Home ଓଡ଼ିଶା ବନୀକରଣରେ ବିହନ ବୋମା

ବନୀକରଣରେ ବିହନ ବୋମା

117

ଆଜି ଆମେ ଏକ ଏମିତି ସମୟ ଦେଇ ଗତି କରୁଛୁ, ଯେଉଁଠି ଦିନକୁଦିନ ଗଛ ଗୁଡ଼ିକ ବିପଦଗ୍ରସ୍ତ ହେବାରେ ଲାଗିଛନ୍ତି। ଫଳରେ ପୃଥିବୀ ପୃଷ୍ଠରେ ଜଙ୍ଗଲ ସମ୍ପଦର ହ୍ରାସ ଘଟୁଛି, ଜୀବଜଗତ ତିଷ୍ଠି ରହିବା କଷ୍ଟକର ହେଇ ପଡୁଛି। ଜୈବ ବିବିଧତା ବିଗିଡ଼ିବାରେ ଲାଗିଛି ଓ ୨୦୧୫ ମସିହା ରେ ନେଚର ପତ୍ରିକାରେ ପ୍ରକାଶିତ ହୋଇଥିବା ଏକ ଅନ୍ତର୍ଜାତୀୟ ବୃକ୍ଷ ଗଣନା ତଥ୍ୟରୁ ଜଣାଯାଏ ଯେ ପ୍ରତ୍ୟେକ ବର୍ଷ ପ୍ରାୟ ୧୫ ଶହକୋଟି ଗଛ ଜଙ୍ଗଲ କ୍ଷୟ ଓ ଭୂମିରୂପ ପରିବର୍ତ୍ତନ ପାଇଁ କଟା ଯାଉଛି। ନୂତନ ସହରାଂଚଳ, ରାସ୍ତାଘାଟ, ବହୁତଳ କୋଠା, ମେଟ୍ରୋ ଷ୍ଟେସନ ଆଦି ତିଆରି କରି ବିକାଶର ଧାରାରେ ଯୋଡି ହେବା ପାଇଁ କୌଣସି ଫଳାଫଳକୁ ଖାତିର ନକରି ଅବାଧରେ ଗଛ କଟା ଚାଲିଛି। ଆନ୍ତର୍ଜାତୀୟ ବୃକ୍ଷ ଗଣନା ଦଳରେ ଥିବା ଗବେଷକ ମାନଙ୍କ ମତ ଅନୁସାରେ ଭାରତରେ ଥିବା ବ୍ୟକ୍ତି ପିଛା ଗଛ (୨୮) ଯାହାକି, ଚାଇନା (୧୩୦), ଆମେରିକା (୬୯୯) ଓ ଋଷ (୪୮୫୬) ଠାରୁ ବହୁତ କମ ଓ ପରିବେଶର ପ୍ରତିପୋଷଣ ପାଇଁ ଅଧିକାଂଶ ବିପଦଗ୍ରସ୍ତ ଗଛ ଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ, କାରଣ ସେମାନେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜଗୃହ ଗ୍ୟାସ ସବୁକୁ ନିୟନ୍ତ୍ରଣ କରିଥାନ୍ତି। ବାୟୁ ଏବଂ ଜଳର ଗୁଣବତାକୁ ବୃଦ୍ଧି କରିବା ସହିତ ପୃଥିବୀର ବିଶାଳ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇଥାନ୍ତି। ସ୍ୱଳ୍ପ ବୃକ୍ଷର ଘନତ୍ୱ ଓ ଅତ୍ୟନ୍ତ ବାୟୁ ପ୍ରଦୂଷଣ ସମସ୍ୟାରେ ଜର୍ଜରିତ ଆମ ଦେଶ ଭାରତବର୍ଷ ଆଭାସ ଦେଉଛି ଯେ ଦେଶପାଇଁ ତୀବ୍ର ବନୀକରଣ ନିହାତି ଜରୁରୀ। ତେଣୁ ଅଳ୍ପ ସମୟ ମଧ୍ୟରେ ସ୍ୱଳ୍ପ ଖର୍ଚ ଓ ସୁବିଧାରେ ଅଧିକ ରୁ ଅଧିକ ବନୀକରଣ କରିବା ଏବଂ ଉଜୁଡ଼ା ଜଙ୍ଗଲକୁ ପୁନଃରୁଦ୍ଧାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇପଡିଛି। ଏହା ପାଇଁ ଅନେକ ରାଜ୍ୟ ଗୋଟିଏ ନୂତନ ପଦ୍ଧତି ଅବଲମ୍ବନ କରୁଛନ୍ତି ଯାହାକି “ବିହନ ବୋମା” ଭାବରେ ପରିଚିତ ଓ ଯେମିତି ବୋମା ମାଡ଼ ହେଲେ ଗୋଟିଏ ସ୍ଥାନର ଭୂମିରୂପରେ ପରିବର୍ତ୍ତନ ହୋଇଯାଇଥାଏ, ଠିକ ସେମିତି ବିହନ ବୋମା ଦ୍ୱାରା ଗୋଟିଏ ଜାଗାର ଆମୁଳଚୁଳ ପରିବର୍ତ୍ତନ ଘଟିଥାଏ ଓ ମରୁଭୂମି ଭଳି ପ୍ରତୀୟମାନ ହେଉଥିବା ସ୍ଥାନଟି ସବୁଜିମାରେ ପରିପୂର୍ଣ୍ଣ ହୁଏ, ବୃଷ୍ଟିପାତ ସ୍ୱାଭାବିକ ହୁଏ ଓ ପରିବେଶର ସନ୍ତୁଳନ ଠିକ ହୋଇଯାଏ। ଏହିପରି ଭାବରେ ବିହନ ବୋମା ସମାଜର ହିତ ସାଧନ କରିଥାଏ ଓ ତେବେ ଆସନ୍ତୁ ଜାଣିବା ଏହି ବିହନ ବୋମାଟି କଣ।

