Home ଅନୁଗୁଳ ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ

ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ

31

ତାଳଚେର, ୨୪/୮ (ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେର ଏମସିଏଲର ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ି ସାଉଥବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ଠାରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଜନଶୁଣାଣୀକୁ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି। ଏହି ଅବସରରେ ସମିତିର ଆବାହକ ପଦ୍ମଚରଣ ସାମଲ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କ ଉଦ୍ଦେଶ୍ୟରେ ସଙ୍ଗଠନର ମତାମତ, ମନ୍ତବ୍ୟ ଓ ଆପତି ଉପରେ ଏକ ଦାବିପତ୍ର ଜନଶୁଣାଣୀରେ ଅଧ୍ୟକ୍ଷତା କରୁଥିବା ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଶ୍ରୀ ସାମଲ ଏହା ଉପରେ ମତାମତ ଦେଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ତା୧୧/୭/୨୦୨୨ ରିଖ ପ୍ରଦତ ବିଜ୍ଞାପନ ଅନୁଯାୟୀ ଏମ୍‌.ସି.ଏଲ୍‌.ର ବଳରାମ ଖୋଲା ମୁହଁ କୋଇଲାଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୮ ମିଲିୟନ୍ ଟନ୍ ରୁ ୧୫ ମିଲିୟନ୍ ଟନ୍ ସଂପ୍ରସାରଣ କରିବା ସହ ଖଣି ଲିଙ୍କ କ୍ଷେତ୍ର ୧୩୦୯ ହେକ୍ଟରରୁ ୨୫୭୪ ହେକ୍ଟର (ଅତିରିକ୍ତ ୧୨୬୫ ହେକ୍ଟର କ୍ଷେତ୍ର) ବୃଦ୍ଧି କରାଗଲେ ଏହି ଅଂଚଳରେ ଥିବା ଜନବସତି, କୃଷି, ଜମି, ଜଙ୍ଗଲ, ଜଳାଶୟ ଆଦି ନଷ୍ଟ ହେବ। ଯାହା ଫଳରେ ଯେତିକି ବି ପ୍ରାକୃତିକ ପରିବେଶ ରହିଛି ତାହା ସଂପୂର୍ଣ୍ଣ ନଷ୍ଟ ହେବା ସହିତ ଏହା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଗାଇଗୋରୁ, ବନ୍ୟଜନ୍ତୁ, ସରୀସୃପ, ପକ୍ଷୀକୂଳ ସଂପୂର୍ଣ୍ଣ ଧ୍ୱଂସ ହୋଇଯିବ ଏବଂ ଜନସାଧାରଣ ବିଶୁଦ୍ଧ ପାଣି, ପବନ, ପାଇବାରୁ ବଂଚିତ ହେବେ। ତାଳଚେରରେ ଥିବା ସମସ୍ତ କୋଇଲାଖଣିରୁ କୋଇଲା ଉତୋଳନ କରି ଟ୍ରେନ୍ ଓ ଟ୍ରକ୍ ଯୋଗେ କୋଇଲା ପରିବହନ କରାଯାଉଛି। ଯାହା ଫଳରେ ଜନବସତି, ରାସ୍ତା ଘାଟ ସର୍ବତ୍ର ବ୍ୟାପକ କୋଇଲା ଗୁଣ୍ଡ ଓ ଧୂଳିରେ ପ୍ରଦୂଷିତ ହେଉଛି। ତେଣୁ ଖଣି ସଂପ୍ରସାରଣ ଓ ଉତ୍ପାଦନ କ୍ଷମତା ବୃଦ୍ଧି କରାଗଲେ ପ୍ରଦୂଷଣ ଜନିତ ଜନସାଧାରଣ ଅତିଷ୍ଠ ହୋଇପଡିବେ। ଖଣି ପକ୍ଷରୁ ଯେତିକି ବୃକ୍ଷ ନଷ୍ଟ କରାଯାଉଛି ସେତିକି ବୃକ୍ଷରୋପଣ କରାଯାଉ ନାହିଁ। କୋଇଲା ଖନନ ପରେ କୃତ୍ରିମ ପାହାଡକୁ ସମତଳ କରାଯାଉ ନାହିଁ। ଖୋଲା ମୁହଁ କୋଇଲାଖଣି ଦ୍ୱାରା ଜଳସ୍ତର ହ୍ରାସ ପାଉଛି। ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଜନସାଧାରଣ ବହୁ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁବରଣ କରୁଛନ୍ତି। ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ତାଳଚେର ଠାରେ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସ ଏଣ୍ଡ ରିସର୍ଚ୍ଚ କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ପାଇଁ ବର୍ଷ ବର୍ଷ ଧରି ବିଳମ୍ବ କରାଯାଇଆସୁଛି। ତାଳଚେର ଉପଖଣ୍ଡର ଜନସାଧାରଣଙ୍କ ପ୍ରତି ଏମସିଏଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅବହେଳା କରି ଆସୁଛନ୍ତି। ଏହାକୁ ଗୁରୁତର ବିଚାର କରି ଖଣି ସଂପ୍ରସାରଣ ବନ୍ଦ କରିବା ପାଇଁ ଶ୍ରୀ ସାମଲ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ସମିତିର ପ୍ରହ୍ଲାଦ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ବିନୋଦ ଲାଲ୍‌, ସୁକାନ୍ତ ଦାସ, ପଠାଣି ବାରିହା, ଗଜେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.