Home ଜିଲ୍ଲା ପରିକ୍ରମା ବରିଷ୍ଠ ବାମପନ୍ଥୀ ନେତା ଦାମୋଦର ସେନାପତିଙ୍କ ପରଲୋକ

ବରିଷ୍ଠ ବାମପନ୍ଥୀ ନେତା ଦାମୋଦର ସେନାପତିଙ୍କ ପରଲୋକ

39

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଦୋଳସାହି ପଞ୍ଚାୟତ ଅଧିନ ରାଢଙ୍ଗ ଗାଁର ବରିଷ୍ଠ ବାମପନ୍ଥୀ ନେତା ଦାମୋଦର ସେନାପତି (୭୦)ଙ୍କର ସୋମବାର ପରଲୋକ ହୋଇ ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ମୁକ୍ତିକାନ୍ତ ଓ ଚନ୍ଦନ ଉପସ୍ଥିତ ଥିଲେ। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ରବିବାର ତାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ହୋଇ ଯାଇଥିଲା। ସ୍ୱର୍ଗତ ସେନାପତି ଛାତ୍ର ଜୀବନରୁ ଅଖିଳ ଭାରତ ଛାତ୍ର ସଂଗଠନରେ ସଂଗ୍ରାମ ଆରମ୍ଭ କରିଥିଲେ। ପରବର୍ତ୍ତି ସମୟରେ ସିପିଆଇ ସଂଗଠନରେ ବିଭିନ୍ନ ପଦପଦବୀରେ ରହି ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏବଂ ଗରିବ ଅସହାୟ ଲୋକଙ୍କ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଲଢେଇ କରି ଆସୁଥିଲେ। ଦାମୋଦର ସିପିଆଇ ପୂର୍ବତନ ଜିଲ୍ଲା ସମ୍ପାଦକ ତଥା ବର୍ତ୍ତମା ଅଖିଳ ଭାରତ କୃଷକ ସଭାର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରୁଥିଲେ। ବାମପନ୍ଥୀରେ ଦିର୍ଘ ୪୫ ବର୍ଷ କାମ କରି ଭଦ୍ରକ ଜିଲ୍ଲା ସମେତ ରାଜ୍ୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରି ପରିଥିଲେ। ତାଙ୍କ ଆବର୍ତ୍ତମାନରେ ଦଳର ଅପୂରଣୀୟ କ୍ଷତି ହୋଇଥିବା କୁହା ଯାଇଛି। ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ପ୍ରତାପ ମହାନ୍ତି, ଅନନ୍ତ ମହାନ୍ତି, ବିମ୍ବାଧର ବାରିକ ଓ ଜୟ ପ୍ରକାଶ ମହାନ୍ତି ପ୍ରମୁଖ ରାଢଙ୍ଗ ବାସଭବନରେ ତାଙ୍କର ଶେଷ ଦର୍ଶନ କରି ମର ଶରୀରରେ ଲାଲ ପତାକା ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ସେହିପରି ରାଜ୍ୟ ସମ୍ପାଦକ ଅଭୟ ସାହୁ ଦିବଗଂତ ସେନାପତିଙ୍କ ଉଦ୍ଦେଶ୍ୟରେ ଶୋକ ବାର୍ତ୍ତା ପ୍ରଦାନ କରିଛନ୍ତି। ଦାମୋଦରଙ୍କ ଏପରି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସିପିଆଇଏମଏଲ ଜିଲା ସମ୍ପାଦକ ସମର ବଳ, ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜୟନ୍ତୀ ବିଶ୍ୱାଳ, ସନ୍ଥ ଚରଣ ବିଶ୍ୱାଳ, ରବିନ୍ ବାରିକ, ସିପିଆଏମର ସମ୍ପାଦକ ବିଷ୍ଣୁ ଚରଣ ଦାଶ, ବାମପନ୍ଥୀ ନେତା ନାରାୟଣ ଦାଶ, ପ୍ରଫୁଲ୍ଲ ପାଢ଼ୀ, ନିର୍ମଳ ଦଳେଇ, ସତ୍ୟବ୍ରତ କୁଣ୍ଡ, ଗୟାଧର ସେଠୀ, ଦିଲୀପ ନାଥ, ଭାଗବତ ସେନାପତି, ମଳୟ ଭୋଇ, ବିକାଶ ନାଥ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.