ବିହନ ବୋମା:

ବିହନ ବୋମା ହେଉଛି ଏକ ପ୍ରାଚୀନ ଜାପାନୀ ପଦ୍ଧତି, ଯାହାକୁ ଜାପାନୀ ଭାଷାରେ “ସୁଚି ଡାଙ୍ଗ” ଅର୍ଥାତ ମାଟି ପିଣ୍ଡୁଳା କୁହନ୍ତି। ଏହା ହେଉଛି ମାଟି, ଗୋବର ଖତ ଓ ସ୍ଥାନୀୟ ଅଂଚଳରେ ମିଳୁଥିବା ମଞ୍ଜିର ଏକ ଛୋଟ ପିଣ୍ଡୁଳା, ଯାହାକୁ ବୋମା ଭଳି ଫାଙ୍କା ବା ଅପରିଷ୍କୃତ ଜାଗାକୁ ସବୁଜ ସୁନ୍ଦର, ବାସପଯୋଗୀ ସ୍ଥାନରେ ପରିଣତ କରିବା ପାଇଁ ନିକ୍ଷେପ କରାଯାଇଥାଏ। ବିହନ ବୋମା କୁ ବିହନ ପିଣ୍ଡୁଳା ବା ବୀଜ ପିଣ୍ଡୁଳା ମଧ୍ୟ କୁହାଯାଏ। ଏହାକୁ ବହୁ ଦେଶରେ ବନୀକରଣ ବା ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ନିମିତ ବ୍ୟବହାର କରାଯାଏ ଏବଂ ଭାରତର ଅନେକ ରାଜ୍ୟ ମଧ୍ୟ ଏହାର ଉପଯୋଗ କରିବା ଆରମ୍ଭ କଲେଣି।

