ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଅକବାନ ପ୍ରଭାବରେ ଭଦ୍ରକ ଜିଲାର ଆରଡିପୀଠ ସମେତ ଆଖପାଖ ୪ଟି ପଂଚାୟତର ଗତ ଗତ ୩ଦିନ ହେଲା ଲଗାଣବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶୁକ୍ରବାର ଠାରୁ ବାବା ଆଖଣ୍ଡଳମଣିଙ୍କ ପୀଠରେ ପଂଚୁକ ବ୍ରତ ଆରମ୍ଭ ହୋଇଥିଲେ ମଧ୍ୟ ବାତ୍ୟାର ପ୍ରଭାବ ଯୋଗୁଁ ଭକ୍ତ ଶୂନ୍ୟ ହୋଇପଡ଼ିଥିଲା ପୀଠ। ସେବାୟତଙ୍କ ପକ୍ଷରୁ ପଂଚୁକ ଅବସରରେ ରୀତିନୀତି ଅନୁଯାୟୀ ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା। ଅନ୍ୟପଟେ ନିକଟସ୍ଥ ଧାମରାରେ ସମୁଦ୍ର ଅଶାନ୍ତ ରହିବାରୁ ଉଚ୍ଚ ଜୁଆର ଢ଼େଉରେ ଉଛୁଳି ବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ତାହାସହ ଉପର ଓ ତଳମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଯଦି ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତାହାଲେ ସୁନ୍ଦରପୁର, ଦୋହରା ପାଟଣା, ଷାଠିବାଙ୍କୁଡା ଗାଁ ସହ ୨୪ଟି ଗାଁ ପ୍ରଭାବିତ ହେବ। ବିଶେଷକରି ଗତ ୨୦ଦିନ ମଧ୍ୟରେ ବୈତରଣୀ ନଦୀର ସୁନ୍ଦରପୁର ଗାଁ ପଛଭାଗରେ ୪ଶହ ଫୁଟର ନଦୀବନ୍ଧ ବିରାଟକାୟ ଫାଟ ସୃଷ୍ଟି ହେବା ସହିତ ନଦୀଗର୍ଭକୁ ଚାଲିଯାଇଥିବା ବେଳେ ଷାଠିବାଙ୍କୁଡା ଗାଁ ନିକଟରେ ନବନିର୍ମିତ ପଥରପ୍ୟାକିଙ୍ଗି ନଦୀବନ୍ଧ ୩ଶହ ଫୁଟ ଧସିଯାଇଥିବାରୁ ଏବେବି ମୁକୁଳା ପଡ଼ିଛି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଜୁଆର ଢେଉ ବଢିବା ସହ ଲଗାଣ ବର୍ଷା ବିଶେଷ ଭାବେ କ୍ଷତି ଘଟାଇବା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ପ୍ରତିବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢିକରଣ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ବାସ୍ତବରେ ଫଳପ୍ରଦ ହେଉନଥିବା କହିଛନ୍ତି ସୁନ୍ଦରପୁର ସରପଂଚ ଅଭିମନ୍ୟୁ ଜେନା। ଯାହାଫଳରେ ସାମାନ୍ୟ ବର୍ଷା ଓ ଜୁଆର ପାଣିରେ ଭାସିଯାଉଛି କୋଟିକୋଟି ଟଙ୍କାର ମାଟି ଓ ପଥର ପ୍ୟାକିଙ୍ଗି ନଦୀବନ୍ଧ।
Home ଜିଲ୍ଲା ପରିକ୍ରମା ବାତ୍ୟା ଅକବାନ ପ୍ରଭାବରେ ଲଗାଣ ବର୍ଷା ପାଇଁ ପଂଚୁକ ବ୍ରତରେ ଭକ୍ତ ଶୂନ୍ୟ ଆଖଣ୍ଡଳମଣିପୀଠ, ସମୁଦ୍ର...








