Home ଓଡ଼ିଶା ବଡଦାଣ୍ଡରେ ଶୀତବସ୍ତ୍ରର ପସରା

ବଡଦାଣ୍ଡରେ ଶୀତବସ୍ତ୍ରର ପସରା

222

ପୁରୀ, ୬/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମାର୍ଗଶୀର ମାସ ସରିବାକୁ ବସିଲାଣି। ମାତ୍ର ଶୀତର ପ୍ରକୋପ ଦେଖା ନାହିଁ। ଧିରେ ଧିରେ ଶୀତ ପଡିବାକୁ ଆରମ୍ଭ ହେଉଥିବା ବେଳେ ବଡଦାଣ୍ଡରେ ଶୀତବସ୍ତ୍ରର ପସରା ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଚଳିତବର୍ଷ କାର୍ତିକମାସଠାରୁ ପୌଷମାସ ପର୍ଯ୍ୟନ୍ତ ସାଧାରଣତଃ ଶୀତ ଅନୁଭୂତ ହୋଇନାହିଁ। ଫଳରେ ପୂର୍ବରୁ ଶୀତବସ୍ତ୍ର ଦୋକାନ ଖୋଲିଥିବା ବ୍ୟବସୀୟୀମାନେ ହାତବାନ୍ଧି ବସିଥିଲେ। ଏବେ ଶୀତର ଆଗମନ ସାଙ୍ଗକୁ ଶୀତବସ୍ତ୍ର ବେପାର ଜମି ଆସୁଥିବା ଲକ୍ଷ୍ୟ କରାଯାଉଛି। ବାହାରୁ ଆସୁଥିବା ବ୍ୟବସାୟୀ ସହରର ବିଭିନ୍ନ ଜନ ଗହଳିପୂର୍ଣ୍ଣ ଅଂଚଳର ଶୀତବସ୍ତ୍ରର ବସରା ମେଲାଇ ବସିଛନ୍ତି। ସେଥିରେ ସ୍ୱିଟର, ଜ୍ୟାକେଟ୍, ମଫଲର ଓ ଟୋପି ସହ ସାଲ ଓ କମ୍ବଳ ଭଳି ଭିନ୍ନ ଭିନ୍ନ କିସମର ଶୀତବସ୍ତ୍ର ରହିଛି। ବଡ ଦୋକାନଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନମାନଙ୍କରେ ଏବେ ଦେଖିବାକୁ ମିଳୁଛି ଶୀତବସ୍ତ୍ରର ସମ୍ଭାର। ରାସ୍ତା କଡରେ ପସରା ମେଲାଇ ବସିଥିବା ବ୍ୟବସାୟୀଙ୍କର ବେପାର ଜମିନଥିବା ବେଳେ ଶୀତ ବଢିଲେ କାରବାର ବଢିବ ବୋଲି ଆଶା କରି ବ୍ୟବସାୟୀମାନେ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି। ବଡ ବଡ ଦୋକାନରେ ମୂଲଚାଲର ଅବକାଶ ନଥିବାରୁ ସାଧାରଣତଃ ଫୁଟପାଥରେ ଗ୍ରାହକଙ୍କ ଗହଳି ଦେଖିବାକୁ ମିଳୁଛି। ବ୍ୟବସାୟୀମାନେ ଚଳିତବର୍ଷ ଶୀତବସ୍ତ୍ରର ମୂଲ୍ୟ ୧୦୦ଟଙ୍କାରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି। ରାଜ୍ୟ ବାହରୁ ଆସିଥିବା ବ୍ୟବସାୟୀମାନେ ସାଧାରଣତଃ ଏହାଠାରୁ କମଦାମରେ ଶୀତବସ୍ତ୍ର ବିକ୍ରି କରୁଥିବାରୁ ସେଠାରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଏବେ ଅଧିକ ଶୀତ ନଥିବାରୁ ସେଠାରେ ବ୍ୟବସାୟୀ ଆଶାନୁରୂପକ ହେଉ ନାହିଁ। ଯଦି ଆଗକୁ ଶୀତର ପ୍ରକୋପ ନବଢେ ତେବେ ସେମାନଙ୍କ ବେପାର ବୁଡି ଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ପଂଜାବରୁ ଆସିଥିବା ବ୍ୟବସାୟୀ ହରନାମ ସିଂହଙ୍କ କହିବା ଅନୁଯାୟୀ ସେମାନେ ବିଭିନ୍ନ ରାଜ୍ୟକୁ ଯାଇ ଶୀତ ଋତୁରେ ବେପାର କରି ଦି ପଇସା ରୋଜଗାର କରିଥାନ୍ତି। ଏବେ ଗତବର୍ଷ ପରି ଶୀତ ପଡିନଥିବାରୁ ସେଭଳି ବେପାର ଜମୁନାହିଁ। ଚଳିତ ବର୍ଷ ସେମାନେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏବର୍ଷ ଅଧିକ ଶୀତ ହେବନାହିଁ ବୋଲି ପାଣିପାଗ ବିଭାଗ ମତ ଦେବାପରେ ଶୀତ ବେପାରଙ୍କ ମଧ୍ୟରେ ଛନକା ପସିଛି। ଏ ପର୍ଯ୍ୟନ୍ତ ପୁରୀରେ ଶୀତର ପ୍ରକୋପ ଅନୁଭୂତ ହୋଇନଥିବାରୁ ବ୍ୟବସାୟୀମାନେ ଆଶଙ୍କାରେ ଅଛନ୍ତି। ଗ୍ରାହକଙ୍କ ଅପେକ୍ଷାରେ ବେପାରୀମାନେ ବସିଥିବା ବେଳେ ଆଶାନୁରୂପ ବ୍ୟବସାୟ ହେଉନଥିବା କହିଛନ୍ତି ବ୍ୟବସାୟୀ ଏସ.କେ ଆବୁ ସିଦ୍ଧିତ। ଶୀତ ପ୍ରକୋପ ବଢିଲେ ବ୍ୟବସାୟ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.