ବିହନ ବୋମା ଗୁଡ଼ିକ ଚାରା ଗଛ ଅପେକ୍ଷା ଶସ୍ତା, ସୁନ୍ଦର ଓ ସହଜ ଉପାୟରେ ଜୈବିକ ପଦ୍ଧତିରେ ତିଆରି ହୋଇଥାଏ। ବିହନ ବୋମା ଗୁଡ଼ିକ ଛୋଟ ଆକାରରେ ହୋଇଥିବାରୁ, ଅନେକ ଗୁଡ଼ିକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପକେଟରେ ଧରି ନିଆଯାଇପାରେ ଏବଂ ଅଳ୍ପ ସମୟରେ ଗୋଟିଏ ବୃହତ ସ୍ଥାନରେ ବ୍ୟବହାର କରିହୁଏ।

ବିହନ ବୋମା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:

ବିହନ ବୋମା ତିଆରି କରିବା ପାଇଁ ଦରକାର ହେଉଥିବା ଉପାଦାନ ଗୁଡ଼ିକ ସହଜରେ ଶସ୍ତା ବା ବିନା ମୂଲ୍ୟରେ ମିଳିଯାଏ। ମାଟି, ଖତ, ପାଣି ଓ ସ୍ଥାନୀୟ ଅଂଚଳରେ ଉପଲବ୍ଧ ହେଉଥିବା ମଞ୍ଜି ହେଉଛି ବିହନ ବୋମା ପ୍ରସ୍ତୁତିର ମୁଖ୍ୟ ଉପାଦାନ ଓ ଫୁଲ, ଫଳ, ତୃଣ, ଏପରିକି ପନିପରିବା ମଞ୍ଜି ସାହାଯ୍ୟରେ ମଧ୍ୟ ଏହା ତିଆରି କରାଯାଇପାରିବ ଓ ମଞ୍ଜି ଗୁଡ଼ିକ ଅଙ୍କୁରୋଦଗମ ହେବ ପାଇଁ ମାଟି ପାଣିକୁ ଧରିରଖେ ଓ ଖତ ଉପଯୁକ୍ତ ପୋଷଣ ଯୋଗାଇ ମଞ୍ଜିକୁ ବଢ଼ି ଅବସ୍ଥାପିତ କରିବାରେ ସାହାଯ୍ୟ କରେ। ଏହିପରି ଭାବରେ ଖାଲି ଜାଗା ଗୁଡ଼ିକ ସବୁଜ, ସୁନ୍ଦର ହେବା ସଙ୍ଗେସଙ୍ଗେ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଏ।

ବିହନ ବୋମା ପ୍ରସ୍ତୁତି ପ୍ରଣାଳୀ:

ବିହନ ବୋମା ପ୍ରସ୍ତୁତି କରିବା ପାଇଁ ପ୍ରଥମେ ଗୋଟେ ପାତ୍ରରେ ତିନି ଭାଗ ଶୁଖିଲା ମାଟି ଓ ଏକ ଭାଗ ଖତକୁ ଭଲ ଭାବରେ ମିଶାଯାଏ ଓ ତାହାପରେ ଅଳ୍ପ କିଛି ପାଣି ଢାଳି ମାଟି ଓ ଖତର ମିଶ୍ରଣକୁ ରୋଟି ତିଆରି ପାଇଁ ଅଟା ଦଳିଲା ଭଳି ହାତରେ ଦଳାଯାଏ ଓ ପରେ ଏହାକୁ ଆବଶ୍ୟକୀୟ ଆକାରରେ ପେଣ୍ଡୁ, ଲଡୁ ବା ବୋମା ଭଳିଆ ତିଆରି କରାଯାଏ। ମଞ୍ଜିର ସାଇଜ଼ ବା ଆକାର ଅନୁସାରେ ବୋମାର ଆକାର ନିର୍ଦ୍ଧାରିତ ହୋଇଥାଏ। ପ୍ରତ୍ୟେକ ବୋମାରେ ମଞ୍ଜି ଭର୍ତି କରାଯାଏ ଓ ଏହାକୁ କିଛିଦିନ ଛାଇରେ ଶୁଖାଯାଏ। ବୋମା ଭିତରେ ମଞ୍ଜି ସଂଖ୍ୟା ଫଳର ଆକାର ଉପରେ ନିର୍ଭର କରିଥାଏ। ଆମ୍ବ, ସପେଟା ଆଦି ଫଳ ପାଇଁ ବୋମା ଭିତରେ ଗୋଟିଏ ମଞ୍ଜି ଯଥେଷ୍ଟ ହୋଇଥିବା ବେଳେ କମଳା ଓ ଲେମ୍ବୁ ଭଳି ଫଳ ପାଇଁ ୨ ରୁ ୩ ଟି ମଞ୍ଜି ଦରକାର ହୋଇଥାଏ। ବୃହତ ଅଂଚଳ ପାଇଁ ଆମ୍ବ, ନିମ୍ବ ଓ ବର ପରି ବଡ଼ ଗଛ ଏବଂ କ୍ଷୁଦ୍ର ଜାଗାରେ ଛୋଟ ଛୋଟ ଫଳ ଓ ଫୁଲ ଗଛ ପାଇଁ ବିହନ ବୋମା ଉପଯୁକ୍ତ ହୋଇଥାଏ।

