Home Top News ବଣ୍ଡା ଘାଟି ସୀତାକୁଣ୍ଡ ପରିଦର୍ଶନ କରି ରାମପାଦୁକା ସ୍ଥାପନ କଲେ ରାଜ୍ୟପାଳ

ବଣ୍ଡା ଘାଟି ସୀତାକୁଣ୍ଡ ପରିଦର୍ଶନ କରି ରାମପାଦୁକା ସ୍ଥାପନ କଲେ ରାଜ୍ୟପାଳ

115

ମାଲକାନଗିରି, ୨୨/୩ (ଓଡ଼ିଆ ପୁଅ) ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡା ବଣ୍ଡା ଘାଟି ସୀତାକୁଣ୍ଡ ପରିଦର୍ଶନ କରି ରାମପାଦୁକା ସ୍ଥାପନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍। ମୁଦୁଲିପଡ଼ା ସ୍ଥିତ ବିଏସଏଫ କ୍ୟାମ୍ପଠାରେ ହେଲିକେପ୍ଟର ଯୋଗେ ପହଞ୍ଚିବା ପରେ ଜିଲ୍ଲା ପାଳ ବିଶାଲ ସିଂ, ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଦାକୋଟି, ଏସ ପି ନିତେଶ ୱାଧନୀ ପୁଷ୍ପଗୁଚ୍ଛ ଦେଇ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାରରେ ବଣ୍ଡା ଘାଟିର ସୀତା କୁଣ୍ଡ ନିକଟରେ ପହଞ୍ଚିଥିଲେ ରାଜ୍ୟପାଳ। ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ବାଦ୍ୟଯନ୍ତ୍ର ବଜାଇ ବଣ୍ଡା ରମଣୀମାନେ ରାଜ୍ୟପାଳଙ୍କୁ ସୀତାକୁଣ୍ଡ ନିକଟକୁ ପାଛୋଟି ନେଇଥିଲେ। ସେଠାରେ ଥିବା ରାମଚନ୍ଦ୍ରଙ୍କ ବନବାସ ସମୟର ପଥରରେ ଶ୍ରୀ ରାମଙ୍କ ପାଦ ଚିହ୍ନକୁ ପୂଜା କରି ସୀତାକୁଣ୍ଡର ଜଳକୁ ପାଦୁକା ଭାବେ ପାନ କରିଥିଲେ ଓ ରାମ ମନ୍ଦିରରେ ରାମ ପାଦୁକା ସ୍ଥାପନ କରିଥିଲେ ରାଜ୍ୟପାଳ। ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିର ଲାଗି ଦେଶର ସେହି ସବୁ ସ୍ଥାନରୁ ଜଳ ସଂଗ୍ରହ କରାଯାଉଛି ଯେଉଁଠି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଦ ପଡିଥିଲା। ବଣ୍ଡା ଘାଟିର ସୀତାକୁଣ୍ଡ ସେଥି ମଧ୍ୟରୁ ଅନ୍ୟତମ।

ସମୁଦ୍ର ପତନ ଠାରୁ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚରେ ଥିବା ବଣ୍ଡା ଘାଟିରେ ରାମାୟଣ ଯୁଗର କିମ୍ବଦନ୍ତୀ ରହିଛି। ମାଓ ସମସ୍ୟା ଯୋଗୁଁ ଦିର୍ଘ ବର୍ଷ ଧରି କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ବଣ୍ଡା ଘାଟିକୁ ଯାଇନଥିଲେ। ହେଲେ ବଣ୍ଡା ଘାଟିରେ ଦୁଇଟି ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଆଜି ପ୍ରଥମ ଥର କରି ରାଜ୍ୟପାଳ ନିର୍ଭୟର ବଣ୍ଡା ଘାଟିକୁ ଯାଇଥିଲେ। ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଣ୍ଡା ଘାଟିର ମୁଦୁଲିପଡ଼ା ସ୍ଥିତ ବିଏସଏଫ କ୍ୟାମ୍ପ ଠାରେ ହେଲିକେପ୍ଟର ଯୋଗେ ପହଞ୍ଚିବା ପରେ ସେଠାରୁ କାର ଯୋଗେ ସୀତାକୁଣ୍ଡ ନିକଟରେ ପହଞ୍ଚିଥିଲେ ରାଜ୍ୟପାଳ।

