Home ଓଡ଼ିଶା ବନ୍ୟା ପରିଚାଳନା ଓ କ୍ଷୟକ୍ଷତି ଆକଳନ ସମୀକ୍ଷା ବୈଠକ

ବନ୍ୟା ପରିଚାଳନା ଓ କ୍ଷୟକ୍ଷତି ଆକଳନ ସମୀକ୍ଷା ବୈଠକ

28

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଯୋଜନାବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଡି.ଆର.ଡି.ଏ. ସମ୍ମିଳନୀ କକ୍ଷରେ ଚଳିତ ବନ୍ୟା ପରିଚାଳନା ଓ କ୍ଷୟକ୍ଷତି ଆକଳନ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି ପର୍ଯ୍ୟବେକ୍ଷକ ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ଧାମନଗର ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ବନ୍ୟା ଓ କ୍ଷୟକ୍ଷତି ନେଇ ସଂପୃକ୍ତ ବିଭାଗ ଅନୁଯାୟୀ ସମୀକ୍ଷା କରାଯାଇଥିଲା। ବିଶେଷ କରି ସମ୍ଭାବ୍ୟ ବର୍ଷା ଓ ବନ୍ୟା ଜନିତ ବିପତ୍ତି ଜିଲ୍ଲା ଉପରୁ ଟଳି ଯାଇଥିବାରୁ ଗତକାଲି ଠାରୁ ଆତଙ୍କିତ ଅବସ୍ଥାରେ ଥିବା ଜିଲ୍ଲାବାସୀ, ପ୍ରଶାସନ ତଥା ଜନପ୍ରତିନିଧିମାନେ ଆଶ୍ୱସ୍ତ ହୋଇଛନ୍ତି ବୋଲି ଶ୍ରୀଯୁକ୍ତ ରାୟ ପ୍ରାକାଶ କରିବା ସହିତ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ପ୍ରସ୍ତୁତିର ପ୍ରଶଂସା କରିଥିଲେ।

ଏହିଭଳି ପ୍ରସ୍ତୁତି ଅଭିଜ୍ଞତା ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଜିଲ୍ଲାବାସୀଙ୍କୁ ଅଭୟ ପ୍ରଦାନ କରିପାରିବ ବୋଲି ମଧ୍ୟ ସେ କହିଥିଲେ। ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ତଥା ପ୍ରସ୍ତୁତି ଉପରେ ସବିଶେଷ ସମୀକ୍ଷା କରାଯାଇଥିଲା। କୃଷି, ପ୍ରାଣୀ ଚିକିତ୍ସା, ଶିକ୍ଷା, ବିଦ୍ୟୁତ୍‌, ଆର.ଡି., ଜଳ ସେଚନ ଆଦି ବିଭାଗଦ୍ୱାରା ପ୍ରସ୍ତୁତ ଆଖିଦେଖା କ୍ଷୟକ୍ଷତି ଆକଳନ ବୈଠକରେ ଉପସ୍ଥାପନ କରାଯାଇଥିଲେ ବି ଏ କ୍ଷୟକ୍ଷତି ପୂର୍ଣ୍ଣ ଆକଳନ ପରେ ବୃଦ୍ଧି ଘଟିବା ନେଇ ଅନୁମାନ କରାଯାଇଥିଲା। ଜଳମଗ୍ନ ହୋଇଥିବା ଧାନ ଚାଷଜମି ନେଇ କୃଷି ବିଭାଗର ତଥ୍ୟ ଅନୁଯାୟୀ ଭଦ୍ରକ ବ୍ଲକ୍‌ର ୪ଟି ଗ୍ରା.ପ.ର ୧୦ଟି ଗାଁ ୨୦୭ ହେକ୍ଟର, ତିହିଡ଼ି ବ୍ଲକ୍‌ର ୧୧ଟି ଗ୍ରା.ପ.ର ୩୩ଟି ଗାଁର ୪, ୩୨୦ ହେ ବାସୁଦେବପୁର ୬ଟି ଗ୍ରା.ପ.ର ୨୦ଟି ଗାଁର ୧, ୪୧୨ ହେ, ଚାନ୍ଦବାଲିର ୧୩ଟି ଗ୍ରା.ପ.୬୨ ଟି ଗାଁ ୫, ୮୫୪ ହେ, ଧାମନଗର ର ୨୬ ଗ୍ରା.ପ.ର ୧୦୧ ଗାଁର ୫, ୧୫୭ ହେ. ଭଣ୍ଡାରିପୋଖରୀ ର ୪ଟି ଗ୍ରା.ପ.ର ୧୫ଟି ଗାଁର ୧୦୪ ହେ. ସମୁଦାୟ ୧୬, ୫୫୪ ହେ. ଧାନଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ତ ବ୍ଲକ୍‌ର କୌଣସି କ୍ଷୟକ୍ଷତି ତଥ୍ୟ ଆସିନଥିଲେ ବି ରେବନଦୀ ଦ୍ୱାରା ଜଳମଗ୍ନ ଅଞ୍ଚଳକୁ ପୁନଃ ନିରୀକ୍ଷଣ ପାଇଁ ବିଧାୟକ ଶ୍ରୀଯୁକ୍ତ ସାମଲ କହିଥିଲେ। ଜଳମଗ୍ନ ଅଞ୍ଚଳ ଗୁଡ଼ିକୁ ଯଥେଷ୍ଟ ପରିମାଣର ଗୋ ଖାଦ୍ୟ ଯୋଗାଇଦେବା ପାଇଁ ସିଡ଼ିଭିଓଙ୍କ୍‌ୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ପି.ଏଚ୍‌.ସି.ଓ ସି.ଏଚ୍‌.ସି ରେ ଜରୁରୀ ଚିକିତ୍ସା, ସାପକାମୁଡ଼ା ଆଦି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ବୈଠକରେ ଉପସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ରଙ୍କୁ କହିଥିଲେ। ସୂଚନା ଅନୁଯାୟୀ ବନ୍ୟା ସମୟରେ ୭ଟି ସାପକାମୁଡ଼ା କେଶ୍ ଆସିଥିଲା ଓ ସମସ୍ତେ ଭଲ ହୋଇଛନ୍ତି। ସେହିପରି ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ପୂରା ପ୍ରଦତ୍ତ ସୂଚନା କ୍ରମେ ଭଣ୍ଡାରିପୋଖରୀ ବ୍ଲକ୍‌ର ୯ଟି ଗ୍ରା.ପ.ର ୬୧ଟି ଗାଁ ଧାମନଗର ବ୍ଲକର ୧୪ଟି ଗ୍ରା.ପ.ର ୫୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିଲେ ବି ସେ ଅଞ୍ଚଳରେ ଦୁଇବ୍ଲକର ଥିବା ସମୁଦାୟ ୧୧୦୦ ନଳକୂପର କିଛି କ୍ଷୟକ୍ଷତି ହୋଇନାହିଁ। ବିକଳ୍ପ ପାନୀୟ ଜଳ ଯୋଗାଣର ଆବଶ୍ୟକତା ପଡ଼ିନାହିଁ।

