Home ଅପରାଧ ବରାହନୂଆପଡା ଗ୍ରାମରେ ବିଜେଡି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ ଓ ବୋହୂ ଆହତ

ବରାହନୂଆପଡା ଗ୍ରାମରେ ବିଜେଡି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ ଓ ବୋହୂ ଆହତ

18

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ବରାହନୂଆପଡା ଗ୍ରାମରେ ସୋମବାର ସକାଳେ ଶାସକ ବିଜେଡି ଦଳର ୨ ଗୋଷ୍ଠୀ ସଂଘର୍ଷରୁ ଜଣେ ନିରୀହ ବ୍ୟକ୍ତିର ପ୍ରାଣ ଯାଇଛି। ବହୁ ବ୍ୟକ୍ତି ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ଗ୍ରାମରେ ପଞ୍ଚାୟତ ପକ୍ଷରୁ ହେବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ଉଭୟ ସରପଞ୍ଚ ଗୋଷ୍ଠୀ ଓ ସରପଞ୍ଚ ବିରୋଧି ଗୋଷ୍ଠୀ ଅଡିବସିଥିଲେ। ଉଭୟ ନିର୍ମାଣ ସାମଗ୍ରୀ ମଧ୍ୟ ଆଣି ଜମା କରିଥିଲେ। ଗତ ଡିସେମ୍ବର ୨୨ ତାରିଖରେ ସଂପୃକ୍ତ ଗ୍ରାମରେ ଏଥିପାଇଁ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ କେତେକ ଲୋକ ଆହତ ହୋଇଥିଲେ। ଉଭୟ ପକ୍ଷର ଅଭିଯୋଗ କ୍ରମେ ଥାନାରେ ୪୬୩/୨୨ ଓ ୪୬୪/୨୨ ନଂ ମାମଲା ଶତାଧିକ ବ୍ୟକ୍ତିଙ୍କ ନାମରେ ଋଜୁ ହୋଇଥିଲା। ଗତ ରବିବାର ପୁନଶ୍ଚ ସରପଞ୍ଚ ଗୋଷ୍ଠୀ ନିର୍ମାଣ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଥିଲେ। ବିରୋଧି ଗୋଷ୍ଠୀ ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିଲେ। ସୋମବାର ସକାଳେ ରାସ୍ତାରେ ଏକତ୍ର ହେବା ଫଳରେ ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଘର ଛତ ସମେତ ବିଭିନ୍ନ ଦିଗରୁ ପଥର ମାଡ ହେବା ସହ ରାସ୍ତା ଖଣ୍ଡା ବୁଲିଥିଲା। ମାରଣାସ୍ତ୍ରରେ ଆକ୍ରମଣ ମଧ୍ୟ ହୋଇଥିଲା।

ଫଳରେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ହୋଇଥିବା ଗୋଲେଖ ଚନ୍ଦ୍ର ମଲ୍ଲିକ(୬୦) ଓ ଶଙ୍କର୍ଷଣ ମଲ୍ଲିକ(୨୮) ପ୍ରମୁଖଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଗୋଲେଖଙ୍କୁ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଅପରାହ୍ନ ୨ଟା ବେଳେ ଗୋଲେଖ ମୃତ୍ୟୁବରଣ କରିଥିବା ନେଇ ପରିବାର ସୂତ୍ରରୁ ପ୍ରକାଶ। ଶବ ବ୍ୟବଚ୍ଛେଦ ପରେ ଗୋଲେଖକୁ ଗ୍ରାମକୁ ଅଣାଯାଉଥିବା ଜଣାଯାଇଛି। ପୁଲିସ ସକାଳେ ଗ୍ରାମରେ ପହଞ୍ଚ ତଦନ୍ତ ଚଳାଇଛି। ଅପରାହ୍ନରେ ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତରଣାଧିନ ପାଇଁ ଉଦ୍ୟମ ଚଳାଇଛନ୍ତି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି। ମାତ୍ର ସମଗ୍ର ପଞ୍ଚାୟତରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଷୋଳମପୁର ପଞ୍ଚାୟତରେ ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ତୀବ୍ର ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇ କ୍ରମେ ଘନିଭୂତ ହେବାରେ ଲାଗିଥିଲା। କ୍ରମାଗତ ଭାବେ ଷୋଳମପୁର, ବରାହନୂଆପଡା, ମଣିନାଥପୁର, ତିଖିଲିଆ ଆଦି ଗ୍ରାମରେ ଆକ୍ରମଣ ଓ ପ୍ରତିଆକ୍ରମଣ ଲାଗି ରହିଥିଲା। ଏବେ ଗୋଟିଏ ମୁଣ୍ଡ ଗଡିଛି। ଶାସକ ଦଳ ନେତାଙ୍କ ପକ୍ଷରୁ ଉଭୟ ଗୋଷ୍ଠୀର ମିଳାମିଶା ଉଦ୍ୟମ ଇଚ୍ଛାକୃତ ଭାବେ ବିଳମ୍ବ କରାଯିବା ଦ୍ୱାରା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି ବୋଲି ପଞ୍ଚାୟତବାସୀଙ୍କ ପକ୍ଷରୁ ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.