Home ଓଡ଼ିଶା ବନଜାତ ଦ୍ରବ୍ୟ ଦେଇଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର କ୍ଷମ

ବନଜାତ ଦ୍ରବ୍ୟ ଦେଇଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର କ୍ଷମ

399

ବାଲିଗୁଡା, ୯-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ମହିଳାମାନେ ବହୁ ପରିଶ୍ରମ କରୁଛନ୍ତି। ଜନଜାତି ଅଧ୍ୟୁଷିତ ଏହି ବ୍ଲକରେ ମହିଳାମାନେ ହଳଦୀ ସମେତ ଅଦା, କ୍ଷୁଦ୍ରଦାନା ଶସ୍ୟ, ଧାନ, ବିରି, ଶୋରିଷ ଫସଲ ସହ ଉଦ୍ୟାନ କୃଷିରେ ପନିପରିବା, ଆମ୍ବ, ଲିଚୁ, ଆଦି କରି ବହୁ ରୋଜଗାର କରୁଛନ୍ତି। ଏଥିସହ ବର୍ଷକୁ ୩ ମାସ ଅଁଳା ସମେତ ହରିଡ଼ା, ବାହାଡ଼ା ଚାଷ କରି ଭଲ ଦୁଇପଇସା ରୋଜଗାର ସହ, ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲି ସିଲେଇ କରି ବଜାରରେ ବିକ୍ରି କରିଥାନ୍ତି। ତେବେ ଅକ୍ଟୋବର ମାସ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ଅଁଳା, ହରିଡ଼ା, ବାହାଡ଼ା ସଂଗ୍ରହ କରିବା ସହ ଏହାକୁ ରନ୍ଧା, ଶୁଖାଇବା, ଗୁଣ୍ଡ କରିବା ପରେ ପ୍ରସ୍ତୁତ କରି ବଜାରରେ ବିକ୍ରି କରିଥାନ୍ତି। ଦେଶରେ ନାମୀଦାମୀ ହରବାଲ କମ୍ପାନୀ ଦାରିଙ୍ଗବାଡ଼ିରୁ ସିଧାସଳଖ ଏହା କ୍ରୟ କରିଥାନ୍ତି। ଦଲାଲମାନେ ମଧ୍ୟ ପହଞ୍ଚି ଶସ୍ତାରେ କିଣିନେଇଥାନ୍ତି। ଅଞ୍ଚଳର ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଦୁର୍ଗମ ଭ୍ରମରବାଡ଼ି ପଞ୍ଚାୟତର ୧୧୬ ଜଣିଆ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ହରବାଲ ପ୍ରଡକ୍ଟ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଭ୍ରମରବାଡ଼ି ପଞ୍ଚାୟତର ମହିଳାମାନେ ନିଜେ ଅଁଳା ସମେତ ହରିଡ଼ା ବାହାଡ଼ା ସଂଗ୍ରହ କରିବା ସହ ଅନ୍ୟମାନଙ୍କ ଠାରୁ କଞ୍ଚାମାଲ୍‌କିଲୋ ପିଛା ୧୦ଟଙ୍କାରେ କିଣନ୍ତି ବୋଲି ସଭାନେତ୍ରୀ ମିନତୀ ପ୍ରଧାନ, ସମ୍ପାଦିକା ସୂର୍ଯ୍ୟକାନ୍ତୀ ପ୍ରଧାନ ପ୍ରମୁଖ କହିଛନ୍ତି। ପରେ ଶୁଖିଲା ଅଁଳାକୁ କିଲୋ ପିଛା ୨ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ମହିଳା ସଦସ୍ୟ ନମୋଜିନୀ ପ୍ରଧାନ, ବାସନ୍ତୀ ନାୟକ ପ୍ରମୁଖ କହିଛନ୍ତି। ପ୍ରଥମେ ଅଁଳାକୁ ଗରମ ପାଣିରେ ଶିଝା ଯାଇଥାଏ। ପରେ ତାକୁ କାଟି ଶୁଖାଯାଇଥାଏ। ଶୁଖିବା ପାଇଁ ବହୁ ସମୟ ଲାଗିଥାଏ। ସରକାରଙ୍କ ପକ୍ଷରୁ ଏହା କିଣାଗଲେ ଭଲ ଦର ମିଳନ୍ତା, ବାହାରୁ ଆସୁଥିବା କମ୍ପାନୀ ଏବଂ ଦଲାଲ ଶସ୍ତାରେ ନେଉଛନ୍ତି। ମଜୁରି ମଧ୍ୟ ସେମାନେ ପାଉ ନ ଥିବା କହିଛନ୍ତି। ଗତବର୍ଷ ଦର କମିଯିବାରୁ ଏବଂ ଦଲାଲମାନେ ଶସ୍ତାରେ କିଣିବାକୁ ଉଦ୍ୟମ କରିଥିବାରୁ ମହିଳାମାନେ ବିକ୍ରି କରିପାରି ନ ଥିବା କହିଛନ୍ତି। ଗତବର୍ଷର ପ୍ରାୟ ୫୦ କୁଇଣ୍ଟାଲ ଅଁଳା ମହଜୁଦ ରହିଛି, ଚଳିତବର୍ଷ ଏବେ ପ୍ରସ୍ତୁତି ଚାଲିଥିବା ମହିଳା ସଂଘ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.