ପୁରୁଣା ନଳକୂପ ଗୁଡ଼ିକର ନୀଚ ଥିବା ପ୍ଲାଟଫର୍ମକୁ ଉଚ୍ଚ କରିବାପାଇଁ କୁହାଯାଇଥିଲା। କେତେକ ସ୍କୁଲରେ ପାଣି ପଶିଯାଇଥିଲେ ବି କ୍ଷୟକ୍ଷତି କିଛି ହୋଇନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କରିଥିଲେ। ପାଣିଯୋଗୁଁ ଧାମନଗର ବ୍ଲକର ୩୭ଟି ସ୍କୁଲକୁ ବନ୍ଦ କରାଯାଇଥିଲା। ଆର.ଡ଼ି.-୨ ଅଧୀନରେ ଥିବା ଚାନ୍ଦବାଲି ବ୍ଲକର ୪ଟି, ଧାମନଗର ବ୍ଲକ୍‌ର ୧୨ଟି, ବାସୁଦେବପୁରର ୨ଟି, ଭଣ୍ଡାରିପୋଖରୀର ୨ଟି ରାସ୍ତା ଏବେ ବି ଜଳମଗ୍ନ ଥିବାବେଳେ ଚଳିତ ବନ୍ୟାରେ ଜିଲ୍ଲାର ବିଶେଷ କରି ନଦୀକୂଳିଆ ଅଞ୍ଚଳର ଖରାପ ହୋଇଥିବା ସମସ୍ତ ରାସ୍ତାର ମରାମତି, ନୂଆ ପକ୍‌କା ରାସ୍ତା ତିଆରି, ନଦୀବନ୍ଧ୍‌୍ ସଶକ୍ତିକରଣ ସହିତ ନଦୀବନ୍ଧ ୍‌ରାସ୍ତା ତିଆରି ପାଇଁ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ପରିଚାଳନାରେ ଜଳସେଚନ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷ କରି ଭଦ୍ରକ ଜିଲ୍ଲା ଆଡ଼କୁ ବୈତରଣୀ ନଦୀର ୬ଟି ଏସ୍‌କେପ୍ ଥିବାରୁ ଅଧିକ ବନ୍ୟାଜଳ ମାଡ଼ୁଛି ଏବଂ ଏସ୍‌କେପ ପାଖରେ ଦୁର୍ବଳ ଥିବା ନଦୀବନ୍ଧ ଭାଙ୍ଗୁଥିବାରୁ ତାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉ ବୋଲି କୁହାଯାଇଥିଲା। ଚଳିତ ବନ୍ୟାରେ କୌଣସି ମୃତ୍ୟୁ ଘଟଣା ଘଟି ନଥିଲେବି ନିଜ ନିଜ ଅସାବଧାନତାରୁ ଚାନ୍ଦବାଲି ବ୍ଲକର ୨ ଜଣ ଭାସିଯାଇ ମୃତ୍ୟୁବରଣ କରିଥିବା ଓ ଧାମନଗର ବ୍ଲକ୍‌ର ୨ଟି ଘର ଭାଙ୍ଗିଥିବା ବୈଠକରେ ସୂଚନା ଦିଆଯାଇଥିଲା। ଏହି ବୈଠକରେ ଜିଲ୍ଲା ପରିଷଦର ପ୍ରାକ୍ତନ ନିର୍ବାହୀ ଅଧିକାରୀ ଇନ୍ଦ୍ରମଣି ନାୟକ ଓ ନୂତନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖଙ୍କ ସହ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଜତିଲ୍ଲାପରିଷଦ ସଦସ୍ୟ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.