ବିହନ ବୋମା ନିକ୍ଷେପର ସମୟସୀମା:

ବିହନ ବୋମା ଗୁଡ଼ିକୁ ସାଧାରଣତଃ ମୌସୁମୀ ଋତୁ ପୂର୍ବରୁ ଫିଙ୍ଗା ଯାଇଥାଏ, କାରଣ ବର୍ଷାପାଣି ମଞ୍ଜି ଗୁଡ଼ିକୁ ତତକ୍ଷଣାତ ଅଙ୍କୁରିତ ହେବାରେ ସାହାର୍ଯ୍ୟ କରେ, କିନ୍ତୁ ଜଣେ ଚାହିଁଲେ ବିହନ ବୋମା ଗୁଡ଼ିକ ଯେକୌଣସି ସମୟରେ ନିକ୍ଷେପ କରିପାରନ୍ତି। କାରଣ ବୋମା ଗୁଡ଼ିକ ମାଟି ଉପରେ ନଷ୍ଟ ନହୋଇ ପାଣି ପାଇବା ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ପଡ଼ି ରହିଥାଏ।

ବିହନ ବୋମାର ଉପକାରିତା:

ବିହନ ବୋମା ପଦ୍ଧତି ପାଇଁ ହଳକରି ଜମି ପ୍ରସ୍ତୁତି କରିବା କିମ୍ବା ଚାରା ଗଛ ଲଗାଇବା ପାଇଁ ଗାତ ଖୋଳିବା ଦରକାର ପଡେ ନାହିଁ। ଏହି ପ୍ରଣାଳୀରେ ବହୁତ କମ ପରିଶ୍ରମରେ କୌଣସି ଯନ୍ତ୍ରପାତି ବ୍ୟବହାର ନକରି ଗଛ ସୃଷ୍ଟି କରାଯାଇପାରେ। ବିହନ ବୋମା ନିକ୍ଷେପ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରିବାକୁ ପଡେ ନାହିଁ ଓ ଚାରା ଗଛ ଭଳି ଏହାର ଯତ୍ନ ନେବା ପାଇଁ ପଡେ ନାହିଁ। ମଞ୍ଜି ଉପରେ ଥିବା ମାଟିର ଆବରଣ ମଞ୍ଜିକୁ ଚଢେ଼ଇ, ପିମ୍ପୁଡ଼ି ଓ ମୂଷା ଠାରୁ ରକ୍ଷା କରେ। ପାଖାପାଖି ୧୦୦ ଗଛ ଲଗାଇବା ପାଇଁ ବହୁତ ସମୟ ଲାଗିଥାଏ, ମାତ୍ର ବହୁତ କମ ସମୟରେ ୧୦୦୦ ବୀଜ ପିଣ୍ଡୁଳା ବା ବିହନ ବୋମା ତିଆରି ହୋଇପାରେ। ବିହନ ବୋମା ଗୁଡ଼ିକ ପ୍ରାୟ ୪୫ ଦିନ ମଧ୍ୟରେ ମାଟି ସହିତ ମିଶି ମଞ୍ଜିରୁ ଛୋଟ ଛୋଟ ଗଛ ବାହାରିଥାଏ। ଏପରିକି ଆମେ ବିହନ ବୋମା ପଦ୍ଧତିରେ ଯେତିକି ମଞ୍ଜି ବୁଣୁ, ତାହାର ପ୍ରାୟ ୯୫ ପ୍ରତିଶତ ମଞ୍ଜିରୁ ଗଛ ବାହାରିଥାଏ।

