାସ, ଶରତ ମାଝୀ, ଅଭିମନ୍ୟୁ ଦାସ, ସୁମନ୍ତ ବିଶ୍ୱାଳ ଓ ନାରାୟଣ ଜେନା ପ୍ରମୁଖ ବହୁ ଚାଷୀ ଏହି ତାଲା ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.