Home ଓଡ଼ିଶା ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ପ୍ରସଙ୍ଗ : ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି...

ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ପ୍ରସଙ୍ଗ : ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟସରକାର:ବିଜେପି

215

– ଓଡିଶାର ସଂସ୍କୃତି ସମ୍ବନ୍ଧରେ ଅବଗତ ନଥିବା ଅଣଓଡିଆ ଅଫିସରମାନେ ସବୁ ପଲିସି କରୁଛନ୍ତି
– ରାଜ୍ୟସରକାରଙ୍କ ମଦ ଦୋକାନ ଓ ଡ୍ୟାନ୍ସବାର ନେଇ ଦୋ ମୁହାଁ ନୀତି ତାଙ୍କ ନିଜ ହାଇକୋର୍ଟ ସତ୍ୟପାଠରୁ ଜଣାପଡିଛି
– ମହିଳାଙ୍କ ସୁରକ୍ଷା ଏବଂ ଓଡିଶାର ସଂସ୍କୃତିକୁ ବଂଚାଇବା ପାଇଁ ରାଜ୍ୟସରକାର ତୁରନ୍ତ ଡ୍ୟାନ୍ସବାର ବନ୍ଦ କରନ୍ତୁ

ଭୁବନେଶ୍ୱର, ୨୮/୦୯ (ଓଡ଼ିଆ ପୁଅ) : ୨୦୧୮ ମସିହାରେ ଖୋଦ୍ ରାଜ୍ୟସରକାର ସପିଂମଲଗୁଡିକରେ ମଦ ବିକ୍ରିକୁ ମନା କରିବା ସହ ଏହା ଓଡିଶାର ସଂସ୍କୃତି ଓ ପରଂପରା ବିରୋଧୀ ବୋଲି ଦର୍ଶାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଯେଉଁ ରାଜ୍ୟସରକାର ସପିଂମଲରେ ମଦ ବିକ୍ରିକୁ ବିରୋଧ କରିଥିଲେ ସେ ଆଜି ଡ୍ୟାନ୍ସ ବାର ଖୋଲିବାକୁ ଅନୁମତି ଦେଉଛନ୍ତି। ସଂସ୍କୃତି କଥା କହୁଥିବା ରାଜ୍ୟସରକାର ଡ୍ୟାନ୍ସବାର ଖୋଲିବାକୁ ଅନୁମତି ଦେଇ ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟସରକାର ୨୦୧୮ ମସିହାରେ ହାଇକୋର୍ଟର ସତ୍ୟପାଠରେ କହିଛନ୍ତି ଯେ, ଓଡିଶାର ଐତହ୍ୟ, ସଂସ୍କୃତି ପରଂପରା ଦିଲ୍ଲୀ ଗୁରୁଗାଁଓ ଠୁ ସଂପୂର୍ଣ୍ଣ ଅଲଗା। ଆମେ ସପିଂ ମଲରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବୁ ନାହିଁ। ମଦ ବିକ୍ରି ରାଜସ୍ୱ କମାଇବା ଗୋଟିଏ ଜନକଲ୍ୟାଣ ରାଜ୍ୟର କାମ ହୋଇ ନପାରେ। କିନ୍ତୁ ଏବେ ସେହି ସରକାର ରାଜ୍ୟରେ ୭ଟି ଡ୍ୟାନ୍ସବାର ପାଇଁ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଓଡିଶାର ସଂସ୍କୃତି ସମ୍ବନ୍ଧରେ ଅବଗତ ନଥିବା ଅଣଓଡିଆ ଅଫିସରମାନେ ଏଠି ବିଭିନ୍ନ ପଲିସି କରୁଛନ୍ତି। ଓଡିଶା ସଂସ୍କୃତି, ପରଂପରା ଏବଂ ଐତିହ୍ୟରେ କେଉଁଠି ଡ୍ୟାନ୍ସବାରର ପରିକଳ୍ପନା ହୋଇନାହିଁ। ଓଡିଆ ସଂସ୍କୃତିରେ ମହିଳାମାନଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ। କିନ୍ତୁ ଏଠି ମହିଳାଙ୍କ ପ୍ରତି ହୀନମାନସିକତା ରଖି ରାଜ୍ୟ ସରକାର ଡ୍ୟାନ୍ସବାର ଖୋଲିବାର ଅନୁମତି ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ ଓଡିଶାର ସଂସ୍କୃତିକୁ ବଂଚାଇବା ପାଇଁ ରାଜ୍ୟସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବା ସହ ଏହି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.