Home ଜିଲ୍ଲା ପରିକ୍ରମା ନିମ୍ନ ଉଚ୍ଚତାରେ ବାଲିପୋଖରୀ ଏସକେପ ନିର୍ମାଣକୁ କଡା ବିରୋଧ, ବୈଷୟିକ କମିଟିର ପୁନଃଅନୁଧ୍ୟାନ ଦାବି କଲା...

ନିମ୍ନ ଉଚ୍ଚତାରେ ବାଲିପୋଖରୀ ଏସକେପ ନିର୍ମାଣକୁ କଡା ବିରୋଧ, ବୈଷୟିକ କମିଟିର ପୁନଃଅନୁଧ୍ୟାନ ଦାବି କଲା ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି

37

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ନଦୀ ବାଲିପୋଖରୀର ଅପେକ୍ଷାକୃତ ନିମ୍ନ ଉଚ୍ଚତାରେ କଂକ୍ରିଟକରଣ କାର୍ଯ୍ୟକୁ ବିରୋଧ କରିଛି ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି। କମିଟିର ଆବାହକ ତଥା ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ ଓ ସଂଯୋଜକ ନାରାୟଣ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, କଂଗ୍ରେସ ନେତା ଅଜୟ କୁମାର ସାହୁ, ଗୋଲକ ବେହେରା, ବିଜୟ ଶଙ୍କର ମହାନ୍ତି, ନାରାୟଣ ବେହେରା, ସନ୍ତୋଷ ସାମଲ, ଜିତୁ ମହାପାତ୍ର ପ୍ରମୁଖ ସୋମବାର ଏସକେପ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି। ଆଖୁଆପଦା ଆନିକଟ ଠାରୁ ମାତ୍ର ୧୬ଶହ ମିଟର ଦୂରରେ ଅବସ୍ଥିତ ଏହି ଏସକେପର କଂକିଟକରଣ ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ୨୦୧୩ ମସିହାରେ ଆନ୍ଦୋଳନ କରିଥିଲା। ତତ୍‌କାଳୀନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ର ସୁରକ୍ଷା କମିଟି ସହ ଆଲୋଚନା କରିବା ସହ ବୈଷୟୀକ କମିଟି ଗଠନ କରି ୨୦୧୬ ମସିହାରେ ଅନୁଧ୍ୟାନ ପାଇଁ ପଠାଇଥିଲେ। ଯାହାର ଫଳ ସ୍ୱରୂପ ଏବେ କଂକ୍ରିଟକରଣ କାର୍ଯ୍ୟ ପାଇଁ ବିଭାଗ ଆଗଭର ହୋଇଛି। ମାତ୍ର ୨୦୧୬ ମସିହାର ସ୍ଥିତି ଏବେ ସମ୍ପୁର୍ଣ୍ଣ ବଦଳି ଯାଇଛି। ନଦୀଶଯ୍ୟାକୁ ବଳପୂର୍ବକ ସଙ୍କୁଚିତ କରି ଦିଆଯାଇଛି।

ନଦୀର ଅପରପାର୍ଶ୍ୱ ବନ୍ଧକୁ ଅତିମାତ୍ରାରେ ସୁଦୃଢ କରାଯାଇଛି। ବାଲିପୋଖରୀ ଏସକେପ ସମ୍ମୁଖ ବାଲିଶଯ୍ୟାରୁ ବାଲି ଉତ୍ତୋଳନ ବହୁମାତ୍ରାରେ କରାଯାଇ ନଦୀକୁ ଏସକେପ ଆଡକୁ ଯୋଜନାବଦ୍ଧ ଭାବେ ମୁହାଁଇ ଦିଆଯାଇଛି। ଏଭଳି ପରିସ୍ଥିତିରେ ଏସକେପର ଉପସ୍ଥିତ ଉଚ୍ଚତାକୁ କମାଯାଇ ନିମ୍ନଉଚ୍ଚତାରେ କଂକ୍ରିଟକରଣ କାର୍ଯ୍ୟ ଗ୍ରହଣୀୟ ନୁହେଁ। ୧୦ ଟି ପଞ୍ଚାୟତର ଧନଜୀବନ ସୁରକ୍ଷା ପାଇଁ ଏସକେପ ଏବର ଉଚ୍ଚତାରେ କଂକ୍ରିଟକରଣ କରାଯିବା ଦରକାର। ଏଥିପାଇଁ ନୂତନ ବୈଷୟୀକ କମିଟି ଗଠନ କରାଯିବାକୁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ମାଧ୍ୟମରେ ମଇ ମାସ ୧୭ ତାରିଖରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ବାଲିପୋଖରୀ ଏସକେପ କଂକ୍ରିଟକରଣ ପାଇଁ ଗତ ଜୁନ ମାସ ୧ ତାରିଖରେ ଶିଳାନ୍ୟାସ ହୋଇଥିଲା। ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଏସକେପର କଂକ୍ରିଟକରଣ କାର୍ଯ୍ୟ ଆଗାମୀ ଅପ୍ରେଲ ମାସ ୨୭ ତାରିଖରେ ସମ୍ପୁର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୩୭୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଏସକେପକୁ ସମ୍ପୁର୍ଣ୍ଣଭାବେ ଆର.ସି.ସି. କରାଯାଇ ସ୍ଥାୟୀ ନିର୍ମାଣ କରାଯିବ। ଏସକେପର ଉପରିଭାଗ ୫.୫ମିଟର ରହିବ କିମ୍ବା ଉପରିଭାଗ ପ୍ରସ୍ଥକୁ ୭ମିଟର କରାଯାଇ ପାରେ ଓ ଏକ ଫୁଟର ଉଚ୍ଚତାର କଂକ୍ରିଟ ଢ଼ଳେଇ ନିର୍ମାଣ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ମାତ୍ର ବିଭାଗୀୟ ନଥିପତ୍ରରେ ଥିବା ଏହି ଏସକେପର ଉଚ୍ଚତା ଠାରୁ ବାସ୍ତବ ଉଚ୍ଚତା ଢେର ଅଧିକ। ବାସ୍ତବ ଉଚ୍ଚତାକୁ ଏଡାଯାଇ ନଥିପତ୍ରରେ ଥିବା ଅପେକ୍ଷାକୃତ ନିମ୍ନ ଉଚ୍ଚତା ଅନୁଯାୟୀ କାର୍ଯ୍ୟ କରାଯାଉଥିବାରୁ ବିରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.