ବିହନ ବୋମା ବ୍ୟବହାର ସମ୍ବନ୍ଧରେ ବିଭିନ୍ନ ରାଜ୍ୟର ଅନୁଭୂତି:

ଆମ ଦେଶର ଅନେକ ଗୁଡ଼ିଏ ରାଜ୍ୟ ବିହନ ବୋମା ସହାୟତାରେ ବନୀକରଣ କରି ଉପକୃତ ହେଉଛନ୍ତି। ଯେମିତି ଚେନ୍ନାଇରେ ୨୦୧୭ ମସିହାରେ ହୋଇଥିବା ବାତ୍ୟା “ବରଧା” ପାଖାପାଖି ୧ ଲକ୍ଷ ଗଛକୁ ମୂଳରୁ ଉପାଡ଼ି ଭାଙ୍ଗି ଦେଇଥିଲା ଏବଂ ତାପରେ ବହୁତ ଗୁଡ଼ିଏ ବେସରକାରୀ ସଂସ୍ଥା ଚେନ୍ନାଇର ସବୁଜିମାକୁ ଫେରାଇ ଆଣିବା ପାଇଁ ଅଂଟା ଭିଡ଼ିଥିଲେ। ବିଭିନ୍ନ ସଂସ୍ଥା ମାନଙ୍କ ମଧ୍ୟରୁ “ଥୁବାକମ” ନାମକ ବେସରକାରୀ ସଂସ୍ଥା ବିହନ ବୋମାକୁ ବନୀକରଣର ଏକ ମାଧ୍ୟମ ଭାବରେ ଉପଯୋଗ କରି ସଫଳତା ପାଇଥିଲେ। ସେମାନେ କେବଳ ମଞ୍ଜିକୁ ନେଇ ମାଟି ଓ ଗୋବର ଖତ ସହ ମିଶାଇ ଗୋଟିଏ ବୋମା ବନାଇଥିଲେ, ଯେଉଁଥିରେ ମାଟି ଏବଂ ଖତ ମଞ୍ଜିକୁ ଦୂରକୁ ଉଡ଼ିନଯିବା ବା ପଶୁ ପକ୍ଷୀ ନଖାଇବା ପାଇଁ ସୁରକ୍ଷା ଦେଉଥିଲା। ଏବେ ଏବେ ତେଲେଙ୍ଗାନା ସରକାର ଉଜୁଡ଼ା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଦ୍ରନ ଓ ଆର୍ଟିଫିସିଆଲ ଇେଂଟଲିଜେନ୍ସ କୌଶଳ ବ୍ୟବହାର କରି ବିହନ ବୋମା ପ୍ରୟୋଗ କରିବା ପାଇଁ ଯାଉଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ଦିନ ପ୍ରାୟ ୧ ଲକ୍ଷ ବିହନ ବୋମା ନିକ୍ଷେପ କରାଯାଇପାରିବ। ହରିୟାନାର ବନ ବିଭାଗ ମଧ୍ୟ ଆଇ-ଆଇ-ଟି-, କାନପୁର ଦ୍ୱାରା ନିର୍ମିତ ଦ୍ରନ ମାଧ୍ୟମରେ ବିହନ ବୋମା ବର୍ଷାକରି ଆରବଳୀ ପର୍ବତ ଶ୍ରେଣୀର ଦୁର୍ଗମ ଅଂଚଳରେ ଜଙ୍ଗଲ ସମ୍ପଦର ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଦ୍ରନ ମାଧ୍ୟମରେ ବିହନ ବୋମା ପଦ୍ଧତିରେ ଦିନକୁ ୨୦, ୦୦୦ ରୁ ୩୦, ୦୦୦ ମଞ୍ଜି ବୁଣାଯାଇପାରିବ। ମହାରାଷ୍ଟ୍ରରେ ବିକାଶ ମହାଜନ ନାମକ ଜଣେ ବ୍ୟବସାୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ପ୍ରକୃତି ପ୍ରେମୀ ଗୋଷ୍ଠୀ ମହାରାଷ୍ଟ୍ର ସାରା ବିହନ ବୋମା ପ୍ରସ୍ତୁତି ଓ ବ୍ୟବହାରରେ ସକ୍ରିୟ ଅଛନ୍ତି ଏବଂ ସହରାଂଚଳରେ ବାସ କରୁଥିବା ଛାତ୍ରୀ ଛାତ୍ର ଓ ଲୋକ ମାନଙ୍କୁ ଏହା ତିଆରି କରିବାର ପ୍ରଶିକ୍ଷଣ ଦେଉଛନ୍ତି ବୋଲି ନିଜେ ତାଙ୍କର ଇଂଟରନେଟ ବ୍ଲଗ ମାଧ୍ୟମରେ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଲୋକମାନେ ନିଜ ଘର ଚାରିପାଖେ ସୁଜିମାମୟ ପରିବେଶ ସୃଷ୍ଟି କରି ପାରୁଛନ୍ତି।

