Home ଜିଲ୍ଲା ପରିକ୍ରମା ଦୁଇ ମହିଳା ମହାସଂଘ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସଂଖ୍ୟାଧିକ ସଦସ୍ୟା

ଦୁଇ ମହିଳା ମହାସଂଘ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସଂଖ୍ୟାଧିକ ସଦସ୍ୟା

34

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବହୁ ମହିଳା ଗୋଷ୍ଠିର ସଦସ୍ୟା । ସେମାନେ ବ୍ୟାପକ ଆର୍ଥୀକ ଅନିୟମିତତା କରିବା ସହ ସିଆରପି, ବ୍ୟାଙ୍କ ମିତ୍ର ଓ ଏମବିକେ ନିଯୁକ୍ତିରେ ହେରଫେର କରିଥିବାର ଅଭିଯୋଗ ଆଣି ମାଳତୀ ବିଶ୍ୱାଳ, ପ୍ରମିଳା ବିଶ୍ୱାଳ, ମାନସୀ ପ୍ରଧାନ, ଜାନକୀ ଦାସ, ଆଦର୍ଶରାଣୀ ସାହୁଙ୍କ ସମେତ ବହୁ ମହିଳା ସଦସ୍ୟା ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉଭୟ ସଭାନେତ୍ରୀ ଓ ସଂପାଦିକାଙ୍କୁ ବହିଷ୍କାର ପାଇଁ ସେମାନେ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ସରକାରଙ୍କ ପକ୍ଷରୁ ମହାସଂଘକୁ ଆସୁଥିବା ଅର୍ଥର ବ୍ୟାପକ ବାଟ ମାରଣା ହୋଇଛି । କୋଭିଡର ପ୍ରଥମ ଲହର ସମୟରେ ଉକ୍ତ ଅଞ୍ଚଳର ଗରିବ, ଅସହାୟ, ନିରାଶ୍ରୟ, ଶାରିରିକ ଅକ୍ଷମମାନଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇ ଥିବାବେଳେ, ଏହି ଦୁଇ ଜଣ ସରପଞ୍ଚ ଓ ମିଶନ ଶକ୍ତି ଅଧିକାରୀଙ୍କ ସହ ମିଶି ଅଳ୍ପ କିଛି ଦିନ ଖାଦ୍ୟ ବଣ୍ଟନ କରି ଜାଲ ବିଲ କରିଛନ୍ତି । ସେହିପରି ମିଶନ ଶକ୍ତି ଜରିଆରେ ଆସିଥିବା ଅର୍ଥକୁ ଜାଲ ଦସ୍ତଖତ ବଳରେ ବେଆଇନ ଭାବେ ଉଠାଇ ଏହାକୁ ତୋଷରପାତ କରିଛନ୍ତି । ଅନୁରୂପ ସମସ୍ତ ସରକାରୀ ନିୟମକୁ ଉଲଂଘନ କରି ବିନା ବିଜ୍ଞାପନରେ ସରପଞ୍ଚ ଓ ମିଶନ ଶକ୍ତି ଅଧିକାରୀଙ୍କୁ ଧରି ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର ନିଯୁକ୍ତି ଦେଇଛନ୍ତି । ଏ ସମ୍ପର୍କରେ ବିଡିଓ, ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ।

ଫଳରେ ସଂଘମାନଙ୍କରେ ଥିବା ୧ହଜାରରୁ ଉର୍ଦ୍ଧ୍ୱ ସଦସ୍ୟା ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇ ପାରି ନାହାନ୍ତି । ଏସମସ୍ତ ଅଭିଯୋଗର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । । ଅନୁରୂପ ଅଭିଯୋଗ ନେଇ ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତରେ ଥିବା ବହୁ ମହିଳା ସ୍ୱୟଂ ସାହାୟିକା ଗୋଷ୍ଠିର ସଦସ୍ୟାମାନେ ଜିଲ୍ଲାପାଳଙ୍କ ନିକଟାର ଫେରାଦ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସଂଘର ସଦସ୍ୟା ମମତା ମଲିକ, ଆବେଜା ବିବି, ସମିରନ ବିବି, ଶ୍ୱେତଲତା ଜେନା, ସାବିତ୍ରୀ ଯେନାଙ୍କ ସମେତ ବହୁ ସଦସ୍ୟାଙ୍କ ଅଭିଯୋଗ ଅନୁଯାୟୀ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର ନିଯୁକ୍ତିରେ ବ୍ୟାପକ ଅନିୟମିତତା କରାଯାଇଛି । ଶିକ୍ଷାଗତ ଯୋଗତ୍ୟା ନଥାଇ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ପାଇଥିବା ସଦସ୍ୟମାନେ ଜାଲ କାଗଜପତ୍ର ବ୍ୟବହାର କରିଥିବା ସୂଚନା ଅଧିକାର ଆଇନରୁ ସ୍ପଷ୍ଟ ହୋଇଥିବା ସେମାନେ ଦର୍ଶାଇଛନ୍ତି । ଏପରିକି ମହାସଂଘର ସଂପାଦିକା ଥାଇ ମଧ୍ୟ କିପରି ସେ ସିଆରପି ନିଯୁକ୍ତି ପାଇଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କୋଭିଡ ସମୟରେ ମଧ୍ୟ ସରକାରଙ୍କ ଅର୍ଥକୁ ବେଆଇନ ଭାବେ ଖର୍ଚ୍ଚ କରି ମିଥ୍ୟା ବିଲ କରିଛନ୍ତି । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.