Home ଜିଲ୍ଲା ପରିକ୍ରମା ବାଦାନୁବାଦ ଭିତରେ କାଦବରାଙ୍ଗ ପଂଚାୟତ ଗୃହ ନିର୍ମାଣ ପ୍ରସଙ୍ଗ : ନିର୍ମାଣରେ ବାଧକ ସାଜିଛି ସ୍ଥାନୀୟ...

ବାଦାନୁବାଦ ଭିତରେ କାଦବରାଙ୍ଗ ପଂଚାୟତ ଗୃହ ନିର୍ମାଣ ପ୍ରସଙ୍ଗ : ନିର୍ମାଣରେ ବାଧକ ସାଜିଛି ସ୍ଥାନୀୟ ସମବାୟ ସମିତି

42

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ଏହି ଜିଲାର ବନ୍ତ ବ୍ଲକ୍ କାଦବରାଙ୍ଗ ପଂଚାୟତରେ ପଂଚାୟତ ଗୃହ ନିର୍ମାଣ ନିମନ୍ତେ ଅର୍ଥ ମଂଜୁର ହୋଇଥିଲେ ସୁଦ୍ଧା ଏଥିରେ ବାଧକ ସାଜିଛି କାଦବରାଙ୍ଗ ସେବା ସମବାୟ ସମିତି । ବନ୍ତ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଏଆରସିଏସ୍‌, ଭଦ୍ରକଙ୍କୁ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଚିଠିରୁ ମିଳିଥିବା ସୂଚନା ଅନୁସାରେ କାଦବରାଙ୍ଗ ପଂଚାୟତ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କାର ଅର୍ଥ ମଂଜୁର ହେବା ପରେ ସ୍ଥାନୀୟ ତହସିଲଦାର ପିଜିବିଲିଟି ରିପୋର୍ଟ ପ୍ରଦାନ କରିଥିଲେ । ସେବା ସମବାୟ ସମିତି ଗୃହଟି ପୁରୁଣା ହୋଇ ଭଗ୍ନାବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ସ୍ଥାନରେ ପଂଚାୟତ ଗୃହ ନିର୍ମାଣ କରିବାକୁ ଅନୁମତି ଦେବା ସହ ସେବା ସମବାୟ ସମିତିକୁ ସ୍ଥାନାନ୍ତରିତ କରିବାକୁ ମଧ୍ୟ ସେହି ଚିଠିରେ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି । ମାତ୍ର ଇତିମଧ୍ୟରେ ଦୁଇମାସ ସଂପୂର୍ଣ୍ଣ ହେବାକୁ ବସିଥିଲେ ସୁଦ୍ଧା ଗୃହ ନିର୍ମାଣକୁ ନେଇ କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । ଏହାକୁ ନେଇ କେବଳ ବାଦ ବିବାଦ ଲାଗି ରହିଛି । ଏ ସଂପର୍କରେ ସେବା ସମବାୟ ସମିତି ସଂପାଦକଙ୍କୁ ଯୋଗାଯୋଗ କରିବାରୁ ସେ ଯାହା କହନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ମୂଳେ ଗଠନ କରାଯାଇଥିବା ଗ୍ରେନ୍ ଗୋଲା ଗୃହ ଏବେ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ କାର୍ଯ୍ୟ କରୁଛି । ଗ୍ରେନ୍ ଗୋଲା ଗୃହଗୁଡିକ ସମବାୟ ସମିତିର ନିଜସ୍ୱ ସଂପତ୍ତି । ଏଥିରେ ସାର, ବିହନ ଓ ଧାନ ଆଦି ଗଚ୍ଛିତ ହୋଇ ରହିବା ସହ କାର୍ଯ୍ୟାଳୟ ମଧ୍ୟ ଚାଲୁଛି । ଏଣୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ କୌଣସି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏହା ଭଙ୍ଗାଯାଇପାରିବ ନାହିଁ । ତଥ୍ୟ ଅନୁଯାୟୀ ୧୯୫୨ ମସିହାରେ କାଦବରାଙ୍ଗ ପଂଚାୟତ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଏହା ଅଧୀନରେ ୪/୫ଟି ପଂଚାୟତ ରହିଥିଲା । ୧ ଏକର ୯୧ ଡି. ଜମିକୁ ନେଇ ଗଠିତ ଏହି ପଂଚାୟତ ପରିସରରେ ନିର୍ମିତ ଗୃହରେ ପଂଚାୟତ କାର୍ଯ୍ୟାଳୟ ଚାଲୁଥିଲା । ପରବର୍ତ୍ତୀ ସମୟରେ ଲୋକଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏହା ପରିସରରେ ପଂଚାୟତ କାର୍ଯ୍ୟାଳୟ ଚାଲିବା ସହ ମିଳିତ ଭାବେ ସେବା ସମବାୟ ସମିତି ମଧ୍ୟ କାର୍ଯ୍ୟ କଲା । ତେଣୁ ଏଠାରେ ସ୍ୱତନ୍ତ୍ର ଭାବେ ଗ୍ରେନ୍ ଗୋଲା ଗୃହ ଗଠନ କରାଯାଇନାହିଁ । ଏବଂ ସେବା ସମବାୟ ସମିତି ଦ୍ୱାରା ବ୍ୟବହୃତ ଗୃହଟି ପଂଚାୟତର ହୋଇଥିବାରୁ ଗୃହ ନିର୍ମାଣ ନିମନ୍ତେ ମଂଜୁର ଅର୍ଥ ଫେରିଯିବାର ସମ୍ଭାବନା ଥିବାରୁ ଜିଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୯ ତାରିଖରେ ଅନୁଷ୍ଠିତ ଗ୍ରାମପଂଚାୟତ ବୈଠକରେ ପଂଚାୟତ ପକ୍ଷରୁ ଏକ ବୈଠକ ବିବରଣୀ ପ୍ରସ୍ତୁତ କରାଯାଇ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାର ଜଣାପଡିଛି । ତେବେ ପଂଚାୟତବାସୀଙ୍କ ବୃହତ ସ୍ୱାର୍ଥକୁ ଆଖିଆଗରେ ରଖି ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.