ଓଡ଼ିଶାରେ ମଧ୍ୟ ବୈତରଣୀ ଇନିସିଏଟିଭ ନାମକ ଏକ ବେସରକାରୀ ସଂସ୍ଥା ଔଷଧୀୟ ବୃକ୍ଷର ଅବିବୃଦ୍ଧି ପାଇଁ ୨୦୧୫ ମସିହା ଠାରୁ ପ୍ରତ୍ୟେକ ବର୍ଷ କିଛି କିଛି ବିହନ ବୋମାର ବ୍ୟବହାର କରି ଆସୁଛନ୍ତି। ଏବର୍ଷ ବିଶ୍ୱ ହସ୍ତୀ ଦିବସରେ ଓଡ଼ିଶା ସରକାରଙ୍କ ଆଠଗଡ଼ ବନଖଣ୍ଡ ହାତୀ-ମଣିଷ ସଂଘର୍ଷ କମ କରିବା ଉଦ୍ଦେଶ୍ୟରେ ହାତୀ ମାନଙ୍କୁ ଭବିଷ୍ୟତରେ ଖାଦ୍ୟ ଯୋଗାଇବାପାଇଁ ବାଉଁଶ ମଞ୍ଜିରେ ନିର୍ମିତ ବିହନ ବୋମାର ଉପଯୋଗ କରିଛନ୍ତି। ଆଗାମୀ ଦିନ ମାନଙ୍କରେ ଆମ ଓଡ଼ିଶା ସରକାର ମଧ୍ୟ ବନୀକରଣରେ ବିହନ ବୋମା ପଦ୍ଧତିକୁ ପ୍ରାଧାନ୍ୟ ଦେଇ ଆପଣାଇଲେ ଜଙ୍ଗଲ ସମ୍ପଦର ବୃଦ୍ଧି ହେବାସହିତ ବିପୁଳ ପରିମାଣର ରାଜସ୍ୱ ସଂଚୟ ହୋଇପାରିବ।

– ନଳିନୀ କୁମାର ପଣ୍ଡା

ବନ ଗବେଷକ, ଓ ୟୁ ଏ ଟି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.