Home ଜିଲ୍ଲା ପରିକ୍ରମା ବରପଦା ଇଂଜିନିୟରିଂ ଶିକ୍ଷାନୁଷ୍ଠାନର ବିବାଦ ପିଛା ଛାଡୁନି, ବକେୟା ଓ ନିୟମିତ ଦରମା ଦାବିରେ କର୍ମଚାରୀମାନେ...

ବରପଦା ଇଂଜିନିୟରିଂ ଶିକ୍ଷାନୁଷ୍ଠାନର ବିବାଦ ପିଛା ଛାଡୁନି, ବକେୟା ଓ ନିୟମିତ ଦରମା ଦାବିରେ କର୍ମଚାରୀମାନେ ଜିଲାପାଳଙ୍କୁ ଭେଟିଲେ

29

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ବିବାଦ ପିଛା ଛାଡୁନି । ସଂପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ବିଏସ୍‌ଇଟି ସୋସାଇଟିର ସ୍ୱେଚ୍ଛାଚାରିତା ଓ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରି କର୍ମଚାରୀମାନେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଆଜି ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ ଏହି ଶିକ୍ଷାନୁଷ୍ଠାନ କର୍ମଚାରୀମାନଙ୍କୁ ଦୀର୍ଘବର୍ଷ ଧରି ନିୟମିତ ଦରମା ମିଳୁନାହିଁ । ୧୭ ମାସର ବକେୟା ଦରମା ମଧ୍ୟ ଆଜିଯାଏଁ ମିଳିନାହିଁ । ଏହି ପ୍ରସଙ୍ଗରେ କର୍ମଚାରୀମାନେ ତା ୨୫.୦୪.୨୦୨୨ ରିଖରେ ବରପଦା ଶିକ୍ଷାନୁଷ୍ଠାନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । କଲେଜ ଅଧ୍ୟକ୍ଷଙ୍କ ନିବେଦନ ଓ ଜିଲା ପ୍ରଶାସନର ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଧାରଣାକୁ ସ୍ଥଗିତ ରଖାଯାଇଥିଲା । ତା ୦୧.୦୮.୨୦୨୨ ରିଖରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ କିଛି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ସୁଯୋଗ ଦେଲେନାହିଁ ।

ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଏଭଳି ଅବିଚାରକୁ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳିଲାନାହିଁ । ଏବେ ଏହି ଶିକ୍ଷାନୁଷ୍ଠାନଟିର ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ବଢିବାରେ ଲାଗିଛି । ଆୟରେ ମଧ୍ୟ ବୃଦ୍ଧି ଘଟିଛି । ଅପରପକ୍ଷରେ ସଂଖ୍ୟାଧିକ କର୍ମଚାରୀ ଅବସର ନେବା ଫଳରେ ମୋଟା ବେତନ ପ୍ରଦାନର ପରିମାଣ ହ୍ରାସ ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଧ୍ୟକ୍ଷ ଶିକ୍ଷାନୁଷ୍ଠାନଟି ଆର୍ଥିକ ସଂକଟରେ ଗତି କରୁଥିବାର ଆଳ ଦର୍ଶାଇ କର୍ମଚାରୀମାନଙ୍କ ବକେୟା ଦରମା ପ୍ରଦାନ କରୁନାହାଁନ୍ତି କି ନିୟମିତ ଦରମା ମଧ୍ୟ ଦେଉନାହାଁନ୍ତି । ଏହାବ୍ୟତୀତ ଚାକିରୀରୁ ଅବସର ଓ ଚାକିରୀ କାଳ ମଧ୍ୟରେ ଅସମୟରେ ମୃତ୍ୟୁବରଣ କରୁଥିବା କର୍ମଚାରୀମାନଙ୍କ ପ୍ରାପ୍ୟ ମଧ୍ୟ ପ୍ରଦାନ କରାଯାଉନଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅପର ମାସର ବକେୟା ଦରମା ଓ ନିୟମିତ ଦରମା ପ୍ରଦାନ କରିବା ସହ ଅବସର ଓ ଅସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ନିମନ୍ତେ କର୍ମଚାରୀମାନଙ୍କ ତରଫରୁ ଜିଲାପାଳଙ୍କୁ ନିବେଦନ କରାଯାଇଛି । ନଚେତ୍ ପୁଣି କର୍ମଚାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.