୧୪ବର୍ଷ ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର ବଣ୍ଡା ଘାଟିର ଏହି ଅଞ୍ଚଳରେ କିଛି ସମୟ ବିତାଇ ଥିବା ବେଳେ ଏହି ସ୍ଥାନରେ ଦେବୀ ସୀତା ସ୍ନାନ କରିଥିଲେ। ସେବେ ଠାରୁ ଏହି ସୀତା କୁଣ୍ଡର କଦାପି ପାଣି ସୁଖି ନାହିଁ। ତେଣୁ ଓଡ଼ିଶାର ଏକମାତ୍ର ସ୍ଥାନ ଭାବେ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଅଯୋଧ୍ୟା ରାମ ମନ୍ଦିର ପାଇଁ ଆଜି ଜଳ ସଂଗ୍ରହ କରାଯାଇଛି। ଆଦିମ ଜନଜାତିର ବଣ୍ଡା ମହିଳାଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ରାଜ୍ୟପାଳ।

ସୀତା କୁଣ୍ଡରୁ ଜଳ ସଂଗ୍ରହ କରିବା ପରେ ବଣ୍ଡା ମହିଳାଙ୍କ ନାଚ ଗୀତର ତାଳେ ତାଳେ ଚାଲି ଚାଲି ରାମ ମନ୍ଦିରକୁ ଯାଇଥିଲେ ରାଜ୍ୟପାଳ ଗଣେଶୀ ଲାଲ୍। ସେଠାରୁ ରାଷ୍ଟ୍ରୀୟ କବି ସଙ୍ଗମ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ । ମୟଙ୍କଗ୍ରୱାଲ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ପୁଷ୍ପା ରାଣୀ ସିଂ ମଞ୍ଚପରିଚାଳନା କରିଥିଲେ। ବଣ୍ଡା ଜନଜାତି ସମାଜର ମୁଖ୍ୟ ସୁରେନ୍ଦ୍ର ନାଏକଙ୍କୁ ମଞ୍ଚ ଉପରେ ସମ୍ମାନିତ କରିଥିଲେ ରାଜ୍ୟପାଳ। ଏହା ପରେ ରାଷ୍ଟ୍ରୀୟ କବି ସଙ୍ଗମର ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ରାଜ୍ୟପାଳଙ୍କୁ ସମ୍ବୋର୍ଧିତ କରିଥିଲେ। ଯେଉଁ ବଣ୍ଡା ଜନଜାତିଙ୍କ ଲାଗି ଆଜି ଦେଶରେ ଓଡିଶା ଗୌରବ ଅର୍ଜନ କରିଛି ସେହି ସୀତାକୁଣ୍ଡ ଓ ଆଦିମବଣ୍ଡା ଜନ ଜାତିର ବିକାଶ ଲାଗି ରାଜ୍ୟପାଳ ନିଜସ୍ୱ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଓ ରାଜ୍ୟପାଳଙ୍କୁ ନୃତ୍ୟ ସଙ୍ଗୀତରେ ପାଛଟି ନେଇଥିବା ବଣ୍ଡା ମହିଳାମାନଙ୍କ ଲାଗି ଆଉ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାର ଘୋଷଣା କରିଛନ୍ତି। ଯାହାକୁ ନେଇ ବଣ୍ଡା ଘାଟିରେ ଖୁସିର ଲହରୀ ଖେଳିଯାଇଛି।
ଏହି କାର୍ଯ୍ୟକ୍ରମରେ ବଣ୍ଡା ଲେଖକ ସ୍ୱର୍ଗତଃ ଲକ୍ଷ୍ମଣ ମାନ୍ଦ୍ରାଙ୍କ ପତ୍ନୀଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ। ଜିଲ୍ଲା ସଂଯୋଜକ କବି ବଳରାମ ପୂଜାରୀ, ସହ ସଂଯୋକ କବି ଭଗବାନ ସାହୁ , ଚନ୍ଦ୍ରମା ବାଲିୟା ପ୍ରମୁଖ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ ଜଣାଇଥିଲେ।

ଗତ ଶିବ ରାତ୍ର ଦିନ ଠରୁ ଶ୍ରୀଲଙ୍କାର ଅଶୋକ ବନ ରୁ ବାହାରି ଥିବା ଶ୍ରୀରାମ ବନମନ ରଥ ଆଜି ମାଲକାନଗିରି ବଣ୍ଡାଘାଟି ରେ ପହଁଚିବା ପରେ ରାଜ୍ୟପାଳ ଅନ୍ୟମାନେ ରଥ କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ରଥ ବଣ୍ଡା ଘାଟି ପରେ ଜୟପୁର ଠାରେ ରାତ୍ର ରେ କବି ସମ୍ମିଳନୀ ହେବା ପରେ ବୁଧବାର ଦିନ ସେଠାରୁ ଛତିଶଗଡ ଓ ମଧ୍ୟ ପ୍ରଦେଶ ଦେଇ ଶେଷରେ ୬୫୦୦ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିବାର କର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.